ମା’କୁ ଦୁଇ ନାବାଳକ ପୁଅ ହତ୍ୟା ଘଟଣା; ୯ ବର୍ଷ ହେଲା ଜେଲରେ ସଜା କାଟୁଛି ବାପା

ଭୁବନେଶ୍ୱର : ଏୟାରଫିଲ୍ଡ ଥାନା ଅଞ୍ଚଳରେ ମାଆକୁ ଦୁଇ ପୁଅ ହତ୍ୟା ଘଟଣାରେ ଆସିଛି ଆଉ ଏକ ନୂଆମୋଡ଼। ଦୁଇ ଦିନ ଧରି ଦୁଇ ନାବାଳକଙ୍କ ବାପାଙ୍କୁ ଯୋଗାଯୋଗ କରି ନୟାନ୍ତ ହୋଇପଡ଼ିଥିବା କମିସନରେଟ୍‌ ପୁଲିସକୁ ମିଳିଛି ନୂଆ ତଥ୍ୟ। ଦୁଇ ନାବାଳକଙ୍କ ବାପା ନିହାର ରଞ୍ଜନ ପ୍ରଧାନ ଗତ ୯ ବର୍ଷ ହେବ ଏକ ହତ୍ୟା ମାମଲାରେ ପୁରୀ ସର୍କଲ ଜେଲ୍‌ରେ ସଜା କାଟୁଛି। ରାଉଲକେଲାର ଏକ ଘରୋଇ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ। ୨୦୧୧ ମେ ୧୩ରେ ଅମିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ନିହାର ଗୁଳି କରି ହତ୍ୟା କରିଥିଲା। ସେବେଠାରୁ ନିହାର ଜେଲ୍‌ରେ ରହୁଛି। ଗତ କିଛି ବର୍ଷ ତଳେ ଏହି ମାମଲାରେ ନିହାରକୁ ଆଜୀବନ କାରାଦଣ୍ଡ ଜେଲ୍‌ଦଣ୍ଡ ମିଳିଛି। ବିନୋଦିନୀଙ୍କ ମୋବାଇଲ୍‌ ଫୋନ୍‌କୁ ପୁରୀ ଜେଲରୁ କଲ୍‌ ଆସୁଥିବାରୁ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ‌ପୁଲିସ ଏନେଇ ଖୋଳତାଡ଼ କରିବା ପରେ ଶେଷରେ ମୃତ ମହିଳାଙ୍କ ସ୍ବାମୀଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ନିହାର ଜଣେ ପେସାଦାର ଅପରାଧୀ ହୋଇଥିବା ପୁଲିସ ଅନୁମାନ କରୁଛି।
ମଦ ପିଇବାକୁ କେନ୍ଦ୍ର କରି ୨୦୧୧ରେ ବ୍ରହ୍ମଗିରି ଅଞ୍ଚଳର ଅମିତ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ନିହାର ଓ ତା’ର ୧୧ ସହଯୋଗୀ ହତ୍ୟା କରିଥିଲେ। ଏହି ଘଟଣାର ଅଧିକ ଖୋଳତାଡ ଲାଗି କମିସନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ପୁରୀ ଜେଲ୍‌କୁ ଯାଇଛି। ସେଠାରେ ନିହାରକୁ ପଚରାଉଚରା କରି ଫେରିଛି। ସେପଟେ ମା’କୁ ଦୁଇ ନାବାଳକ ପୁଅ ପିଟିପିଟି ମାରିଦେଇଥିବା କଥା ସେମାନେ ପୁଲିସ ନିକଟରେ ସ୍ବାକାର କରିଛନ୍ତି। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା। ଦୁଇ ଭାଇଙ୍କୁ ଶୁକ୍ରବାର ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡକୁ ପଠାଇ ଦିଆଯାଇଛି। ବାଳସୁଧାର ଗୃହରରେ ରହିବା ପରେ ମାନସିକ ଓ ଶାରିରୀକ ଯାଞ୍ଚ କରାଯିବା ସହ କେଉଁ ପରିସ୍ଥିତିରେ ସେମାନେ ତାଙ୍କ ମା’କୁ ହତ୍ୟା କଲେ ସେମାନଙ୍କୁ ପଚରାଉଚରା କରାଯିବ। ଏଥିପାଇଁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡ ଜଣେ ସାଇକୋଲଜିଷ୍ଟସ୍‌ଙ୍କ ପରାମର୍ଶ ନେଇପାରିବେ। ଯଦି ଉଭୟ ଦୋଷୀ ସାବ୍ୟସ୍ତ ହୁଅନ୍ତି ତା’ ହେଲେ ସେମାନଙ୍କୁ ବାଳ ସୁଧାର ଗୃହରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି।

Comments are closed.