ଯାଜପୁରରେ କୁକୁଡା ମଡକ: ବାର୍ଡ ଫ୍ଲୁ ଆଶଙ୍କା

ଯାଜପୁର : ଯାଜପୁର ଜିଲା ଅମ୍ବିକାଇ ଅଞ୍ଚଳରେ ଗତ କିଛି ଦିନ ଧରି କୁକୁଡା ମଡକ ଜାରି ରହିଥିବା ବେଳେ ସୋମବାର ପୁଣି ଉକ୍ତ ଅଞ୍ଚଳରେ ୪ଟି କୁକୁଡା ମରିଥିବା ଦେଖିବାକୁ ମିଳିଛି । କୁକୁଡା ମଡକର କୌଣସି କାରଣ ଏ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏହା ବାର୍ଡ ଫ୍ଲୁ ହୋଇଥିବା କୁକୁଡା ଚାଷୀ ସନ୍ଦେହ କରୁଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ  କୁକୁଡାଚାଷୀଙ୍କ ପକ୍ଷରୁ ଦାବି କରାଯାଇଛି। ଆଜି ଏ ନେଇ ଖବର ପାଇ ଜିଲା ସଦରମହକୁମା ପ୍ରାଣି ଚିକିତ୍ସାଳୟର ଉପନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମଲା କୁକୁଡାଙ୍କ ନମୂନା ସଂଗ୍ରହ କରି ତାକୁ ପରୀକ୍ଷା ପାଇଁ କଟକ ଫୁଲନଖରାସ୍ଥିତ ଆନିମଲ ଡିଜିଜ୍ ରିସର୍ଚ ଇନଷ୍ଟିଚ୍ୟୁଟ୍‌କୁ ପଠାଯାଇଛି। ରିପୋର୍ଟ ଆସିବା ପରେ କୁକୁଡା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଉପନିର୍ଦ୍ଧେଶକ କହିଛନ୍ତି। ଏଥିସହିତ ଆଖପାଖ ଅଞ୍ଚଳରେ ଥିବା କୁକୁଡା ମାନଙ୍କୁ ପ୍ରତିଶେଧକ ଦିଆଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

Comments are closed.