ପଞ୍ଚଭୂତରେ ଲୀନ ହେଲେ ‘ସୁରମା ଭୋପାଲୀ’: ଭିଜା ଆଖିରେ ପରିବାର ସହ ଏହି କଳାକାରମାନେ ଦେଲେ ଅନ୍ତିମ ବିଦାୟ

ମୁମ୍ବଇ: ବୁଧବାର ଦୁନିଆରୁ ବିଦାୟ ନେଇଥିବା ବଲିଉଡ଼ର ପ୍ରସିଦ୍ଧ ହାସ୍ୟାଭିନେତା ଜଗଦୀପଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ମୁମ୍ବଇର ମଝଗାଓଁ ସ୍ଥିତ ଶିୟା କବ୍ରିସ୍ତାନରେ ଗୁରୁବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଜଗଦୀପଙ୍କ ଅନ୍ତିମ ସଂସ୍କାରରେ ତାଙ୍କର ପୂରା ପରିବାର ସାମିଲ ହୋଇଥିଲେ। ପୁଅ ଜାବେଦ ଜାଫରୀ ଓ ତାଙ୍କ ପତ୍ନୀ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଫଟୋରେ ଦେଖିବାକୁ ମିଳିଛି।

କରୋନା କଟକଣାକୁ ଦୃଷ୍ଟରେ ରଖି ଅନ୍ତିମ ସଂସ୍କାରରେ କେବଳ ତାଙ୍କ ପରିବାର ଓ ବଲିଉଡ଼ର କେତେକ ହାତ ଗଣତି ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ। ଏହି ସମୟରେ ଜନୀ ଲିଭରଙ୍କୁ ଜାବେଦଙ୍କ ସହ କଥା ହେଉଥିବା ଦେଖିବାକୁ ମିିଳିଥିଲା।

ସୂଚନାଯୋଗ୍ୟ, ଜଗଦୀପ କର୍କଟ ରୋଗରେ ପୀଡ଼ିତ ଥିଲେ ଓ ବାର୍ଦ୍ଧକ୍ୟଜନିତ ସମସ୍ୟା ସହ ମଧ୍ୟ ଲଢେଇ କରୁଥିଲେ। ବୁଧବାର ରାତି ୮ଟା ୩୦ମି.ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜଗଦୀପ ଅନେକ ହିଟ୍‍ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ‘ଶୋଲେ’ ଚଳଚ୍ଚିତ୍ରର ‘ସୁରମା ଭୋପାଲୀ’ ଚରିତ୍ର ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ। ଜଗଦୀପ ପ୍ରାୟ ୪୦୦ ଫିଲ୍ମରେ କାମ କରିଛନ୍ତି। ଶିଶୁ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ସେ ସମୟରେ ବଲିଉଡ଼ରେ ରାଜ୍‍ କରୁଥିଲେ। ଶମୀ କପୁରଙ୍କ ‘ବ୍ରହ୍ମଚାରୀ’ ଚଳଚ୍ଚିତ୍ରରୁ ତାଙ୍କର ହାସ୍ୟ କଳାକାର ହେବାର ଯାତ୍ରା ଆରମ୍ଭ ହୋଇଥିଲା। ‘ଅନ୍ଦାଜ ଆପନା ଆପନା’ ଚଳଚ୍ଚିତ୍ରରେ ସେ ସଲମାନ ଖାନଙ୍କ ପିତା ଚରିତ୍ରରେ ଅଭିନୟ କରିଥିଲେ।

Comments are closed.