ଆତଙ୍କବାଦୀ ରକ୍ତମୁଖା : ନିଶାଣରେ ପୁଲିସ ପରିବାର

0

ଜାମ୍ମୁ : ଜାମ୍ମୁ-କାଶ୍ମୀରରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ଆତଙ୍କବାଦ ବିରୋଧୀ ଅଭିଯାନ ଜୋରଦାର ହୋଇଛି। ଏହାକୁ ନେଇ ଆତଙ୍କବାଦୀମାନେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ଏହି ଅଭିଯାନ ବେଳେ ନିଜର ପ୍ରମୁଖ ସଦସ୍ୟମାନଙ୍କୁ ହରାଇଥିବା ଆତଙ୍କବାଦୀ ସଂଗଠନଗୁଡିକ କ୍ରୋଧାନ୍ୱିତ ହୋଇ ଭାରତୀୟ ସୁରକ୍ଷାବାହିନୀ ବିରୋଧରେ ନିଜର ଅଘୋଷିତ ଯୁଦ୍ଧକୁ ଆହୁରି ତୀବ୍ରତର କରିଛନ୍ତି। ଅପହରଣ ପରେ ହତ୍ୟା ଏବେ କାଶ୍ମୀର ଘାଟିରେ ଆତଙ୍କବାଦର ନୂତନ ସ୍ୱରୂପ ପାଲଟିଛି। ସୁରକ୍ଷାବାହିନୀ ଉପରେ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆତଙ୍କବାଦୀମାନେ ରାଜ୍ୟ ପୁଲିସ କର୍ମଚାରୀଙ୍କ ପରିବାରକୁ ନିଶାଣ କରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୬ ପୁଲିସ କର୍ମଚାରୀଙ୍କ ପରିବାରର ୧୧ ଜଣ ସଦସ୍ୟଙ୍କୁ ସେମାନେ ଅପହରଣ କରିନେଇଛନ୍ତି। ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ୪ଟି ଜିଲାରେ ଥିବା ଏହି ପୁଲିସ କର୍ମଚାରୀଙ୍କ ଘରେ ପଶି ସେମାନଙ୍କ ଆତ୍ମୀୟଙ୍କୁ ଉଠାଇ ନେଇଛନ୍ତି ସେମାନେ। ଆତଙ୍କବାଦୀମାନେ ଦୀର୍ଘ ୨୮ ବର୍ଷ ପରେ କାଶ୍ମୀର ଘାଟିରେ ପୁନଃ ପୁଲିସ କର୍ମଚାରୀଙ୍କ ପରିବାରକୁ ଏଭଳି ନିଶାଣ କରିଛନ୍ତି।
ଗତ ଦୁଇ ଦିନ ହେବ ଭାରତୀୟ ସୁରକ୍ଷାବାହିନୀ ଏକାଧିକ ସ୍ଥାନରେ ଚଢାଉ କରି ଆତଙ୍କବାଦୀଙ୍କ ସମ୍ପର୍କୀୟଙ୍କୁ ଧରି ନେଇଥିଲା। ଏହି ଘଟଣା ପରେପରେ ଗୁରୁବାର ସନ୍ଧ୍ୟାରୁ ଆତଙ୍କବାଦୀଙ୍କ ନୂଆ ଦୌରାତ୍ମ୍ୟ ଆରମ୍ଭ ହୋଇଛି। ଆତଙ୍କବାଦୀମାନେ କ୍ରୋଧାନ୍ୱିତ ହୋଇ କେତେକ ପୁଲିସ ଅଧିକାରୀଙ୍କ କୁଲଗାମ, ସୋପିଆନ ଏବଂ ତ୍ରାଲ ସ୍ଥିତ ବାସଭବନରେ ପଶି ସେମାନଙ୍କ ପୁଅ ଓ ଭାଇଙ୍କୁ ଅପହରଣ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ ପୂର୍ବକ ସେମାନେ ଡିଏସ୍‍ପି ଐଜାଜଙ୍କ ଘରୁ ତାଙ୍କ ଭାଇ ଗୌହରଙ୍କୁ ଅପହରଣ କରିନେଇଛନ୍ତି। ଅନ୍ୟ ଅପହୃତମାନେ ହେଲେ କୁଲଗାମ ଅନ୍ତର୍ଗତ ଆରାୱାନୀ ନିବାସୀ ପୁଲିସ କର୍ମଚାରୀ ମହମ୍ମଦ ମକବୁଲ୍‍ ଭଟ୍ଟଙ୍କ ପୁଅ ଜୁବୈର, ଆରୱାନୀ ବିଜବେହାରା ନିବାସୀ ଥାନାଧିକାରୀ ନାଜିର ଅହମ୍ମଦ ନକରଙ୍କ ଭାଇ ଆରିଫ, ଖାରପୋରାର ବଶିର ଅହମ୍ମଦ ମାକରୋଙ୍କ ପୁଅ ଫୈଜାନ, ୟାମରାଚ ୟାରିପୋରାରେ ରହୁଥିବା ସଲାମ ରାଠେରଙ୍କ ପୁଅ ସୁମର, ସୋପିଆନ ଅନ୍ତର୍ଗତ ୱାଥୋ ନିବାସୀ ଏଏସ୍‍ଆଇ ବସିର ଅହମ୍ମଦ ଭଟ୍ଟଙ୍କ ପୁଅ ୟାସିର, ଟ୍ରାଲ ଅନ୍ତର୍ଗତ କଙ୍ଗନର ସବିର ଅହମ୍ମଦ ଜାରଗର ଏବଂ ମିନ୍ଦୋରା ନିବାସୀ ନାସିର ଅହମ୍ମଦଙ୍କର ଦୁଇ ଜଣ ସମ୍ପର୍କୀୟ ଏବଂ ପିଙ୍ଗଲିଶର ରଫିକ ରାଠେରଙ୍କ ପୁଅ ଆସିଫ। ଅନ୍ୟ ଏକ ଘଟଣାକ୍ରମେ ଗାନ୍ଦେରବାଲ ଜିଲାରୁ ଅପହୃତ ଜଣେ ପୁଲିସ ଅଧିକାରୀଙ୍କ ସମ୍ପର୍କୀୟଙ୍କୁ ଆତଙ୍କବାଦୀମାନେ ନିସ୍ତୁକ ମାଡ଼ ମାରିବା ପରେ ଛାଡିଦେଇଥିବା ଜଣାପଡିଛି। ଅପହୃତମାନଙ୍କୁ ଛାଡିଦେବା ନିମନ୍ତେ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଆକୁଳ ନିବେଦନ କରୁଥିବାର ଭିଡିଓ ଗଣମାଧ୍ୟମରେ ପ୍ରକାଶ ପାଇଛି। ସମସ୍ତ ଅପହୃତଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଏବେ ରାଜ୍ୟ ପୁଲିସ ପାଇଁ ଆହ୍ୱାନ ପାଲଟିଛି। ପୁଲିସ ଏ ଦିଗରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଦକ୍ଷିଣ କାଶ୍ମୀରର କେତେକ ସ୍ଥାନରେ
ଆତଙ୍କବାଦୀଙ୍କ ପରିବାର ଲୋକଙ୍କୁ ଗିରଫ ପ୍ରତିବାଦରେ ଅଞ୍ଚଳବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବୁଧବାର ସୋପିଆନ୍‍ଠାରେ ଆତଙ୍କବାଦୀ ଆକ୍ରମଣରେ ୪ ପୁଲିସ ଅଧିକାରୀ ସହିଦ ହେବା ପରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଘର ପୋଡ଼ି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଉଲ୍ଲେଖ ଯେ ଗୁରୁବାର ପୂର୍ବାହ୍ଣରେ ହିଜବୁଲ୍‍ ମୁଜାହିଦ୍ଦିନର ମୁଖ୍ୟ ସୟିଦ ସଲାଉଦ୍ଦିନର ପୁଅ ସକିଲକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‍ଆଇଏ) ଗିରଫ କରିଥିଲା। ସେହିଭଳି ବାନ୍ଦିପୋରା ଜିଲାର ମହଲାଠାରେ ଗୁରୁବାର ୨ ଜଣଙ୍କ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ବୁଧବାର ହିଜବୁଲ୍‍ ମୁଜାହିଦ୍ଦିନର ପ୍ରମୁଖ କମାଣ୍ଡର ଅଲତାଫ ଆହମ୍ମଦ ଦାର ଓରଫ ଅଲତାଫ କାଚରୁ ଏବଂ ତାର ଘନିଷ୍ଠ ସହଯୋଗୀ ଉମର ରଶିଦ ୱାନୀ ସୁରକ୍ଷାବାହିନୀ ଗୁଳିରେ ପ୍ରାଣ ହରାଇଥିଲେ।

