ଯାଜପୁରର ଅଧିଷ୍ଠାତ୍ରୀ ଦେବୀ : ମା’ ବିରଜା

ନମସ୍ତସ୍ୟୈ ନମୋନମଃ

ଯାଜପୁର ସଦର/ମାର୍କଣ୍ଡପୁର : ଭାରତ ବର୍ଷରେ ଥିବା ୫୧ ଶକ୍ତିପୀଠ ମଧ୍ୟରୁ ମା’ ବିରଜାଙ୍କ ଶକ୍ତିପୀଠ ଅନ୍ୟତମ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶକ୍ତିପୀଠରେ ଗତ ଶନିବାର ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଛି। କରୋନା କଟକଣା ପାଇଁ ସବୁ ବର୍ଷ ଠାରୁ ଏବର୍ଷ ଟିକେ ନିଆରା ଢଙ୍ଗରେ ପାଳନ କରାଯାଉଛି। ପ୍ରତ୍ୟୁଷରୁ ଶାସନ ବ୍ରାହ୍ମଣ ବୈତରଣୀ ନଦୀର ଜଳ ନେଇ ମା’ଙ୍କ ମନ୍ଦିରରେ ପ୍ରବେଶ କରିବା ସହ ବୈତରଣୀ ଜଳରେ ମା’ ବିରଜାଙ୍କର ମହାସ୍ନାନ କରାଯାଇଥାଏ। ମହାସ୍ନାନ ପରେ ମା’ଙ୍କର ବେଶ କରାଯିବା ସହ ଚନ୍ଦନ ଲାଗି କରାଯାଇଥାଏ। ପରେ ମା’ଙ୍କୁ ବାଲ୍ୟଭୋଗ ଅର୍ପଣ କରାଯାଇଥାଏ। ମା’ ବିରଜାଙ୍କୁ ଷୋଡ଼ଶ ଉପଚାର ପୂଜା କରାଯାଇଥାଏ। ନବଦିନ ବ୍ୟାପୀ ଏହି ପୂଜା କାର୍ଯ୍ୟ କରାଯାଇଥାଏ।
ନିୟମ ଅନୁଯାୟୀ ମା’ ବିରଜାଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ସମସ୍ତ ସେବାୟତ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥାନ୍ତି। ମୁକ୍ତି ମଣ୍ଡପ ସେବାୟତ ଉପସ୍ଥିତ ରହିବା ସହ ମନ୍ଦିର ପ୍ରଶାସକ ଉପସ୍ଥିତ ରହିଥାନ୍ତି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ମନ୍ଦିର ଭିତରକୁ ଭକ୍ତଙ୍କ ଯିିବା ଉପରେ କଟକଣା ଜାରି କରାଯାଇଛି। ମନ୍ଦିରର ସେବା କାର୍ଯ୍ୟରେ ନିୟୋଜିତ ସେବାୟତଙ୍କୁ ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଯାହାଫଳରେ ସେବାୟତ ଓ ପୂଜକ ଅନାୟସରେ ମନ୍ଦିରକୁ ଯାଇ ମା’ଙ୍କର ନୀତିକାନ୍ତି କାର୍ଯ୍ୟ ସମ୍ପାଦନ କରିପାରିବେ। ମା’ ବିରଜାଙ୍କ ଶକ୍ତିପୀଠରେ ରଥଯାତ୍ରା ଅନ୍ୟ ଏକ ପରମ୍ପରା। ଏହି ରଥଯାତ୍ରା କେଉଁ କାଳରୁ ହୋଇ ଆସୁଅଛି। ମା’ଙ୍କର ବିଜେ ପ୍ରତିମା ସିଂହଧ୍ୱଜା ରଥରେ ରଥାରୂଢ଼ ହୋଇ ବେଢ଼ା ପରିକ୍ରମା କରିଥାନ୍ତି। ଚଳିତ ବର୍ଷ କରୋନା ଯୋଗୁଁ ରଥଯାତ୍ରା ଅନୁଷ୍ଠିତ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶମତେ କୋଭିଡ଼ କଟକଣା ମାଧ୍ୟମରେ ରଥଯାତ୍ରା ଗତ ଶନିବାର ଠାରୁ ଅନୁଷ୍ଠିତ ହୋଇଛି। ରଥଯାତ୍ରା ପରେ ସନ୍ଧ୍ୟାରେ ମା’ ବିରଜାଙ୍କ ଶକ୍ତିପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ କରାଯାଇଥାଏ। ଏହି ପୂଜା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥାଏ। ଅକ୍ଟୋବର ୨୦ ତାରିଖ ଠାରୁ ମା’ ବିରଜାଙ୍କ ଶକ୍ତିପୀଠରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ଭକ୍ତଙ୍କ ଯିବା ଉପରେ କଟକଣା ଥିବାରୁ ରାତିରେ ପୁଲିସ ପ୍ରହରାକୁ କଡ଼ାକଡ଼ି କରାଯାଇଛି। ଏପରିକି ଶାସନ ବ୍ରାହ୍ମଣ ବୈତରଣୀ ନଦୀରୁ ଜଳ ନେବା ସମୟରେ ପୁଲିସ ସୁରକ୍ଷା ବଳୟରେ ଯିବାର ବ୍ୟବସ୍ଥା କରାଯାଇଛି। ଶାସନ ବ୍ରାହ୍ମଣଙ୍କୁ ପାଣି ନେବା ପାଇଁ ପରିଚୟପତ୍ର ମନ୍ଦିର ପ୍ରଶାସକ ପକ୍ଷରୁ ଯୋଗାଇ ଦିଆଯାଇଛି; ଯେପରିକି ମା’ଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ନ ଘଟେ। ମା’ ବିରଜାଙ୍କ ଶକ୍ତିପୀଠରେ ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ ଏହାକୁ ସୁଚାରୁରୂପେ ସମ୍ପାଦନ କରାଯିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ସନ୍ଧ୍ୟାରେ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ଅନ୍ୟ ଜିଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ରହୁଛନ୍ତି। ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିରକୁ ଓ ମନ୍ଦିର ପରିସରରେ ଭକ୍ତଙ୍କ ଯିବା ଉପରେ କଟକଣା ଜାରି କରାଯାଇଛି।

Comments are closed.