ନିତି ଆୟୋଗ ଭିଜନ-୨୦୩୫ ଡକ୍ୟୁମେଣ୍ଟ କମିଟିରେ ଜଗଦାନନ୍ଦ

ଭୁବନେଶ୍ୱର: ନିତି ଆୟୋଗ ୨୦୩୫ ମସିହା ଭିଜନ ଡ଼କୁମେଣ୍ଟ ପ୍ରସ୍ତୁତି ପାଇଁ ଗଠିତ ଡ଼୍ରାଫ୍ଟିଂ କମିଟିର ଜଣେ ବି​‌ଶେଷଜ୍ଞ ସଦସ୍ୟ ଭାବେ ଓଡ଼ିଶାର ଜଣାଶୁଣା ସମାଜସେବୀ ଜଗଦାନନ୍ଦ ମନୋନୀତ ହୋଇଛନ୍ତି। ଦେଶର ନିରନ୍ତର ବିକାଶ ସାଧନ, ଯୋଜନାର ନିତି ନିର୍ଦ୍ଧାରଣ ଓ ସଫଳ କାର୍ଯ୍ୟକାରିତା ଦିଗରେ ନିତି ଆୟୋଗ କାର୍ଯ୍ୟ କରିଆସୁଛି। ୨୦୩୫ ମସିହାରେ ଦେଶର ବିକାଶ ରୂପରେଖ ଉପରେ ପର୍ଯ୍ୟବସିତ ଭିଜନ ଡ଼କୁମେଣ୍ଟ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ସଠିକ ରୂପାୟନ, ଯୋଜନା କାର୍ଯ୍ୟକାରୀ କରିବାରେ ଥିବା ସମସ୍ୟା ଦୂର କରିବା ଏବଂ ବିକାଶ କ୍ଷେତ୍ରରେ ପଛୁଆ ଥିବା ଦେଶର ୧୧୭ଟି ଆକାଂକ୍ଷୀ ଜିଲାଗୁଡ଼ିକର ନିରନ୍ତର ବିକାଶ ଦିଗରେ ଏହି ଡ଼କୁମେଣ୍ଟ ବିଶେଷ ଉପାଦେୟ ହେବ। ଭିଜନ ଡ଼କୁମେଣ୍ଟ-୨୦୩୫ରେ ‘ଜାତୀୟ ବିକାଶ କାର୍ଯ୍ୟକ୍ରମରେ ସାମାଜିକ ଅନୁଷ୍ଠାନଗୁଡ଼ିକର ଭୂମିକା ତଥା ସହଭାଗିତା’ ସଂକ୍ରାନ୍ତ ଏକ ସ୍ବତନ୍ତ୍ର ନିବନ୍ଧ ପ୍ରସ୍ତୁତି ପାଇଁ ଜଗଦାନନ୍ଦଙ୍କୁ ଦାୟିତ୍ବ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଜଗଦାନନ୍ଦ ୨୦୧୮ ମସିହାଠାରୁ ନିତି ଆୟୋଗ ସିଭିଲ ସୋସାଇଟି ୱାର୍କିଂ କମିଟିର ସଦସ୍ୟ ଭାବେ ନିରନ୍ତର କାର୍ଯ୍ୟ କରିବା ସହ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଅନୁଦାନରେ ସ୍ବଚ୍ଛତା, କ୍ରିୟାନୁଶୀଳତା ପାଇଁ ଏକ ରିପୋର୍ଟ ମଧ୍ୟ ‌ପ୍ରସ୍ତୁତ କରୁଛନ୍ତି। ଜଣେ ସ୍ବନାମଧନ୍ୟ ସାମାଜିକ କର୍ମୀ ଭାବେ ପରିଚିତ ଜଗଦାନନ୍ଦ ପୂର୍ବରୁ ରାଜ୍ୟ ସୂଚନା କମିଶନର ଓ ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ଦ୍ବାରା ପ୍ରତିଷ୍ଠିତ ସିୱାଇଏସଡ଼ି ଦେଶର ଏକ ପ୍ରମୁଖ ସାମାଜିକ ସଙ୍ଗଠନ ଭାବେ ଗ୍ରାମୀଣ ତଥା ଆଦିବାସୀ ଅଞ୍ଚଳ ବିକାଶ ପାଇଁ ତୃଣମୂଳ ସ୍ତରରେ ଯୋଜନାର ରୂପାୟନ ଓ ନୀତି ନିର୍ଦ୍ଧାରଣ ଦିଗରେ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟର ଅବଦାନ ପାଇଁ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ବେଶ ଆଦୃତ ହୋଇପାରିଛି।

Comments are closed.