ଦନ୍ତା ସାଜିଲା ମୃତ୍ୟୁଦୂତ ନେଲା ୩ ଜୀବନ, ଦନ୍ତା ଭୟରେ ସ୍କୁଲ ଛୁଟି ଘୋଷଣା

ଯାଜପୁର:କୋରାଇରେ ତିନିଦିନ ହେଲା ମାତିଛି ଦନ୍ତା ହାତୀ। ସେତେଯେମିତ ମୃତ୍ୟୁଦୂତ ସାଜି ଦନ୍ତାଟି ୩ ଦିନରେ ୩ ଜୀବନ ନେଲାଣି। ୩ ଦିନ ତଳେ କଳିଙ୍ଗନଗର ଶାଳିଜଂଗା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଅପରାହ୍ଣରେ ୨ ଜଣ ଘୁଘୁନି ବିକାଳୀଙ୍କୁ ଥୋଡ଼ରେ ଭିଡ଼ିଆଣି ପାହୁଲାରେ ଦଳି ମାରିଦେଇ ଥିଲା ଦନ୍ତା। ସେହିପରି  ଅନ୍ୟ ଦୁଇଜଣଙ୍କୁ ଥୋଡରେ ଫିଙ୍ଗି ଦେବାରୁ ସେମାନେ ଗୁରୁତର ଆହତ ହୋଇଥିଲେ। ଅନେକଙ୍କ ଘରଭାଙ୍ଗି ଦେଇଛି। ଦନ୍ତାର ଉପଦ୍ରବ ଏଭଳି ଥିଲା ଯେ ଲୋକଙ୍କ ଭିତରେ ଦଳାଚକଟା ଘଟି ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ଜଣାପଡିଛି। ଦୁଇ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଖମଣ ପଂଚାୟତ ଶଙ୍ଖଚିଲା ସ୍ଥିତ ଗୋଡିପାଟଣା ଗ୍ରାମର ଚିନ୍ତାମଣି ରାମ(୬୨) ଓ ଈଶ୍ୱର ଦାସ(୫୫) ରହିଛନ୍ତି। । ଉନ୍ମତ୍ତ ହାତୀକୁ ଆୟତ୍ତ କରିବା ପାଇଁ କଟକ ଡିଭିଜନ ଓ ଯାଜପୁରରୋଡ ବନବିଭାଗ ପକ୍ଷରୁ ରେଞ୍ଜର ଦେବେନ୍ଦ୍ରକୁମାର ପଟ୍ଟନାୟକ ଓ ଫରେଷ୍ଟର ପ୍ରେମାନନ୍ଦ ରାଉତରାୟ, ବାଲାୟାମ ମୁର୍ମୁ(କଟକ), ବେଣୁଧର ବେହେରା, ଶଶିଭୁଷଣ ବେେହେରା, ପରେଶ ସାହୁ, ଦତହରି ନାୟକ ପ୍ରମୁଖ ୭୦ରୁ ଊର୍ଦ୍ଧ୍ବ ଅଧିକାରୀ ଓ କର୍ମଚାରୀ ଜଗିରହି ଥିଲେହେଁ ହାତୀକୁ କାବୁ କରିବା ସମ୍ଭବପର ହୋଇପାରିନି। ରେଞ୍ଜର ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଦନ୍ତାଟି ଝାଡଖଣ୍ଡ ଅଞ୍ଚଳରୁ ଓଡ଼ିଶାର କେନ୍ଦୁଝର ପାଟଣା, ଆନନ୍ଦପୁର ଦେଇ ଟମ୍‌କା ଅଞ୍ଚଳକୁ ପଶିଆସିଥିଲା। ସେଠାରେ ଜଣଙ୍କୁ ମାରିଥିଲା ବେଳେ ୨ ଜଣଙ୍କୁ ଗୁରୁତର ଆହତ ହୋଇଥିଲେ। ପରେ ପାଟରାଙ୍ଗ ଦେଇ କୋରାଇ ଅଞ୍ଚଳରେ ୩ଦିନ ହେଲା ବିନାଶ ଚଳାଇଛି।  ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଦେଖାଦେଇଛି । ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି । ସେପଟେ ହାତୀ ଉପଦ୍ରବ ଯୋଗୁଁ କୋରେଇ ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଆଜି ବନ୍ଦ ରହିବ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.