ମେ ୪ ଠାରୁ ଜନତା ମଇଦାନରେ ମହିଳା ବ୍ୟବସାୟ ମେଳା, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଯୋଗଦେବେ ବଲିଉଡ କଳାକାର ଲାରା ଦତ୍ତ ଓ ଅର୍ଜୁନ ରାମପାଲ

ଭୁବନେଶ୍ବର : ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗତ ଜାନୁୟାରୀ ୨୦୨୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲର ଇତି ମଧ୍ୟରେ ଶତାଧିକ ମହିଳା ସଦସ୍ୟ ସଂଖ୍ୟାର ମାଇଲଖୁଣ୍ଟ ଅତିକ୍ରମ କରିସାରିଛି । ଆଇଡ଼ବ୍ଲ୍ୟୁଇସି ଓଡ଼ିଶା, ଭାରତର ଏକ ସକ୍ରିୟ ମହିଳା ଉଦ୍ୟୋଗୀ ସଂଗଠନ । ଆଇଡ଼ବ୍ଲ୍ୟୁଇସି ଓଡ଼ିଶାର ଅଭୂତପୂର୍ବ ସଫଳତା ପରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଭାରତର ଅନ୍ୟାନ୍ୟ ରାଜ୍ୟ ମାନଙ୍କର ମଧ୍ୟ ଏହାର ଶାଖା ଖୋଲିବା ସହ ଜାତୀୟ ସ୍ତରରେ ନ୍ୟାସନାଲ ଆଇଡ଼ବ୍ଲ୍ୟୁଇସି ଏକ ପାଞ୍ଚ ଦିନିଆ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ପ୍ରଥମ ଥର ପାଇଁ ମହିଳାଙ୍କ ବ୍ୟବସାୟ ମେଳା ପରି ଏକ ନୂତନ କାର୍ୟ୍ୟକ୍ରମ ଜନତା ମଇଦାନରେ ମେ’ ୪ଠାରୁ ଆରମ୍ଭ ହେବ ଏବଂ ଏହା ମେ’ ୮ ପର୍ଯ୍ୟନ୍ତ ଚାଲିବ। ଉଦଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାକୁ ଥିବାବେଳେ ରାଜ୍ୟପାଳ ଗଣେଶୀ ଲାଲ ଉଦ୍‌ଯାପନୀ ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ, କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଲୋକସଭା ସଦସ୍ୟ ସୁଜିତ୍ କୁମାର, ଅଭିନେତ୍ରୀ ଲାରା ଦତ୍ତ, ଅଭିନେତା ଅର୍ଜୁନ ରାମପାଲ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଇମତିଆଜ ଅଲି, ପ୍ରେରଣାଦାୟୀ କଥାକାର ଗୌରାଙ୍ଗ ଦାସ ପ୍ରଭୁ, ଲ୍ୟୁକ୍ କୌଟିଂହୋ ଏବଂ ସମୀର ପୁରୋହିତଙ୍କ ପରି ଜୀବନଶୈଳୀ ପ୍ରଶିକ୍ଷକ ଏବଂ ସେଲିବ୍ରିଟି ଫଟୋଗ୍ରାଫର ବିକ୍ରମ ବାୱା ପ୍ରମୁଖ ଯୋଗ ଦେବା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଡ଼ବ୍ଲ୍ୟୁଇସିର ଉଦ୍ୟୋକ୍ତା ସୁକୀର୍ତ୍ତୀ ପଟ୍ଟନାୟକ, ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକ, ଆଇସିସିର ଅଧ୍ୟକ୍ଷ ଜେ.ବି ପାଣି ଓ ଉପଅଧ୍ୟକ୍ଷ ମହେନ୍ଦ୍ର ଗୁପ୍ତା ପ୍ରମୁଖ ସୂଚନା ଦେଇଛନ୍ତି ।

ଉକ୍ତ କାର୍ୟ୍ୟକ୍ରମରେ ଜନତା ମଇଦାନଠାରେ ଶତାଧିକ ମହିଳା ବ୍ୟବସାୟୀ ନିଜର ଷ୍ଟଲ ମାଧ୍ୟମରେ ନିଜ ବ୍ୟବସାୟକୁ ବୃଦ୍ଧି ତଥା ପ୍ରଚାର ପ୍ରସାର କରିବା ନିମନ୍ତେ ସୁଯୋଗ ପାଇବେ । ଏହାଛଡ଼ା ଅନ୍ୟାନ୍ୟ କନ୍‌ଫରେନ୍ସ, ସେମିନାର ୱାର୍କସପ୍‌, ଟକ୍ ସୋ, ନିବେଶକ କାର୍ୟ୍ୟକ୍ରମ, ଅତି କ୍ଷୁଦ୍ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗୀୟ ଯୋଜନା ଆର୍ଥିକ ଶିକ୍ଷା ତଥା ନାନା ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ସହ ପୁରସ୍କାର ବିତରଣ କାର୍ୟ୍ୟକ୍ରମର ଯୋଜନା ରହିଛି । ଉକ୍ତ କାର୍ୟ୍ୟକ୍ରମ ଓଡ଼ିଶାର ମହିଳା ଉଦ୍ୟୋଗୀ ମାନଙ୍କ ପ୍ରଚାର କରିବା ସହ ଆଗାମୀ ଦିନରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ମହିଳା, ଶିଶୁ ଓ ପରିବାରବର୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରେରଣାଦାୟୀ ଉତ୍ସବ ଭାବେ ଅଭିହିତ ହେବ। ଉକ୍ତ କାର୍ୟ୍ୟକ୍ରମ ଜାତୀୟ ସ୍ତରରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ, ଭାରତ ସରକାର, ଓଡ଼ିଶା ସରକାରଙ୍କ ଦ୍ୱାରା ନାନା ଖବର ପରିବେଶଷଣ ସଂସ୍ଥା ଦ୍ୱାରା ପ୍ରସାରିତ ହେବ।

Comments are closed.