ଓୱେସୀଙ୍କ ଶପଥ ଗ୍ରହଣ ବେଳେ ‘ଜୟ ଶ୍ରୀରାମ’ ଓ ‘ବନ୍ଦେ ମାତରମ’ ସ୍ଲୋଗାନରେ କମ୍ପିଲା ଲୋକସଭା

ନୂଆଦିଲ୍ଲୀ : ହାଇଦରାବାଦ ସାଂସଦ ଏବଂ ଅଲ ଇଣ୍ଡିଆ ମଜଲିସ୍‍-ଏ-ଇତିହାଦୁଲ ମୁସ୍ଲିମିନ (ଏଆଇଏମଆଇଏମ) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ ଶପଥ ଗ୍ରହଣ ସମୟରେ ମଙ୍ଗଳବାର ଲୋକସଭା ‘ଜୟ ଶ୍ରୀରାମ’ ଏବଂ ‘ବନ୍ଦେ ମାତରମ’ ସ୍ଲୋଗାନରେ ପ୍ରକମ୍ପିତ ହୋଇଛି। ବିଜେପି ଏବଂ ତାର ସହଯୋଗୀ ଦଳର ସାଂସଦମାନେ ଉପରୋକ୍ତ ସ୍ଲୋଗାନ ଦେଇଥିଲେ। ସୋମବାର ପଶ୍ଚିମବଙ୍ଗ ଟିଏମସି ସାଂସଦଙ୍କ ଶପଥ ଗ୍ରହଣ ବେଳେ ମଧ୍ୟ ଏହି ସ୍ଲୋଗାନ ଦିଆଯାଇଥିଲା। ମଙ୍ଗଳବାର ବିଜେପି ସାଂସଦ ସ୍ଲୋଗାନ ଦେବା ପରେ ଓୱେସୀ ହାତ ଉଠାଇ ଜୋରରେ ସ୍ଲୋଗାନ ଦେବାକୁ ଇଙ୍ଗିତ କରିଥିଲେ।
ମଙ୍ଗଳବାର ସଂସଦ ଅଧିବେଶନର ଦ୍ୱିତୀୟ ଦିନ ଓୱେସି ସାଂସଦ ପଦର ଶପଥ ନେଇଥିଲେ। ଏହି ସମୟରେ ବିଜେପି ନେତୃତ୍ୱାଧୀନ ଏନଡିଏର ସାଂସଦମାନେ ‘ଜୟ ଶ୍ରୀରାମ’, ‘ଭାରତ ମାତା କି ଜୟ’ ଏବଂ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ। ଓୱେସୀ ଶପଥ ଗ୍ରହଣ ଶେଷରେ ଜୟ ହିନ୍ଦ, ଜୟ ଭୀମ, ଜୟ ମୀମ, ଆହ୍ଲା ହୁ ଆକବରର ସ୍ଲୋଗାନଦେଇଥିଲେ। ଶପଥ ଗ୍ରହଣ ପରେ ଓୱେସୀ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମୋତେ ଦେଖି ସେମାନଙ୍କୁ ରାମଙ୍କ ନାମ ମନେପଡିଲା। ଆଶା କରୁଛି ବିଜେପି ଲୋକଙ୍କୁ ସମ୍ବିଧାନ ମନେଥିବ ଓ ମୁଜଫରପୁରରେ ଶିଶୁଙ୍କ ମୃତ୍ୟୁ ବି ମନେପଡିବ।

Comments are closed.