ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଘରୋଇ ବ୍ୟାଙ୍କରେ ରହିବନି ଶ୍ରୀଜଗନ୍ନାଥଙ୍କ ଟଙ୍କା

ପୁରୀ : ଏଣିକି କେବଳ ଜାତୀୟକରଣ ବ୍ୟାଙ୍କରେ ରଖାଯିବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅର୍ଥ। ଘରୋଇ ବ୍ୟାଙ୍କରେ ରହିଥିବା ୬ଶହ କୋଟି ଟଙ୍କା ଅନ୍ୟ ବ୍ୟାଙ୍କକୁ ସ୍ଥାନାନ୍ତର କରାଯିବ। ଅଧିକ ସୁଧ ଦେବାକୁ ଇଚ୍ଛୁକ ବ୍ୟାଙ୍କ ଗୁଡିକୁ ଏ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବ। ଶ୍ରୀଜୀଉଙ୍କ କର୍ପସ ଫଣ୍ଡ ଏବଂ ସ୍ଥାୟୀଜମା ସମ୍ପର୍କରେ ସରକାରୀ ନିର୍ଦେଶନାମା ପାଳନ କରାଯିବ। ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ଅଧିକାଂଶ ସଭ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ ଭବିଷ୍ୟତରେ ନକରିବାକୁ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖାଯିବାକୁ ସ୍ଥିର କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ପଥରଖଣିଗୁଡିକୁ ନିଲାମ କରିବା ପାଇଁ ଓଡ଼ିଶା ଖଣି ନିଗମ ସହ ବୁଝାମଣା କରାଯିବ। ଦେଶର ବିଭିନ୍ନ ସ୍ଥାନରେ ରହିଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହଜାର ହଜାର ଏକର ଜମି ପୁନରୁଦ୍ଧାର ପାଇଁ ରାଜସ୍ବ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଶ୍ରୀଜୀଉଙ୍କ ଆଗାମୀ ନାଗାର୍ଜୁନ ବେଶପାଇଁ ଖୁବ୍‌ଶ୍ରୀଘ୍ର ପ୍ରସ୍ତୁତି ବୈଠକ ଡକାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ଇଜିରାମାହାଲ ଗୁଡିକର ନିଲାମ ସମ୍ପର୍କରେ ମନ୍ଦିର ପ୍ରଶାସନ ସମୀକ୍ଷା କରିବ। ଭକ୍ତମାନେ ଇଜିରା ଆଦାୟକାରୀଙ୍କ ଦ୍ବାରା ଯେପରି ଶୋଷଣର ଶିକାର ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀ କୁମାର କହିଛନ୍ତି। କେତେକ ପରିଚାଳନା କମିଟି ସଭ୍ୟ ବୈଠକରେ ଏହି ପ୍ରସଙ୍ଗ ଉଠାଇ ଇଜିରାମାହାଲ ନିଲାମ ବନ୍ଦପାଇଁ ପରାମର୍ଶ ଦେଇଥିଲେ। ସେବକ କଲ୍ୟାଣ ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ସହ ସହାୟତା ରାଶି ବୃଦ୍ଧିପାଇଁ ବୈଠକରେ ସ୍ଥିର କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଭିତ୍ତିକରି ଶ୍ରୀଜୀଉଙ୍କ ଶୃଙ୍ଖଳିତ ଦର୍ଶନ, ଦାନଦକ୍ଷିଣା ଆଦାୟ, ମହାପ୍ରସାଦ ଦର ନିର୍ଦ୍ଧାରଣ ଏବଂ ଶ୍ରଦ୍ଧାଳୁଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବା ନିମନ୍ତେ ସ୍ଥିର କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷପାଇଁ ଖୁବ୍‌ଶୀଘ୍ର ବଜେଟ ପ୍ରସ୍ତୁତ କରାଯାଇ ଅର୍ଥ ସବ୍‌କମିଟି ବୈଠକରେ ଉପସ୍ଥାପନ କରାଯିବ। ବିଜୁ ସ୍ବାସ୍ଥ୍ୟବୀମା ଯୋଜନା ପରି ଶ୍ରୀମନ୍ଦିର ସେବକଙ୍କୁ ୫ଲକ୍ଷ ଟଙ୍କାର ବୀମା ପ୍ରଦାନ ପାଇଁ ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିଛି। ଶ୍ରୀଜୀଉଙ୍କ ସେବାପୂଜାରେ ବିଶୃଙ୍ଖଳିତ ଆଚରଣ ପାଇଁ କଠୋର ପଦକ୍ଷେପ ଗ୍ରହଣ ନିମନ୍ତେ ସହମତି ପ୍ରକାଶ ପାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆଉ ଏକ ସତ୍ୟପାଠ ଦାଖଲ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି। ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବାକୁ ସ୍ଥିର ହୋଇଛି। ଅଦିନିଆ ରଥଯାତ୍ରା ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଏବଂ ଶାସ୍ତ୍ର ବିରୋଧୀ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଶ୍ରୀମନ୍ଦିର ରୋଷଶାଳା ମରାମତି ଏବଂ ମହାପ୍ରସାଦ ପ୍ରସ୍ତୁତିରେ ଶୃଙ୍ଖଳା ଆଣିବା ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଏତଦ୍‌ବ୍ୟତୀତ ସେବକ ଗୁରୁକୁଳ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରାଯାଇଛି। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଅତିରିକ୍ତ ଏସ୍‌ପି ଅମୂଲ୍ୟ କୁମାର ଜେନା, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅଧୀକ୍ଷକ ଡଃ ଅରୁଣ କୁମାର ମଲିକ, ପରିଚାଳନା କମିଟି ସଭ୍ୟ ରାମଚନ୍ଦ୍ର ଦାସମହାପାତ୍ର, ବାବା ସଚ୍ଚିଦାନନ୍ଦ ଦାସ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ମହାପାତ୍ର, ମାଧବ ପୂଜାପଣ୍ଡା, ଅନନ୍ତ ତିଆଡି, ଡଃ ସିଦ୍ଧେଶ୍ବର ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Comments are closed.