ହତ୍ୟାକାରୀ ଜ୍ୱାଇଁକୁ ଆଜୀବନ ଜେଲ ଓ ୨୦ ହଜାର ଜୋରିମାନା

0

ବାଲେଶ୍ୱର: ୨୦୧୩ ମସିହାରେ ନୁରଜାହାନ ବିବି ହତ୍ୟା ମାମଲାର ଅଭିଯୁକ୍ତକୁ ଆଜି ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ଓ ୨୦ହଜାର ଟଙ୍କାରେ ଦଣ୍ଡିତ କରାଯାଇଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବାଲେଶ୍ୱର ଜିଲା ଆଲ୍ଲାଉଦ୍ଦିନ ଖାଁକୁ ୩୦୨ ଦଫାରେ ଏହି ଦଣ୍ଡ ପ୍ରଦାନ କରାଯାଇଛି। ୨୦ହଜାର ଟଙ୍କା ଅନାଦେୟରେ ଅଧିକ ୬ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ଭଦ୍ରକ ଜିଲା ଜଜ୍‌ ସୋଭାନ ଦାସ।
ସୂଚନାଯୋଗ୍ୟ ଯେ, ଆଲ୍ଲାଉଦ୍ଦିନର ପତ୍ନୀ ସଲମା ବିବି ଓ ପୁତ୍ର ସଲ୍ଲାଉଦ୍ଦିନ ନିଜ ମା ନୁରଜାହାନଙ୍କ ପାଖରେ ପୁରୁଣା ବଜାର ଥାନା ଗୌସିୟା ନଗରରେ ରହୁଥିଲେ। ନୁରଜାହାନ ନିଜର ସମସ୍ତ ସମ୍ପତ୍ତିକୁ ନିଜ ନାତି ନାମରେ କରିଦେବାକୁ ଚାହୁଁଥିବା ବେଳେ ଆଲ୍ଲାଉଦ୍ଦିନ ଏହାକୁ ବିରୋଧ କରିବା ସହ ଧମକ ଦେଉଥିଲା। ନୁରଜାହାନ ଏଥିରେ ରାଜି ନ ହେବାରୁ ଆଲ୍ଲାଉଦ୍ଦିନ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା। ନୁରଜାହାନଙ୍କ ଝିଅ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ଆଲ୍ଲାଉଦ୍ଦିନ ତାଙ୍କୁ ମଧ୍ୟ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲା। ମା ଓ ଝିଅ ଉଭୟଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ପରେ ନୁରଜାହାନଙ୍କ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏନେଇ ଆଲ୍ଲାଉଦ୍ଦିନକୁ ଗିରଫ ପରେ ବନ୍ଦୀ ଭାବେ ରଖିଥିଲା। ଆଜି ଭଦ୍ରକ କୋର୍ଟରେ ଏହି ମାମଲାର ବିଚାର କରାଯାଇଥିଲା। ସଲମା ବିବିଙ୍କ ସାକ୍ଷୀଙ୍କ ବୟାନକୁ ଆଧାର କରି ଆଲ୍ଲାଉଦ୍ଦିନକୁ ଦଣ୍ଡିତ କରାଯାଇଛି।

Leave A Reply