ଶାସ୍ତ୍ରୀ ମାନିଲେ: ଆହତ ଥାଇ ଜାଡ଼େଜା ଅଷ୍ଟ୍ରେଲିଆ ଆସିଛନ୍ତି

0

ମେଲବୋର୍ଣ୍ଣ : ଭାରତୀୟ କ୍ରିକେଟ ଦଳର ଚଳିତ ଅଷ୍ଟ୍ରେଲିଆ ଗସ୍ତ​‌ରେ ଖେଳାଳି ମନୋନୟନକୁ ନେଇ ନାନା ବିବାଦୀୟ ପରିସ୍ଥିତି ସୃଷ୍ଟିହୋଇଛି। ବିଶେଷକରି ପର୍ଥ ଟେଷ୍ଟରେ ଅସ୍ଥାୟୀ ପିଚ୍ ସ୍ପିନରଙ୍କୁ ସହାୟତା ଦେବ ବୋଲି ଅନୁମାନ କରା ଯାଇଥିବା ବେଳେ ଭାରତ ଜଣେ ମଧ୍ୟ ସ୍ପିନରଙ୍କୁ ଖେଳାଇ ନଥିଲା। ଅଷ୍ଟ୍ରେଲିଆର ଏକମାତ୍ର ସ୍ପିନର ନାଥାନ ଲାୟନ୍ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ବ୍ୟାଟିଂକୁ ଚାପରେ ପକାଇ ପାରିଥିଲେ। ଏହି ଟେଷ୍ଟରେ ଭାରତ ପରାସ୍ତହେବା ପରେ ଦଳର ଖେଳାଳି ମନୋନୟନକୁ ନେଇ ବେଶ୍ ସମାଲୋଚନା କରା ଯାଇଥିଲା। ଭାରତୀୟ ଖେଳାଳି ମଧ୍ୟ ସ୍ବୀକାର କରିଥିଲେ ଯେ ଦଳ ଜଣେ ସ୍ପିନରଙ୍କୁ ଖେଳାଇବା ଉଚିତ ଥିଲା।
ଏହାର ସପ୍ତାହକ ପରେ ପ୍ରକୃତ କଥା ଜଣାପଡ଼ିଛି। ପର୍ଥ ପିଚ୍‌ ପେସ୍ ବୋଲରଙ୍କୁ ସହାୟକ ହେବ ବୋଲି ଭାବି ଭାରତ କୌଣସି ସ୍ପିନର ନ ଖେଳାଇ ୪ ଜଣ ପେସ୍ ବୋଲରଙ୍କୁ ଖେଳାଇଥିଲା ବୋଲି ଯାହା କୁହାଯାଉଛି; ତାହା ସତ ନୁହେଁ। ପ୍ରକୃତରେ ଭାରତ ପାଖରେ ସ୍ପିନର ହିଁ ନଥିଲେ। ଏହି ଟେଷ୍ଟ ପୂର୍ବରୁ ରବିଚନ୍ଦ୍ରନ ଅଶ୍ବିନ ଆହତ ହୋଇଥିବା ବେଳେ ୨ୟ ସ୍ପିନର ରବୀନ୍ଦ୍ର ଜାଡ଼େଜା ଅଷ୍ଟ୍ରେଲିଆରେ ପହଞ୍ଚିବା ପୂର୍ବରୁ ହିଁ ଆହତ ଥିଲେ। ଏହା ସ୍ବୀକାର କରିଛନ୍ତି ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଏପରି କହି ସେ ମନୋନୟନକାରୀଙ୍କ ପ୍ରତି ପରୋକ୍ଷରେ ଅଙ୍ଗୁଳି ନିର୍ଦେଶ କରିଛନ୍ତି। ମନୋନୟନକାରୀ ଜଣେ ଆହତ ଖେଳାଳିଙ୍କୁ କିପରି ଗୁରୁତ୍ବପୂର୍ଣ୍ଣ ବିଦେଶ ଗସ୍ତରେ ପଠାଇଲେ; ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଏହାସହ ପ୍ରଶ୍ନ ଉଠିଛି ଯେ ଯଦି ଜାଡ଼େଜା ଆହତ ଥିଲେ; ତାଙ୍କୁ ପର୍ଥ ଟେଷ୍ଟ ପାଇଁ ଶେଷ ୧୩ ଜଣଙ୍କ ମଧ୍ୟରେ ସ୍ଥାନ କାହିଁକି ଦିଆ ଯାଇଥିଲା ଏବଂ ଏବଂ କାହିଁକି ଜାଡ଼େଜା ଅତିରିକ୍ତ ଖେଳାଳି ଭାବେ ଫିଲ୍‌ଡିଂ କରିଥିଲେ? ସମାଲୋଚନାର ଜବାବ ଦେଇ ରବି ଶାସ୍ତ୍ରୀ କହିଛନ୍ତି, ତୁମେ ଯଦି ଲକ୍ଷଲକ୍ଷ ମାଇଲ ଦୂରରେ ବସିଛ, ଫାଙ୍କା ଗୁଳି ଚଳାଇବା ବହୁତ ସହଜ। ଜାଡୁ (ରବୀନ୍ଦ୍ର ଜାଡ଼େଜା)ଙ୍କ ସମସ୍ୟା ଏହା ଯେ ଅଷ୍ଟ୍ରେଲିଆ ଆସିବା ପୂର୍ବରୁ ସେ କାନ୍ଧର ଆଘାତରୁ ସୁସ୍ଥହେବା ଲାଗି ଇଞ୍ଜେକ୍‌ସନ୍ ନେଇଥିଲେ। ଏହି ଇଞ୍ଜେକ୍‌ସନ୍ କାମକରିବା ଲାଗି କିଛିଦିନ ଲାଗିଥିଲା। ତେଣୁ ପର୍ଥ ଟେଷ୍ଟ ଆରମ୍ଭହେବା ପୂର୍ବରୁ ଜାଡ଼େଜା ୭୦ରୁ ୮୦ ପ୍ରତିଶତ ଫିଟ୍ ଥିଲେ। ତେଣୁ ତାଙ୍କୁ ପର୍ଥରେ ଖେଳାଇବାର ରିସ୍କ ନେବାକୁ ଆମେ ଚାହିଁଲୁନାହିଁ। ୮୦ ପ୍ରତିଶତରୁ ଅଧିକ ସୁ​‌ସ୍ଥ ଥିଲେ ଜାଡ଼େଜା ଖେଳିବେ; ଏହା ହିଁ ମୋର ଜବାବ। ଜାଡ଼େଜା ଅଷ୍ଟ୍ରେଲିଆ ଆସିବା ବେଳେ ଆମେ ଭାବିଥିଲୁ ଯେ ଘରୋଇ କ୍ରିକେଟ ଖେଳି ଏଠାକୁ ଆସିଥିବାରୁ ସେ ଫିଟ୍ ଅଛନ୍ତି। ତେ‌େ​‌ବ ଏହା ସତ ନଥିଲା। ତାଙ୍କ କାନ୍ଧରେ ଆଘାତ ଥିଲା। ପରେ ଭାବିଲୁ ଇଞ୍ଜେକ୍‌ସନ୍ ନେବା ପରେ ସେ ସୁସ୍ଥ ହୋଇଯିବେ; ତେବେ ଏହା ମଧ୍ୟ ହୋଇନଥିଲା। ସୂଚନାଯୋଗ୍ୟ; ପର୍ଥ ଟେଷ୍ଟ ପୂର୍ବରୁ ବିସିସିଆଇ ପକ୍ଷରୁ ଖେଳାଳିଙ୍କ ଫିଟ୍‌ନେସ୍ ରିପୋର୍ଟ​‌ରେ କେବଳ ପୃଥ୍ବୀ ସ’ ଓ ଆର୍. ଅଶ୍ବିନ ଆହତ ‌ହୋଇଛନ୍ତି ବୋଲି ଦର୍ଶା ଯାଇଥିଲା। ଏଥିରେ ଜାଡ଼େଜାଙ୍କ ନାମ ନଥିଲା। ତେଣୁ ଏଥିରୁ ସ୍ପଷ୍ଟ ଯେ ଦଳ ମ୍ୟାନେଜମେଣ୍ଟ, ଖେଳାଳି ଓ ବିସିସିଆଇ ମଧ୍ୟରେ ଆଦୌ ତାଳମେଳ ନାହିଁ। ଏହାର ଫଳ ଦଳକୁ ଭୋଗିବାକୁ ପଡ଼ିଛି।

Leave A Reply