ଆସାମର ବିକାଶ ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ – ଜେ.ପି. ନଡ୍ଡା

ଆସାମ: ଆସାମର ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ଓ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା କହିଛନ୍ତି। ଗୌହାଟୀଠାରେ ଦଳର ଏକ ର‍୍ୟାଲିରେ ଉଦବୋଧନ ଦେଇ ସେ କହିଛନ୍ତି, ଧାର୍ମିକ ନିର୍ଯାତନା କାରଣରୁ ଯେଉଁମାନେ ପୂର୍ବରୁ ଏ ଦେଶକୁ ପଳାଇ ଆସିଛନ୍ତି ନାଗରିକତା ସଂଶୋଧନ ଆଇନ୍‍ ସିଏଏ ମାଧ୍ୟମରେ କେବଳ ସେମାନଙ୍କୁ ହିଁ ନାଗରିକତା ପ୍ରଦାନ କରାଯିବ। ନଡ୍ଡା କହିଛନ୍ତି, ନାଗରିକତା ହାସଲ ପାଇଁ ଆବେଦନ କରିବା ସକାଶେ ୨୦୧୪ ଡିସେମ୍ବର ୩୧ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଥିବାରୁ କୌଣସି ନୂଆ ଲୋକଙ୍କୁ ଏହି ସୁବିଧା ମିଳିବ ନାହିଁ। ଭୋଟ୍‍ ବ୍ୟାଙ୍କ୍‍ ରାଜନୀତି ପାଇଁ କଂଗ୍ରେସ ଲୋକମାନଙ୍କୁ ବିଭ୍ରାନ୍ତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ନଡ୍ଡା କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ବାଙ୍ଗଲାଦେଶୀ ହିନ୍ଦୁମାନଙ୍କୁ ନାଗରିକତା ପ୍ରଦାନ ସପକ୍ଷରେ ଥିବା ବେଳେ ପଡ଼ୋଶୀ ଦେଶଗୁଡ଼ିକରେ ଧର୍ମ ଆଧାରରେ ନିର୍ଯାତିତ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକମାନଙ୍କୁ ନାଗରିକତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଦକ୍ଷେପ ନେଇଛନ୍ତି।

ଏଥିରେ ଯୋଗଦେଇ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟବାସୀଙ୍କ ଭରସା ଦେଇ କହିଛନ୍ତି, ଆସାମ ରାଜ୍ୟ ସବୁବେଳେ ଏକ ବୃହତର ଆସାମିଆ ସମାଜକୁ ଅଗ୍ରାଧିକାର ପ୍ରଦାନ କରି ଚାଲିବ। ସେ କହିଛନ୍ତି, କଂଗ୍ରେସ ଏବଂ ବାମ ଦଳଗୁଡ଼ିକ ସିଏଏ ଉପରେ ଅପପ୍ରଚାର ଚଳାଇଛନ୍ତି। ଜନସାଧାରଣ ଏଭଳି ଗୁଜବକୁ କର୍ଣ୍ଣପାତ ନକରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିବା ସହିତ ମୂଳ ଭାରତୀୟମାନଙ୍କର ସ୍ୱାର୍ଥହାନୀ ହେବା ଭଳି କୌଣସି କାର୍ଯ୍ୟ ବିଜେପି ସରକାର କେବେବି କରିବେ ନାହିଁ। ଇତିମଧ୍ୟରେ ରାଜ୍ୟରେ ସିଏଏ ବିରୋଧରେ ବିକ୍ଷୋଭ ଜାରି ରହିଛି।

Comments are closed.