୫ ବର୍ଷ ପରେ କନ୍ଧମାଳ ଫେରିଲା ‘ଜଗା’

ସ୍ବତନ୍ତ୍ର ୱାର୍ଡରେ ଭର୍ତ୍ତି

କଟକ/ଫୁଲାବଣୀ : ଦୀର୍ଘ ୫ ବର୍ଷ ପରେ ଜଗା ଫେରିଛି କନ୍ଧମାଳକୁ। ଗଲା ବେଳେ ସାଙ୍ଗରେ ଥିବା ଯାଆଁଳା ଭାଇ ବଳିଆ ଆଜି ତା ସାଙ୍ଗରେ ଫେରିନାହିଁ। ନିଜ ମା’ଙ୍କ ସହିତ ଏକୁଟିଆ କନ୍ଧମାଳକୁ ଫେରିଛି ଜଗା। ସୋମବାର ସକାଳୁ ଫୁଲବାଣୀରୁ ଯାଇଥିବା ଏକ ସ୍ୱତନ୍ତ୍ର ମେଡିକାଲ ଟିମ ଜଗାକୁ କଟକରୁ ନେଇ ଫେରିଛନ୍ତି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ। ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟର ଏକ ସ୍ୱତନ୍ତ୍ର କ୍ୟାବିନରେ ରଖାଯାଇଛି। ଏକଦା କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ଯୋଡାମୁଣ୍ଡ ଶିଶୁଙ୍କୁ ଏମସ୍‌ର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରିଥିଲେ।
ଫୁଲବାଣୀରୁ ଆସିଥିବା ସ୍ବତନ୍ତ୍ର ଡାକ୍ତରୀ ଦଳ ସହ ବଡ଼ ମେଡିକାଲ କର୍ତ୍ତୃପକ୍ଷଙ୍କର ଆଲୋଚନା ହୋଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି। ଜିଲାପାଳ ଏବଂ ଏନଏଚଏମ ନିର୍ଦେଶକଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁମତି ଆସିବା ପରେ ଜଗାକୁ ଫୁଲବାଣୀ ଛଡ଼ାଯାଇଥିବା ଡା. ମହାରଣା କହିଛନ୍ତି। ଜଗାର ଚିକିତ୍ସା ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କୋଠରିରେ ଏକ କ୍ୟାବିନ୍ ପ୍ରସ୍ତୁତ କରାଯାଇଛି। ଏସ୍‍ସିବିରେ ଦୀର୍ଘ ଦିନ ରହିବା ମଧ୍ୟରେ ଆର୍ଥିକ ସମସ୍ୟା ଉପୁଜିବାରୁ ଜଗାର ମା’ ପୁଷ୍ପାଞ୍ଜଳି କହଁର ଘରକୁ ପୁଅ ସହ ଫେରିଯିବା ପାଇଁ କନ୍ଧମାଳ ଜିଲାପାଳଙ୍କୁ ଦରଖାସ୍ତ ଲେଖିଥିଲେ। ଜଗାର ମା’ ପୁଷ୍ପାଞ୍ଜଳିଙ୍କଠାରୁ ଜିଲାପାଳ ଦରଖାସ୍ତ ପାଇବା ପରେ ସରକାରଙ୍କୁ ଏ ବାବଦରେ ଅବଗତ କରାଇଥିଲେ। ସ୍ୱାସ୍ଥ୍ୟ ବିଭାଗ ଏ ସମ୍ପର୍କରେ ସୂଚନା ପାଇ ଏସ୍‍ସିବି ଡାକ୍ତରୀ ଟିମ୍‍ଙ୍କଠାରୁ ଜଗାର ସ୍ୱାସ୍ଥ୍ୟାବସ୍ଥା ଓ ତା’ର ସ୍ଥିତି ବାବଦରେ ବୁଝିବା ପରେ ଏସ୍‍ସିବିରୁ ସ୍ଥାନାନ୍ତର ପାଇଁ ସବୁଜ ସଙ୍କେତ ଦେଇଥିବାର ସୂଚନା ମିଳିଛି।
ଫିରିଙ୍ଗିଆ ବ୍ଲକ ମିଲୁପଡା ଗାଁର ଭୂୟାଁ କହଁରଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ୨୦୧୫ ଏପ୍ରିଲ୍‍ ୯ ତାରିଖରେ ସ୍ଥାନୀୟ ଡାକ୍ତରଖାନାରେ ମୁଣ୍ଡ ଯୋଡ଼ି ହୋଇ ରହିଥିବା ଦୁଇ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ। ଅନେକ ସ୍ଥାନରେ ଦେଖାଇବା ପରେ ବି ସେମାନଙ୍କର ଚିକିତ୍ସା ସମ୍ଭବ ହୋଇ ପାରି ନ ଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ରାଜ୍ୟ ସରକାରଙ୍କ ଖର୍ଚ୍ଚରେ ତାଙ୍କୁ ଦିଲ୍ଲୀ ଏମସକୁ ପଠାଯାଇ ଚିକିତ୍ସା କରାଯାଇଥିଲା। ସଫଳ ଚିକିତ୍ସାର ଦୁଇ ବର୍ଷ ପରେ ତାଙ୍କୁ ଗତ ବର୍ଷ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ବର୍ଷ ନଭେମ୍ବର ୨୫ ତାରିଖରେ ବଳିଆ ମୃତ୍ୟୁବରଣ କରିଥିଲା। ରବିବାର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟ ବିଶେଷଜ୍ଞ ଡଃ ଚିନାରୀ ନାରାୟଣ ସୁବୁଦ୍ଧିଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ ଜଗାକୁ ଆଣିବା ପାଇଁ କଟକ ଯାଇଥିଲେ। ସୋମବାର ରାତି ପ୍ରାୟ ୯ଟାରେ ସେମାନେ ଜଗାକୁ ନେଇ ଏଠାରେ ପହଞ୍ଚିଛନ୍ତି। ଏବେ ଜଗାର ଅବସ୍ଥା ଠିକ ଥିଲେ ବି ତାକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କୋଠରିରେର ରଖାଯାଇଛି। ଏକ ଡାକ୍ତରୀ ଦଳ ରାତିଦିନ ଜଗାର ସ୍ୱାସ୍ଥ୍ୟ ଉପରେ ନଜର ରଖିବେ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିାକରୀ ଡଃ ରାଜ୍ୟଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତିା। ଜଗାର ବାପା ଭୂୟାଁ କହଁର ଓ ମା ପୁଷ୍ପାଞ୍ଜଳି ଏଥିନେଇ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଓ ଡାକ୍ତରମାନଙ୍କୁ ସାଧୁବାଦ ଜଣାଇଛନ୍ତି।

Comments are closed.