ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଆମେରିକୀୟ ପ୍ରତିପକ୍ଷ ବ୍ଲିଙ୍କେନଙ୍କ ମଧ୍ୟରେ ସାକ୍ଷାତ

କୋଭିଡ ମୁକାବିଲା, ଟିକା ଉତ୍ପାଦନ ଓ ଚିକିତ୍ସା ସାମଗ୍ରୀ ଯୋଗାଣ ସଂପର୍କରେ ଦୁଇପକ୍ଷ ମଧ୍ୟରେ ଆଲୋଚନା

ଲଣ୍ଡନ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନି ବ୍ଲିଙ୍କେନଙ୍କ ମଧ୍ୟରେ ଏଠାରେ ସାକ୍ଷାତ ଆଲୋଚନା ହୋଇଛି। ଜି୭ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବାକୁ ଆସିଥିବା ଅବସରରେ ସୋମବାର ଦିନ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଜୟଶଙ୍କର ସଂପ୍ରତି ଚାରିଦିନିଆ ବ୍ରିଟେନ ଗସ୍ତରେ ଅଛନ୍ତି। ଆମେରିକା ପ୍ରଶାସନ ଭାରତକୁ କୋଭିଡ-୧୯ ବିରୋଧୀ ଲଢେଇ ନିମନ୍ତେ ଯୋଗାଇ ଦେଉଥିବା ସହାୟତା ନିମନ୍ତେ ଜୟଶଙ୍କର ବ୍ଲିଙ୍କେନକୁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଜି୭ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଆଜି ମଙ୍ଗଳବାର ଆରମ୍ଭ ହୋଇଛି। ଦୁଇପକ୍ଷ କୋଭିଡ ମୁକାବିଲା ସହିତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ, ଜଳବାୟୁ ପରିବର୍ତ୍ତନ, ଜାତିସଂଘ ନିରାପତ୍ତା ପରିଷଦ ଏବଂ ମ୍ୟାଁମାର ଆଦି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ। ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ କ୍ଷେତ୍ରରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା ବ୍ଲିଙ୍କେନ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଭାରତ, ଆମେରିକାର ଏକ ଘନିଷ୍ଠ ବନ୍ଧୁ ଓ ସହଯୋଗୀ ରାଷ୍ଟ୍ର। ସେ ଜୟଶଙ୍କରଙ୍କ ସହିତ ସମ୍ମିଳିତ ଭାବରେ କୋଭିଡ ବିରୋଧୀ ଲଢେଇକୁ ଜାରି ରଖିବା ସହିତ ଦୁଇ ରାଷ୍ଟ୍ରର ପରିବ୍ୟାପ୍ତ ବୈଶ୍ୱିକ ରଣକୋୖଶଳାତ୍ମକ ସହଭାଗିତା ସମ୍ପର୍କରେ ଆଲୋଚନା କରିଛନ୍ତି। ଦୁଇଦେଶ ମଧ୍ୟରେ ଅନନ୍ୟ ସହଭାଗିତାକୁ ଅଧିକ ନିବିଡ କରିବାକୁ ସେମାନେ ପ୍ରୟାସୀ ଅଛନ୍ତି।

Comments are closed.