ରାତି ୨ଟାରୁ ଦର୍ଶନଦେବେ ମହାପ୍ରଭୁ

0

ପୁରୀ : ନୂଆବର୍ଷରେ ଜାନୁଆରୀ ୧ ତାରିଖ ରାତି ୨ଟାରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ପ୍ରାୟ ୫ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନରୁ ନୂଆବର୍ଷ ଆରମ୍ଭ କରିବେ। ଶ୍ରୀମନ୍ଦିରରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଭକ୍ତମାନେ ସିଂହଦ୍ବାର ସମ୍ମୁଖ ବ୍ୟାରିକେଡ ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ। ଦର୍ଶନ ପରେ ଉତ୍ତରଦ୍ବାର, ପଶ୍ଚିମଦ୍ବାର ଏବଂ ଦକ୍ଷିଣଦ୍ବାର ଦେଇ ବାହାରିବେ। ନାଟମଣ୍ଡପ ତଥା ଜଗମୋହନରେ ଭିଡ ନିୟନ୍ତ୍ରଣ ପାଇଁ ପୁଲିସ କ୍ଲିୟରାନ୍ସ ଦଳ ମୁତୟନ କରାଯିବ। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଅଞ୍ଚଳ ସମ୍ପୂର୍ଣ୍ଣ ଅବରୋଧମୁକ୍ତ କରିବା ପାଇଁ ସ୍ଥିର କରାଯାଇଛି।
ଶ୍ରୀଜୀଉଙ୍କ ପହିଲିଭୋଗ ନୀତି ଚାଲିଥିବାରୁ ଦିନ ୧୧ଟା ସୁଦ୍ଧା ଯେପରି ଭକ୍ତମାନେ ମହାପ୍ରସାଦ ପାଇବେ ସେଥିପାଇଁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଭକ୍ତଙ୍କୁ ମେଟାଲ ଡିଟେକ୍ଟର ମାଧ୍ୟମରେ ଯାଞ୍ଚ କରାଯିବ। ମନ୍ଦିର ଭିତରକୁ ମୋବାଇଲ ଫୋନ ଏବଂ କ୍ୟାମେରା ନେବାକୁ ଅନୁମତି ଦିଆଯିବ ନାହିଁ। ଡିସେମ୍ବର ୩୧ ଏବଂ ଜାନୁଆରୀ ୧ତାରିଖ ଦିନ ମନ୍ଦିର ଖୋଲିବାଠାରୁ ଠାକୁରଙ୍କ ରାତିପହୁଡ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମୁଖ୍ୟ ପ୍ରଶାସକ, ଜିଲାପାଳ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି, ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୨୦ ପୁଲିସ ଅଧିକାରୀ ମନ୍ଦିର ଭିତରେ ରହି ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ କରିବେ। ଭକ୍ତଙ୍କ ସୁରକ୍ଷା ଏବଂ ଗହଳି ନିୟନ୍ତ୍ରଣ ପାଇଁ ୨୫ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ। ମରିଚିକୋଟ୍‌ ଛକଠାରୁ ସିଂହଦ୍ବାର ଆଡକୁ କୌଣସି ଚାରିଚକିଆ ଗାଡ଼ି କିମ୍ବା ଅଟୋରିକ୍ସା ଯିବାକୁ ଅନୁମତି ଦିଆଯିବ ନାହିଁ। ମନ୍ଦିର ଚାରିପଟେ ପୌରସଂସ୍ଥା ପକ୍ଷରୁ ସ୍ବତନ୍ତ୍ର ପରିମଳ ବ୍ୟବସ୍ଥା କରାଯିବ। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ, କୁଇକ୍‌ ଆକ୍ସନ ଟିମ ପ୍ରସ୍ତୁତ ହୋଇ ରହିବେ। ନିରବଚ୍ଛିନ୍ନ ବିଦ୍ୟୁତ ଓ ପାନୀୟଜଳ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

Leave A Reply