ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଯାଜପୁର: ସୋମବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର ସମାଧାନ ତ୍ୱରାନ୍ୱିତ ପ୍ରକ୍ରିୟାରେ କରିବାକୁ ପରାମର୍ଶ ଦେଇଥିଲେ । ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଆଇନର ପରିସରରେ ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ସଂପନ୍ନ କରିବା ହେଉଛି ଅଭିଯୋଗ ଶୁଣାଣି ଶିବିରର ଆଭିମୁଖ୍ୟ । ତେଣୁ ପ୍ରତ୍ୟେକ ଦାୟିତ୍ୱର ସହ ଏହାକୁ ନିର୍ବାହ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଶୁଣାଣିରେ ମୋଟ ୧୪୧ ଗୋଟି ଅଭିଯୋଗ ମଧ୍ୟରୁ ୭ ଗୋଟି ସାମୁହିକ, ୩୪ ଗୋଟି ରେଡକ୍ରସ ସହାୟତା ପାଇଁ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୦୮ ଗୋଟି ଆବେଦନ ପତ୍ର ମିଳିଥିଲା । ଆବାସ ଯୋଜନା, ଭା ପ୍ରଦାନ, ଚିକିତ୍ସା ସହାୟତା, ଜମିଜମା ସମ୍ୱନ୍ଧୀୟ, ଇତ୍ୟାଦି ସଂପର୍କରେ ଏହି ଅଭିଯୋଗଗୁଡିକ ପଞ୍ଜିକୃତ ହୋଇଥିଲା । ତତ୍‌କ୍ଷଣାତ୍ ୮୦ ଗୋଟି ଆବେଦନର ସମାଧାନ କରାଯାଇଥିଲା । ଅନ୍ୟ ୧୨ ଗୋଟି ଅଭିଯୋଗର ସମାଧାନ କର୍ତ୍ତୃପକ୍ଷ ଅଧିକାରୀମାନଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଗଲା । ତତ୍ ସହିତ ଆସନ୍ତା ୯ ତାରିଖ ସୋମବାର ଦଶରଥପୁର ବ୍ଳକ କାର୍ଯ୍ୟାଳୟଠାରେ, ୧୭ ତାରିଖ ମଙ୍ଗଳବାର ବଡଚଣା ବ୍ଳକ କାର୍ଯ୍ୟାଳୟଠାରେ, ୨୩ ତାରିଖ ସୋମବାର ବରୀ ବ୍ଳକ କାର୍ୟ୍ୟାଳୟଠାରେ ଏବଂ ୩୧ ତାରିଖ ମଙ୍ଗଳବାର ବ୍ୟାସନଗର ମୁନିସିପାଲଟି କାର୍ଯ୍ୟାଳୟଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜିଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ତିଳେମା ପୃଷ୍ଟି ସୂଚନା ଦେଇଛନ୍ତି ।

ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର., ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ, ଜିଲା ସଂସ୍କୃତି ଅଧିକାରୀ ଦୁର୍ୟ୍ୟୋଧନ ମଲିକ, ଊପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.