ପରସ୍ପରର ପରିବାରକୁ ଟାର୍ଗେଟ କରିବା ନିନ୍ଦନୀୟ: ମୁଫତି

ନୂଆଦିଲ୍ଲୀ  : ଆତଙ୍କବାଦୀ, ସୁରକ୍ଷାବାହିନୀ ପରସ୍ପରର ପରିବାରକୁ ଟାର୍ଗେଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଜାମ୍ମୁ-କାଶ୍ମୀରର ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଶୁକ୍ରବାର କହିଛନ୍ତି। ଏହାଦ୍ୱାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ନିମ୍ନସ୍ତରକୁ ଚାଲିଯାଉଛି। କାହାରି ପରିବାରକୁ ଟାର୍ଗେଟ କରି ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ନୂତନ ବିବାଦ ମୁଣ୍ଡ ଟେକିବାର ଆଶଙ୍କା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‍ଦୁଲ୍ଲା ଏବଂ ପୁଲିସ ମହାନିର୍ଦେଶକ ମଧ୍ୟ ଆତଙ୍କବାଦୀଙ୍କ ଏଭଳି କାର୍ଯ୍ୟକଳାପକୁ କଡ଼ା ନିନ୍ଦା କରିଛନ୍ତି। ଅନ୍ୟପଟେ ପୁଲିସ ଆତଙ୍କବାଦୀଙ୍କର କିଛି ସମ୍ପର୍କୀୟଙ୍କୁ ମୁକ୍ତ କରିଦେଇଥିବା ଜଣାପଡିଛି। ସେମାନଙ୍କୁ ଆତଙ୍କବାଦୀଙ୍କ ସମ୍ବନ୍ଧରେ ପଚରା ଉଚୁରା କରିବା ନିମନ୍ତେ ଅଟକ ରଖାଯାଇଥିଲା ବୋଲି ପୁଲିସ କହିଛି।

Leave A Reply