ପ୍ରଥମ ପାଳିର ପ୍ରଥମବର୍ଷ ପୁରଣ କଲେ ଜଗନ୍ନାଥ

ପାଟଣା : ଗତ ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲା ରାଜନୀତିରେ ପ୍ରଥମ ପଦାର୍ପଣରେ ଦୁଇଜଣ ନେତ୍ରୀ ଓ ଜଣେ ନେତା ବାଜିମାତ କରିଥିଲେ । ଏହି ତିନିଜଣ ଶାସକ ବିଜୁ ଜନତା ଦଳରୁ ହିଁ ଥିଲେ । କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମ୍ମୁ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଓ ପାଟଣା ବିଧାୟକ ଭାବେ ଜଗନ୍ନାଥ ନାଏକ ପ୍ରଥମ ପଦାର୍ପଣରେ ବିଜୟର ସ୍ୱାଦ ଚାଖିବା ସହ ପ୍ରଥମଥରର ପ୍ରତିନିଧି ଭାବେ ଏହି ତିନି ନେତା ନେତ୍ରୀ ଇତି ମଧ୍ୟରେ ନିଜ ନିଜ ପଦବୀର ବର୍ଷକ ର ଖଟାମିଠା ସ୍ୱାଦ ଚାଖି ସାରିଲେଣି । ଇତି ମଧ୍ୟରେ ଯୁବନେତା ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କର ଏହି ବର୍ଷକ ମଧ୍ୟରେ ବିଧାୟକ ଜୀବନର କେତେ ସଫଳତା ପାଇଛନ୍ତି ଓ ସଫଳତା ପାଇବାକୁ ଲକ୍ଷ୍ୟ ରଖିଛନ୍ତି , ଜନସାଧାରଣଙ୍କର କେଉଁ ବୃହତ ସ୍ୱାର୍ଥ ପୁରଣ କରିବାରେ ସେ ସଫଳ ହୋଇଛନ୍ତି ଓ ଦଳ ପାଇଁ କେତେ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି ତାହାର ଏକ ତୁଳନାତ୍ମକ ସମୀକ୍ଷା ଆମେ କରିଥିଲୁ । ତେବେ ମାତ୍ର ବର୍ଷକ ମଧ୍ୟରେ ବିଧାୟକ ଜଗନ୍ନାଥ ନାଏକଙ୍କ ସଫଳତା ହାର ନିରୁତ୍ସାହଜନକ ନଥିବା ଜଣାପଡିଛି ।

ପ୍ରମୁଖ ସଫଳତା ମଧ୍ୟରେ ଦଳୀୟ ସଭ୍ୟ ସଂଗ୍ରହ ଅଭିଯାନରେ ଜିଲ୍ଲାର ୬ ଗୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରେ ସେ ୬୩ ହଜାର ସଭ୍ୟ ସଂଗ୍ରହ କରି ଘଷିପୁରା ପଛକୁ ପାଟଣାକୁ ଦ୍ୱିତୀୟ ସ୍ଥାନରେ ରଖାଇପାରିଛନ୍ତି । ଦ୍ୱିତୀୟ ପ୍ରମୁଖ ସଫଳତା ମଧ୍ୟରେ ଗୋଡିପୋଖରୀ ଗ୍ରାମରେ ଏକ ବିଦ୍ୟୁତ ଗ୍ରୀଡ ପ୍ରତିଷ୍ଠା ର ବ୍ୟବସ୍ଥା କରିଥିବା ବେଳେ ପାଟଣା ମୁଖ୍ୟାଳୟ ବାସୀଙ୍କୁ ବିଦ୍ୟୁତ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଟିକିରା ଗ୍ରୀଡରୁ ପାଟଣାକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ଥିବା ସମସ୍ୟାକୁ ସମାଧାନ କରି କାମକୁ ଆଗେଇ ନେଉଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ ରକ୍ତଦାନ ଶିବିର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆଠଟି ସ୍ଥାନରେ ଆୟୋଜନ କରି ଓଡିଶା ରକ୍ତ ଭଣ୍ଡାରକୁ ୩ ଶହ ୟୁନିଟ ଯାଏ ରକ୍ତ ଦେଇଛନ୍ତି । ସାହାରପଡାରେ ବସଷ୍ଟାଣ୍ଡ, ପାଟଣା, ସାହାରପଡା, ଉଖୁଣ୍ଡା. ଘୋଳକୁଣ୍ଡ, ରାଇଡିହା ଓ ବାଇକଳା ଡାକ୍ତରଖାନାର ଉନ୍ନତିକରଣ ପାଇଁ ବିଧାୟକଙ୍କ ହାତପାଣ୍ଠିରୁୁୁୁ ୫ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ବରାଦ କରିଛନ୍ତି । ସେହିପରି ବସଷ୍ଟାଣ୍ଡ ଠାରୁ ଗ୍ରାମାଂଚଳ ଯାଏ ପାନୀୟଜଳ ସମସ୍ୟାର ନିରାକରଣ ପାଇଁ ପାନୀୟଜଳ ପ୍ରକଳ୍ପ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ପାଟଣାବାସୀଙ୍କ ପ୍ରମୁଖ ଦାବି ମଧ୍ୟରେ ପାଟଣାରେ ସବରେଜିଷ୍ଟ୍ରି ଅଫିସ ଓ ସବ ଟ୍ରେଜେରୀ ଅଫିସ ସ୍ଥାପନ, ସାହାରପଡା ଫାଣ୍ଡିକୁ ଥାନା ମାନ୍ୟତା ଦିଆଯିବା ପ୍ରସଙ୍ଗରେ ବିଧାନସଭାରେ ସ୍ୱର ଉଠାଇଛନ୍ତି । ଜଣେ ବିଧାୟକ ହିସାବରେ ସେ ରାଜ୍ୟ ସରକାରଙ୍କ ସହଯୋଗରେ ପାଟଣାକୁ ଏକ ଅଗ୍ରଣୀ ନିର୍ବାଚନ ମଣ୍ଡଳୀରେ ପରିଣତ କରିବା ସ୍ୱପ୍ନ ନେଇ ଆଗକୁ ପାଦ ପକାଇଛନ୍ତି । ବିଧାୟକ ଜୀବନର ସ୍ୱଳ୍ପ ଅବଧିରେ ଅଂଚଳବାସୀଙ୍କ ଆବଶ୍ୟକତା ପୁରଣ ପାଇଁ ଯଥେଷ୍ଟ ସମୟ ଦେବା ସହ ପରିଶ୍ରମ କରି ଆସୁଛନ୍ତି ବୋଲି ବିଧାୟକ ଜଗନ୍ନାଥ ନାଏକ ଆମ ପ୍ରତିନିଧିଙ୍କୁ କହିଛନ୍ତି ।

Comments are closed.