ନୀଳାଚଳ ଇସ୍ପାତ୍ କାରଖାନାକୁ ଘରୋଇକରଣ ନିଷ୍ପତ୍ତିକୁ ପ୍ରତିବାଦ

ଯାଜପୁର : ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ କାରଖାନାର ଘରୋଇକରଣ ନିଷ୍ପତ୍ତି ପ୍ରତିବାଦରେ ଆନ୍ଦୋଳନ ତେଜୁଛି । ଗୋଟିଏ ପଟେ କାରଖାନାର ତିନୋଟି ୟୁନିଟ୍ ବନ୍ଦ ରହିବା ଫଳରେ କାରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କାରଖାନାରେ ପୁଞ୍ଜିନିବେଶକୁ ନେଇ ଜଟିଳ ସମସ୍ୟା ଦେଖାଦେଇଛି । ଯାହାକୁ ନେଇ  କାରଖାନା ସହ ସମ୍ପୃକ୍ତି ଥିବା ବିଭିନ୍ନ ଟ୍ରେଡ୍ ୟୁନିୟନ ଏକତ୍ର ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ନେତୃତ୍ବରେ ବିଭିନ୍ନ ଶ୍ରମିକ ସଂଗଠନ ଓ କାରଖାନାର ଶ୍ରମିକ କର୍ମଚାରୀ ମାନେ କଳିଙ୍ଗନଗର ଶିଳ୍ପାଞ୍ଚଳର ଡୁବୁରୀ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି କଳିଙ୍ଗନଗର ଏଡିଏମ୍ ଅଫିସ ଠାରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ବିସ୍ଥାପିତ ପରିବାରର ସଦସ୍ୟ ଥିବା କାରଖାନା କର୍ମଚାରୀ ମଧ୍ୟ ସାମିଲଥିଲେ । ଆନ୍ଦୋଳନକାରୀ ମାନେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାର ଏବଂ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । କାରଖାନାର ଅଚଳାବସ୍ଥା ଦୂର କରିବା ସହିତ ତୁରନ୍ତ ବନ୍ଦ ରହିଥିବା ତିନୋଟି ୟୁନିଟକୁ କାର୍ଯ୍ୟକ୍ଷମ କରିବାକୁ ମିଳିତ ମଞ୍ଚ ଦାବି କରିଛି । ସମସ୍ୟାର ସମାଧାନ କରା ନ ଗଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ସେପଟେ କଳିଙ୍ଗନଗର ଏଡିଏମ୍ ସନ୍ତୋଷ କୁମାର ମିଶ୍ର ଦାବି ପତ୍ର ଗ୍ରହଣ କରି ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।

 

Comments are closed.