ଦିନ ଦି ପହରେ ଗୋଡ଼ାଇ ଗୋଡ଼ାଇ ଶିକ୍ଷୟିତ୍ରୀଙ୍କୁ ହତ୍ୟା

ବ୍ୟାସନଗର : ଦିନ ଦି ପହରେ ବିଦ୍ୟାଳୟରୁ ଫେରୁଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ଭୁଜାଲିରେ ଗୋଡାଇ ଗୋଡାଇ ହାଣିଛି ଦୁର୍ବୃତ୍ତ। ଘଟଣାସ୍ଥଳରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ଶିକ୍ଷୟିତ୍ରୀଙ୍କୁ ସାଙ୍ଗରେ ନେଇ ଯାଉଥିବା ବାଇକ୍‍ ଚାଳକ ମଧ୍ୟ ଦୁର୍ବୃତ୍ତର ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଖବରପାଇ ଯାଜପୁରରୋଡ ପୁଲିସ ଘଟଣାସ୍ଥଳରୁ ମୃତ ଶିକ୍ଷୟିତ୍ରୀଙ୍କ ଶବ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି। ଏନେଇ ମୃତ ଶିକ୍ଷୟିତ୍ରୀଙ୍କ ଭାଇ ସୂର୍ଯ୍ୟମଣି ଯେନା ଯାଜପୁରରୋଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାରେ ତାଙ୍କ ଭିଣୋଇ ସଂପୃକ୍ତ ବୋଲି ସେ ଏତଲାରେ ଅଭିଯୋଗ କରିଛନ୍ତି। ପୁଲିସ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ସେ ଫେରାର୍‍ ଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ ଚାଲିଛି ଓ ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଠାବ କରାଯିବ ବୋଲି ପୁଲିସ କହିଛି। ମିଳିଥିବା ସୂଚନା ମୁତାବକ ବ୍ୟାସନଗର ପୌର ପରିଷଦ ସାପଗଡିଆ ଗ୍ରାମର ଯୋଗମାୟା ଯେନା (୩୦) ଯାଜପୁରରୋଡ ଥାନା ଅନ୍ତର୍ଗତ ନେଳିବାରୀ ଦାନିଆବର ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ଆଠ ବର୍ଷ ତଳେ ତାଙ୍କର ପୌର ପରିଷଦର ନଟପଡା ଗ୍ରାମର ସୌମ୍ୟରଞ୍ଜନ ମଲ୍ଲିକଙ୍କ ସହ ପ୍ରେମ ବିବାହ ହୋଇଥିଲା। କିଛି ଦିନପରେ ସ୍ୱାମୀ-ସ୍ତ୍ରୀ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିବାରୁ ପରସ୍ପର ଅଲଗା ରହିବା ସହିତ ପରେ ଛାଡପତ୍ର ହୋଇଥିବା ଯୋଗମାୟାଙ୍କ ଭାଇ ସୂର୍ଯ୍ୟମଣି କହିଛନ୍ତି। ଛାଡପତ୍ର ସତ୍ତ୍ବେ ସ୍ୱାମୀ ବାରମ୍ବାର ଭଉଣୀଙ୍କୁ ହଇରାଣ ହରକତ୍‍ କରିଆସୁଥିଲେ। ନିକଟରେ ଯୋଗମାୟାଙ୍କ ବାପଘରେ ପହଞ୍ଚି ତାଙ୍କୁ ଗୁଳି କରି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଗତକାଲି  ବିଦ୍ୟାଳୟ ବନ୍ଦ ଥିବାବେଳେ କୌଣସି କାର୍ଯ୍ୟ ପାଇଁ ଯୋଗମାୟା ସେହି ବିଦ୍ୟାଳୟର ସହକାରୀ ଶିକ୍ଷକ ମୋହିନୀମୋହନ ମୁଦୁଲିଙ୍କ ସହ ବାଇକରେ ଫେରୁଥିବାବେଳେ ମଧ୍ୟାହ୍ନରେ ବ୍ୟାସନଗର ଓ ରାଛିପୁର ରାସ୍ତାର ଖଣ୍ଡାହତା ଶାଳଛକ ନିକଟରେ କେହି ଜଣେ ଦୁର୍ବୃତ୍ତ ଉଭୟଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା। ଅତର୍କିତ ଆକ୍ରମଣରେ ଭୟଭୀତ ହୋଇ ଶିକ୍ଷୟିତ୍ରୀ ଜଣକ ପ୍ରାଣ ବିକଳରେ ବିଲ ଭିତରେ ଦୌଡିଥିଲେ ମଧ୍ୟ ଦୁର୍ବୃତ୍ତ ତାଙ୍କୁ ଗୋଡାଇ ଗୋଡା ପଛପଟୁ ହାଣିଥିଲା। ତାଙ୍କ ହାତ ପାପୁଲି କଟି ଯାଇଥିବାବେଳେ ମୁଣ୍ଡରେ ଏକାଧିକ ଚୋଟ ଲାଗିବା ଫଳରେ ପ୍ରଚୁର ରକ୍ତସ୍ରାବ ହେବାରୁ ଯୋଗମାୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ବୃତ୍ତ ଜଣକ ମଧ୍ୟ ମୋହିନୀମୋହନଙ୍କୁ ଛାଡ଼ିନଥିଲା। ଆକ୍ରମଣରେ ସେ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଖବରପାଇ ଯାଜପୁରରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଯୋଗମାୟାଙ୍କ ଶବ ଜବତ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି। ଏନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇ ଉଭୟ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ଼ ସହ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ତିନିଦିନ ତଳେ ଯାଜପୁର ଜିଲାରେ ପ୍ରେମ ବ୍ୟାପାର ପାଇଁ ଧର୍ମଶାଳା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରାଯାଇଥିବାବେଳେ ପୁଣି ଆଉଜଣେ ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣା ସମଗ୍ର ଜିଲାରେ ଆଲୋଡନ ସୃଷ୍ଟି କରିଛି।

Comments
Loading...