୨ଲକ୍ଷ ଭୂମିହୀନଙ୍କୁ ଦିଆଯିବ ଜମିପଟ୍ଟା : ମୁଖ୍ୟମନ୍ତ୍ରୀ

0

ପୁରୀ : ସହରାଞ୍ଚଳର ଝୁମ୍ପୁଡ଼ିବସ୍ତିରେ ବାସ କରୁଥିବା ୨ଲକ୍ଷ ଭୂମିହୀନ ପରିବାରକୁ ଦିଆଯିବ ଜମିପଟ୍ଟା। ଗରିବଙ୍କ ମୁହଁରେ ହସ ଫୁଟାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ପୁରୀ ନୋଳିଆ ବସ୍ତିର ଲୋକଙ୍କୁ ଦେଖି ଏହି ଯୋଜନା ତାଙ୍କ ମନକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ପୁରୀ ତାଳବଣିଆରେ ଜାଗା ମିଶନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ୧୦ହଜାର ବସ୍ତିବାସିନ୍ଦାଙ୍କୁ ଉଦ୍‍ବୋଧନ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ ଶହ ଶହ ବର୍ଷଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଗରିବ ବସ୍ତିବାସିନ୍ଦାଙ୍କ ପାଖରେ ନିଜସ୍ୱ ଜମି ଖଣ୍ଡେ ନାହିଁ। ଗରିବଙ୍କ ଖୁସିରେ ମୁଁ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଲେ ଏ ଦିଗରେ ମୋର ଉଦ୍ୟମ ଜାରି ରହିବ। ସାରା ଦେଶରେ ଏହା ଏକ ନୂଆ ଅଭିଯାନ। ପୁରୀର ୨୨ଟି ବସ୍ତିର ୬୫୦୦ ପରିବାରକୁ ଜମିପଟ୍ଟା ଦିଆଯାଇଛି। ରାଜ୍ୟର ୨ହଜାର ବସ୍ତିରେ ଥିବା ୨ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯାଇ ଜମିପଟ୍ଟା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗରିବ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଜାଗା ମିଶନ କାର୍ଯ୍ୟକ୍ରମରେ ରାଜ୍ୟର ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଞ୍ଚଳରେ ବସବାସ କରୁଥିବା ୧୮ଲକ୍ଷ ବସ୍ତିବାସିନ୍ଦା ଉପକୃତ ହେବେ। ଜାଗା ସହିତ ସେମାନଙ୍କୁ ଘର, ପାଇପ୍‍ ଜଳ, ଆଲୋକ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଯୋଗାଇ ଦିଆଯିବ। ଗୁରୁବାର ୮ଟି ଜିଲାରେ ଜାଗା ମିଶନ କାର୍ଯ୍ୟ ଆରମ୍ଭ କରିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି। ଟିଟିଲାଗଡ଼ରୁ ହରିଦ୍ୱାର ଏବଂ ଋଷିକେଶ ଅଭିମୁଖେ ତୀର୍ଥଯାତ୍ରାରେ ଯାଉଥିବା ବରିଷ୍ଠ ନାଗରିକଙ୍କୁ ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି।
ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପଟ୍ଟାବଣ୍ଟନ ଉତ୍ସବରେ ସଭାପତିତ୍ୱ କରିଥିଲେ। ସେ କହିଲେ ରାଜ୍ୟ ସରକାରଙ୍କ ଏହି ଯୋଜନା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଉଦାହରଣ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ୧୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ ସମାଜ ଗଠନ ଓ ସଭ୍ୟତାର ମାପକାଠି ହେଉଛି ଏହାର ଭିତ୍ତିଭୂମି। ଶ୍ରମିକ ଶ୍ରେଣୀର ବିକାଶ ପ୍ରକୃତ ବିକାଶ। ଜାଗା ମିଶନ ସେଥିରେ ସହାୟକ ହୋଇପାରିବ। ପୁରୀ ସହରର ୨୦ହଜାର ବସ୍ତିବାସିନ୍ଦା ଜାଗା ମିଶନରୁ ଉପକୃତ ହେବେ। କୃଷି, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ରାଜ୍ୟର ଭୂମିହୀନ ଗରିବ ବସ୍ତିବାସିନ୍ଦା ଜମି ଅଧିକାର ପାଇଛନ୍ତି। ରାଜ୍ୟ ସରକାରଙ୍କ ଏହା ଏକ ଐତିହାସିକ ନିଷ୍ପତ୍ତି। ପୁରୀ ସାଂସଦ ପିନାକୀ ମିଶ୍ର କହିଲେ ବିଜୁବାବୁଙ୍କ ସ୍ୱପ୍ନ ସାକାର ହୋଇଛି। ସହରାଞ୍ଚଳର ଝୁମ୍ପଡ଼ି ବସ୍ତିରେ ବାସ କରୁଥିବା ଗରିବ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ବିଜୁବାବୁ ସ୍ୱପ୍ନ ଦେଖିଥିଲେ। ଜଗତସିଂହପୁର ସାଂସଦ ଡ. କୁଳମଣି ସାମଲ, ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ଜିଲାପାଳ ଜ୍ୟୋତିପ୍ରକାଶ ଦାସ ମଞ୍ଚାସୀନ ଥିଲେ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶାସନ ସଚିବ ଜି. ମାଥିଭାଥନନ୍‍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଆରକ୍ଷୀ ଅଧୀକ୍ଷକ ଡା. ସାର୍ଥକ କୁମାର ଷଡ଼ଙ୍ଗୀ, ଜିଲା ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଡ. ଉଦ୍ଧବ ଚନ୍ଦ୍ର ମାଝି, ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ ଏବଂ ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ସଭାରେ ଉପସ୍ଥିତ ଥିଲେ।

Leave A Reply