ଯାଜପୁର ଜିଲାର ବିଭିନ୍ନସ୍ଥାନରେ ଫିଭର କ୍ଲିନିକର ଶୁଭାରମ୍ଭ

ଯାଜପୁର : ଥଣ୍ଡା, ଜ୍ୱର, କାଶ ଇତ୍ୟାଦି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କର ଚିକିତ୍ସାପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ବିରଜା ଉଚ୍ଚ ବିଦ୍ୟାଳୟ ସମ୍ମୁଖ, ଦେବୀଦ୍ୱାର ପ୍ରାଥମିକ ବିଦ୍ୟାଳୟ, ବ୍ୟାସନଗର ସ୍ଥିତ ଯାଜପୁର ରୋଡ ହସ୍ପିଟାଲ, ଦଶରଥପୁର ସ୍ଥିତ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ରସୁଲପୁରର ମଧୁବନ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଫିଭର କ୍ଲିନିକର ବ୍ୟବସ୍ଥା କରାଯାଇଛି । ଏନେଇ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି । ଶୁକ୍ରବାର ପୂର୍ବାହ୍ନରୁ ଜିଲାର ଏହି ସବୁ ସ୍ଥାନରେ ଫିଭର କ୍ଲିନିକ କାର୍ଯ୍ୟକ୍ଷମ ହୋଇଛି।

ବର୍ଷା ଋତୁ ସମୟରେ ସାଧାରଣତଃ ଥଣ୍ଡା, ଜ୍ୱର, ସର୍ଦ୍ଦି କାଶ ଇତ୍ୟାଦି ବୃଦ୍ଧି ପାଇଥାଏ ।ଏହା ସହ ଚଳିତ ବର୍ଷ କରୋନା ମଧ୍ୟ ପ୍ରଭାବ ବିସ୍ତାର କରିଛି । ତେଣୁ ଥଣ୍ଡା, ଜ୍ୱର ଇତ୍ୟାଦିରେ ପୀଡିତ ଲୋକ ମାନଙ୍କୁ ପ୍ରାଥମିକ ଭାବେ ଚିକିତ୍ସା ଓ ଔଷଧ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଉପରୋକ୍ତ କେନ୍ଦ୍ରରେ ରହୁଥିବା ଚିକିତ୍ସକମାନେ ଆସୁଥିବା ରୋଗୀ ମାନଙ୍କର ଲକ୍ଷଣ ଦେଖି ଔଷଧ ଦେବେ ଓ ଏହା ସଂପୂର୍ଣ୍ଣ ମାଗଣାରେ ସେହି କେନ୍ଦ୍ରରେ ପ୍ରଦାନ କରାଯିବ। ଯାହା ଫଳରେ ମେଡିକାଲ ମାନଙ୍କରେ ଅଯଥା ଭିଡକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଶା ବ୍ୟକ୍ତ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଦେବୀଦ୍ୱାର ପ୍ରାଥମିକ ବିଦ୍ୟାଳୟ ଠାରେ ଏହି ଅସ୍ଥାୟୀ ପିଂଭର କ୍ଳିନିକକୁ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓ ସିଡିଏମ୍ ପିଏଚ୍ଓ ଡା. ସୁଧାଂଶୁ ଶେଖର ବଳ ପ୍ରମୁଖ ଲୋକାର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଏ.ଡି.ଏମ୍.ଓ. ଡା. ଅନୁପ କୁମାର ନାଥଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.