ଜଗନ୍ନାଥଙ୍କ ତୁଳସୀ ସେବାରେ ରାମଶରଣ

ଭୁବନେଶ୍ୱର : କରୋନା କଟକଣା ଭିତରେ ପବିତ୍ର ରଥଯାତ୍ରା ଅବସରରେ ସନ୍ଥ ରାମ ଶରଣ ଦାସ(ତୁଳସୀ ବାବା) ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଭୁବନେଶ୍ୱରରୁ ପ୍ରତ୍ୟହ ତୁଳସୀ ନେଇ ଯାଉଛନ୍ତି। ସଟ୍‌ଡାଉନ୍‌ ଯୋଗୁଁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁମାନେ ଯାଇପାରୁ ନଥିବାରୁ ଠାକୁରଙ୍କ ପୂଜା ପାଇଁ ଫୁଲ ଓ ତୁଳସୀ ନିଅଣ୍ଟ ପଡୁଛି। ଗତ ୨୧ବର୍ଷ ଧରି ତୁଳସୀ ବାବା ରାଜଧାନୀର ଆଖ ପାଖ ଅଞ୍ଚଳରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କଠାରୁ ତୁଳସୀ ସଂଗ୍ରହ କରି ଶ୍ରୀମନ୍ଦିରରେ ପହଞ୍ଚାଇବା ସେବାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି। କରୋନା କଟକଣା ଭିତରେ ପ୍ରତିଦିନ ତୁଳସୀ ନେଇ ନିଜ ଗାଡ଼ିରେ ପହଞ୍ଚାଉଛନ୍ତି। ଏହି କାର୍ଯ୍ୟ ପାଇଁ ଶ୍ରଦ୍ଧାଳୁମାନେ ରାମ ଶରଣଙ୍କୁ ତୁଳସୀ ବାବା ବୋଲି ସମ୍ବୋଧନ କରିଥାନ୍ତି। ରାମ ଶରଣଙ୍କ କହିବା ଅନୁଯାୟୀ ଗାଡ଼କଣର ଅଭିରାମ ପଣ୍ଡା, ୮ ନମ୍ବରର ଭବାନୀ କୁମାରୀ ମହାପାତ୍ର, ନୂଆପଲ୍ଲୀର ଭାସ୍କର ନନ୍ଦଙ୍କ ଭଳି ବହୁ ଶ୍ରଦ୍ଧାଳୁ ନିଜ ବାଡ଼ିରୁ ତୁଳସୀ ସଂଗ୍ରହ କରି ରଖିଥାନ୍ତି। ଭୁବନେଶ୍ୱରସ୍ଥିତ ଜଗନ୍ନାଥଙ୍କ ହୁଣ୍ଡି ପାଖରୁ ମଧ୍ୟ ପ୍ରତିଦିନ ତୁଳସୀ ଓ ଫୁଲ ଯେଉଁ ଶ୍ରଦ୍ଧାଳୁ ଦେଉଛନ୍ତି ତାହା ଶ୍ରୀକ୍ଷେତ୍ରରେ ପହଞ୍ଚାଇ ଠାକୁରଙ୍କ ସେବାରେ ନିଜକୁ ସମର୍ପିତ କରିଛନ୍ତି ବୋଲି ତୁଳସୀ ବାବା କହିଛନ୍ତି।

Comments are closed.