ରାତି ୧ଟାରୁ ଠାକୁରଙ୍କ ସ୍ନାନଯାତ୍ରା ପହଣ୍ଡି : ଦିନ ୧୧ଟାରେ ଦାରୁବ୍ରହ୍ମଙ୍କ ଗଜାନନ ବେଶ

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି

ପୁରୀ : ସ୍ନାନଯାତ୍ରାରେ ରାତି ୧ଟାରୁ ଠାକୁରଙ୍କୁ ପହଣ୍ଡି କରାଯିବ। ଭୋର ୪ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରିବେ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ପ୍ରଭୁଙ୍କୁ ଗଜାନନ ବେଶ କରାଯିବ। ଅପରାହ୍ଣ ୫ଟାରେ ଦାରୁବ୍ରହ୍ମ ସ୍ନାନମଣ୍ଡପରୁ ଫେରିବେ। ବୁଧବାର ଛତିଶା ନିଯୋଗ ବୈଠକରେ ଏଥିନେଇ ସ୍ଥିର କରାଯାଇଛି। ସୀମିତ ସଂଖ୍ୟକ ସେବକଙ୍କୁ ନେଇ ସ୍ନାନଯାତ୍ରା କରାଯିବାକୁ ମତ ପ୍ରକାଶ ପାଇଛି। କରୋନା ଲକ୍ଷଣ ନଥିବା ପାଳିଆ ସେବକ ସ୍ନାନଯାତ୍ରାରେ ଅଂଶଗ୍ରହଣ କରିବେ। ଆଗାମୀ ୩୦ତାରିଖ ଦିନ ପରିଚାଳନା କମିଟି ବୈଠକ ଡକାଯାଇ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ସ୍ନାନଯାତ୍ରା ପୂର୍ବରୁ ସଂପୃକ୍ତ ସେବକଙ୍କ କୋଭିଡ ପରୀକ୍ଷା କରାଯିବା ସହ ନିଜଘରେ ସେମାନେ କ୍ବାରେଣ୍ଟାଇନରେ ରହିବେ। ଠାକୁରଙ୍କ ଜଳଲାଗି ଏବଂ ସ୍ନାନମଣ୍ଡପରେ ସାମାଜିକ ଦୂରତ୍ବ କଟକଣା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଛତିଶା ନିଯୋଗ ବୈଠକରେ ସ୍ନାନଯାତ୍ରା ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ ଦାରୁବ୍ରହ୍ମଙ୍କ ଅନବସର ନୀତି ୧୪ଦିନ ପରିବର୍ତ୍ତେ ୧୫ଦିନ କରାଯିବାକୁ ଦଇତାପତି ନିଯୋଗ ପ୍ରସ୍ତାବ ଦେଇଛି। ତେଣୁ ଠାକୁରଙ୍କୁ ସଅଳ ପହଣ୍ଡି କରାଯିବ। ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କୁ ଭୋର ୪ଟା ସୁଦ୍ଧା ରତ୍ନସିଂହାସନରୁ ସ୍ନାନମଣ୍ଡପରେ ବିଜେ କରାଯିବ। ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଠାକୁରଙ୍କୁ ୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରାଯିବ। ଦିନ ୧୦ଟା ୩୦ରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସ୍ନାନମଣ୍ଡପରେ ଛେରାପହଁରା କରିବେ। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ସ୍ନାନମଣ୍ଡପକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଠାକୁରଙ୍କ ପହଣ୍ଡି ଗୋଷ୍ଠୀଗତ ସେବା ହୋଇଥିବାରୁ ସାମାଜିକ ଦୂରତ୍ବ ପାଳନ କରିବା ସମ୍ଭବପର ନୁହେଁବୋଲି ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି। ପ୍ରସ୍ତୁତ ନୀତିନିର୍ଘଣ୍ଟ ଅନୁଯାୟୀ ସକାଳ ୪ଟା ୩୦ରେ ସ୍ନାନମଣ୍ଡପରେ ଠାକୁରଙ୍କ ମଙ୍ଗଳଆଳତୀ ଅନୁଷ୍ଠିତ ହେବ। ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଜଳଲାଗି କରାଯିବାକୁ ସ୍ଥିର ହୋଇଛି। ଅପରାହ୍ଣ ୫ଟାରୁ ରାତି ୮ଟା ମଧ୍ୟରେ ପ୍ରଭୁଙ୍କ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ। ଚଳିତବର୍ଷ ସାହାଣମେଲା ଦର୍ଶନ ବନ୍ଦପାଇଁ ସ୍ଥିର କରାଯାଇଛି। ସ୍ନାନଯାତ୍ରା ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ କି ନାହିଁ ଲକ୍‌ଡାଉନ ପରବର୍ତ୍ତୀ କଟକଣାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ଗ୍ରହଣ କରାଯିବ। ସେହିପରି ସ୍ନାନଯାତ୍ରା ସହ ସଂପୃକ୍ତ ସେବକ ନିଯୋଗ ଗୁଡିକ ୨ଦିନ ମଧ୍ୟରେ ପାଳିଆ ସେବକଙ୍କ ତାଲିକା ଦେବାକୁ ପରାମର୍ଶ ଦିଆଯାଇଛି। ଏହାଛଡା ରାଜେନ୍ଦ୍ରାଭିଷେକ, ଋକ୍ମିଣୀହରଣ ଏକାଦଶୀ, ଚମ୍ପକଦ୍ବାଦଶୀ, ଦଇତାପତି ପ୍ରବେଶ, ଚାରବନ୍ଧା, ଚତୁର୍ଦ୍ଦଶୀ ସେନାପଟାଲାଗି, ଦଶମୀ ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରାସାଦ ବିଜେ, ଘଣାଲାଗି, ନେତ୍ରୋତ୍ସବ ଏବଂ ନବଯୌବନ ଦର୍ଶନ ପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଲାପାଳ ବଲୱନ୍ତ ସିଂହ, ଏସ୍‌ପି ଡଃ ଉମାଶଙ୍କର ଦାଶ, ପ୍ରଶାସକ (ନୀତି) ଜୀତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ସେଥିରେ ଉପସ୍ଥିତ ଥିଲେ। ଆଗାମୀ ଜୁନ୍‌ ୫ତାରିଖ ଦିନ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ନୀତି ଅନୁ​‌ଷ୍ଠିତ ହେବ।

Comments
Loading...