ପାକିସ୍ତାନରୁ ଭାରତ ଆସିଥିଲେ ଜେଟଲୀଙ୍କ ପରିବାର; ଯେଉଁଠି ଶରଣ ନେଇଥିଲେ, ସେଇଠୁ ଲଢ଼ିଥିଲେ ପ୍ରଥମ ଓ ଶେଷ ନିର୍ବାଚନ

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ସେ ରାଜନୀତିରେ ଦୀର୍ଘ ସମୟ ରହି ଦେଶ ସେବା କରିବା ସହିତ ଅର୍ଥମନ୍ତ୍ରୀ ଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ତେବେ ତାଙ୍କ ପରିବାର ଥିଲା ପାକିସ୍ତାନର ମୂଳ ବାସିନ୍ଦା। ଦେଶ ବିଭାଜନ ପରେ ଜେଟଲୀଙ୍କ ବାପା ମହାରାଜା କିଶନ ଜେଟଲୀ ପାକିସ୍ତାନରୁ ଭାରତକୁ ପଳାଇ ଆସିଥିଲେ। ଭାରତ ଆସିବା ପରେ ସେ ପଞ୍ଜାବର ଅମୃତସରରେ ଶରଣ ନେଇଥିଲେ।  ସେଠାରେ ସେ କିଛି ମାସ ରହିଥିଲେ। ପୁରୁଣା ସହରର ବଜାର ଫୁଲ୍ଲାଂବାଲାରେ ଜେଟଲୀଙ୍କ ପିଉସୀଙ୍କ ଘର ଥିଲା। ଏଠାରେ ଜେଟଲୀଙ୍କ ବାପା ଏବଂ ତାଙ୍କ ୫ ଭାଇ କିଛି ମାସ ରହିଥିଲେ। ଏଠାରେ ବର୍ତ୍ତମାନ ଜେଟଲୀଙ୍କ ପିଉସୀଙ୍କ ନାତି ନରେନ୍ଦ୍ର ଶର୍ମା ରହୁଛନ୍ତି। ଏହି ବଜାରରେ ଜେଟଲୀଙ୍କ ମାମୁ ମଦନ ତ୍ରିଖାଙ୍କ ଘର ଥିଲା। ଜେଟଲୀଙ୍କ ବାଲ୍ୟାବସ୍ଥା ଅମୃତସରରେ କଟିଥିଲା। ଏଥିପାଇଁ ତାଙ୍କ ରାଜନୈତିକ ଏବଂ ସାମାଜିକ ଜୀବନରେ ଅମୃତସରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି। ଅମୃତସର ସହିତ ତାଙ୍କ ସମ୍ପର୍କ ନିବିଡ଼ ଥିଲା।

୧୯୮୦ରେ ଜେଟଲୀଙ୍କ ବିବାହ କଂଗ୍ରେସର ବରିଷ୍ଠ ନେତା ତଥା ଜାମ୍ମୁ-କାଶ୍ମୀରରେ ଅନେକ ଥର ମନ୍ତ୍ରୀ ରହିଥିବା ଗିରଧାରୀ ଲାଲ ଡୋଗରାଙ୍କ ଝିଅ ସଙ୍ଗୀତା ଓରଫ ଡଲିଙ୍କ ସହିତ ହୋଇଥିଲା। ଅନ୍ୟପଟେ ଜେଟଲୀଙ୍କ ରାଜନୈତିକ ଜୀବନ ଅମୃତସରରୁ ଆରମ୍ଭ ହୋଇଥିଲା ଏବଂ ସେହିଠାରେ ହିଁ ଶେଷ ହୋଇଥିଲା। ପ୍ରଥମ କରି ୨୦୧୪ରେ ସେ ଅମୃତସର ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ଏବଂ ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ କ୍ୟାପଟେନ ଅମରିନ୍ଦର ସିଂହଙ୍କଠାରୁ ପରାଜିତ ହୋଇଥିଲେ।୨୦୧୪ ପୂର୍ବରୁ ସେ କେବେ ସିଧାସଳଖ ନିର୍ବାଚନ ଲଢ଼ି ନ ଥିଲେ। ପୂର୍ବରୁ ସେ ରାଜ୍ୟସଭାକୁ ମନୋନୀତ ହୋଇ ସଂସଦରେ ମନ୍ତ୍ରୀପଦ ପାଇଥିଲେ। ୨୦୧୪ରେ ବିଜେପିର ବରିଷ୍ଠ ନେତାମାନେ ଜେଟଲୀଙ୍କୁ ରାଜସ୍ଥାନର କୌଣସି ଆସନରୁ ନିର୍ବାଚନ ଲଢ଼ିବାକୁ କହିଥିଲେ। କିନ୍ତୁ ଜେଟଲୀ ଅମୃତସରକୁ ବହୁତ ଭଲ ପାଉଥିଲେ। ତେଣୁ ସେ ସେହିଠାରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ହୃଦୟ ବେଶ୍‌ ଉଦାର ଥିଲେ। ସେଥିପାଇଁ ଜେଟଲୀ ଅମୃତସରରୁ ହାରିବା ସତ୍ବେ ଗୁରୁନଗରୀରେ ଆଇଆଇଏମ ପ୍ରତିଷ୍ଠା କରାଇଥିଲେ। ସେହିପରି ଶ୍ରୀ ହରମନ୍ଦିର ସାହିବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ୮୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ।

Comments are closed.