୮ତମ ଯାଜପୁର ଜିଲା ମହୋତ୍ସବ “ଯଯାତି’’ରେ ବଲିଉଡ କଳାକାର

ଯାଜପୁର: ଆସନ୍ତାକାଲି ୮ତମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦ ଉଦଘାଟିତ ହେବ। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଯାଉଥିବା ଏହି ମହୋତ୍ସବକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଉଦଘାଟନ କରିବେ। ଏଥିସହିତ ଜିଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ମଧ୍ୟ ଉପସ୍ଥିତ ରହିବେ। ଉଦଘାଟନି ସଂଧ୍ୟାରେ ବିଶିଷ୍ଟ ବଲିଉଡ ଗାୟକ ସୋନୁ ନିଗମ ଏବଂ ୧୭ତାରିଖରେ ବଲିଉଡର କଣ୍ଠଶିଳ୍ପୀ ନକାସ ଅଜିଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମହୋତ୍ସବର ବିଭିନ୍ନ ସଂଧ୍ୟାରେ ରାଜ୍ୟର ଲୋକକଳା, ଲୋକ ସଂଗୀତକୁ ବିଶେଷ ଗୁରୁତ୍ୱ ଦେବା ସହିତ ଓଲିଉଡ ଓ ବଲିଉଡ କକାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ। ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ସହିତ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ସାଙ୍ଗକୁ ଦୋଳୀ ଓ ମିନାବଜାରର ମଧ୍ୟ ଆୟୋଜନ କରାଯାଇଛି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଜିଲାପାଳ ଓ ଏସପି ବାଳାଶ୍ରମ ପଡିଆକୁ ଯାଇ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବା ପରେ ପ୍ରସ୍ତୁତି ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲା ମହୋତ୍ସବରେ ବଲିଉଡ ଏବଂ ଓଲିଉଡ କଳାକାରମାନଙ୍କୁ ଦେଖିବା ପାଇଁ ଜିଲ୍ଲାବାସୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।

Comments are closed.