କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ଯୋଗାଣ ଶୃଙ୍ଖଳାର ସ୍ଥିରତା ଉପରେ ଜୟଶଙ୍କରଙ୍କ ଗୁରୁତ୍ୱାରୋପ

କୋଭିଡ ପରବର୍ତ୍ତୀ ସ୍ଥିତିରେ ଯୋଗାଣ ଶୃଙ୍ଖଳର ବିବିଧତା ଓ ପ୍ରତିରୋଧ କ୍ଷମତାର ଆବଶ୍ୟକତା ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍.ଜୟଶଙ୍କର ଗୁରୁତ୍ୱାରୋପ କରିଛନ୍ତି। କୋଭିଡ ପରବର୍ତ୍ତୀ ସ୍ଥିତିରେ ଭାରତର ବୈଦେଶିକ ନୀତି ଉପରେ ଆଲୋକପାତ କରି ସେ ଏହା କହିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ବର୍ତ୍ତମାନ ବିଶ୍ୱକୁ ଅଧିକ ପାରଙ୍ଗମ ତଥା ବିଶ୍ୱାସଯୋଗ୍ୟ ଦେଶ ଆବଶ୍ୟକ, ଯାହାକି ଏହି ସ୍ଥିତିରୁ ମୁକୁଳାଇବା ଦିଗରେ ସହାୟକ ହୋଇପାରିବ। ତେବେ ଭାରତ ନିକଟରେ ଏହି ଦୁଇଟିଯାକ ବିଶେଷତ୍ୱ ରହିଛି।

ସେ କହିଛନ୍ତି, ଭାରତ ସର୍ବଦା ଏହାର ବହୁ ପୁରାତନ ତଥା ସମୃଦ୍ଧ ଚିନ୍ତାଧାରା ‘ବସୁଧୈବ କୁଟୁମ୍ବକମ୍‍’ ଦ୍ୱାରା ପରିଚାଳିତ। ଏପରିକି ମହାମାରୀ ସମୟରେ ମଧ୍ୟ ବିଶ୍ୱର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ହାଇଡ୍ରୋ ଅକ୍ସି କ୍ଲୋରୋକୁଇନ୍‍ ଓ ପାରାସିଟାମଲ୍‍ର ଉତ୍ପାଦନକୁ ତ୍ୱରାନ୍ୱିତ କରିଥିଲା। ବିଶ୍ୱର ପ୍ରାୟ ୧୫୦ଟି ଦେଶକୁ ଅଣବ୍ୟବସାୟିକ ଭିତ୍ତିରେ ଭାରତ ବିଭିନ୍ନ ଔଷଧ ଯୋଗାଇଥିଲା ବୋଲି ଜୟଶଙ୍କର କହିଛନ୍ତି। ଅନ୍ୟପକ୍ଷରେ ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତ ସୀମାରେ ଚୀନ ସହିତ ଦେଖାଦେଇଥିବା ସୀମା ବିବାଦ ଓ ସୀମାପାର ଆତଙ୍କବାଦକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି।

Comments are closed.