୫ଦିନ ହେଲା ଏଟିଏମ୍ ବନ୍ଦ, ଗ୍ରାହକ ହନ୍ତସନ୍ତ

ବଢୁଛି ଅସନ୍ତୋଷ, ଆନ୍ଦୋଳନ ପାଇଁ ଚେତାବନୀ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ମୁଖ୍ୟାଳୟରେ ରହିଥିବା ଏସ୍‌ବିଆଇର ଏଟିଏମ୍ ଗତ ୫ଦିନ ହେବ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏଥିପାଇଁ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଏଟିଏମ୍ କାଉଣ୍ଟର ଆଉ କିଛିଦିନ ପାଇଁ ବନ୍ଦ ରହିବ ବୋଲି ସ୍ଥାନୀୟ ବ୍ୟାଙ୍କ କର୍ତ୍ତୃପକ୍ଷ ପ୍ରକାଶ କରିଥିବା ବେଳେ ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଭାଳେଣି ପଡିଛି। ଏସ୍‌ବିଆଇ ଏଟିଏମ୍ ନିୟମିତ ଭାବେ ବନ୍ଦ ରହୁଥିବାରୁ ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଖପ୍ରାଖୋଲ ବ୍ଲକ ସଦର ମହକୁମାରେ ବ୍ଲକ କାର୍ଯ୍ୟାଳୟ, ତହସିଲ, ଥାନା, ଡାକ୍ତରଖାନା ଆଦି ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ରହିଥିବା ବେଳେ ଏଠାରେ ବାହାରୁ ଆସି ବହୁ ସଂଖ୍ୟକ ଲୋକ ବସବାସ କରୁଛନ୍ତି। ଖପ୍ରାଖୋଲ ସଦର ମହକୁମା ଠାରେ ଏହା ଏକମାତ୍ର ଏଟିଏମ୍। ସମଗ୍ର ଅଂଚଳବାସୀ ନିର୍ଭର କରି ଚଳିଆସୁଛନ୍ତି। ମାତ୍ର ଏହି ଏଟିଏମ୍ ଅନେକ ସମୟରେ ବନ୍ଦ ରହୁଥିବାରୁ ଗ୍ରାହକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହେଉଛି। ବିଶେଷକରି ଥାନା, ଡାକ୍ତରଖାନା ଓ ସିଆର୍ପିଏଫ୍ ଆଦି ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀମାନେ ଏଟିଏମ୍ ବନ୍ଦ ରହୁଥିବାରୁ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଏଟିଏମ୍‌ଟି ବ୍ୟାଙ୍କ ଖୋଲିବା ସମୟରେ ଖୋଲୁଥିବା ବେଳେ ସପ୍ତାହରେ ତିନିଦିନ ବନ୍ଦ ରହୁଥିବା ଜାଣିବାକୁ ମିଳିଛି। ଛୁଟିଦିନରେ କିମ୍ବା ବ୍ୟାଙ୍କ ବନ୍ଦ ପରେ ଏଟିଏମ୍ ବନ୍ଦ ରହୁଥିବାରୁ ଖପ୍ରାଖୋଲ ତଥା ଦୂର ଦୂରାନ୍ତରରୁ ଆସୁଥିବା ଗ୍ରାହକମାନେ ନିରାଶ ହୋଇ ଫେରୁଛନ୍ତି। ସେହିପରି ପର୍ଯ୍ୟଟନ ସ୍ଥଳ ହରିଶଙ୍କରକୁ ଆସୁଥିବା ପର୍ଯ୍ୟଟକମାନେ ଏଟିଏମ୍କୁ ଟଙ୍କା ଉଠାଇବାକୁ ଆସୁଥିବା ବେଳେ ଏହା ବନ୍ଦ ରହୁଥିବାରୁ ପର୍ଯ୍ୟଟକମାନେ ହଇରାଣ ହେଉଛନ୍ତି। ଏଟିଏମ୍‌ରେ ୨୪ ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଉଛି। ମାତ୍ର ସମସ୍ୟାର ସମାଧାନ କରିବା ଦିଗରେ ଏସ୍‌ବିଆଇ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହେଉଛି।

ଗତ ଶୁକ୍ରବାର ଠାରୁ ଏହି ଏଟିଏମ୍ ବନ୍ଦ ରହିଛି। ଫଳରେ ଗ୍ରାହକମାନେ ଏଟିଏମ୍କୁ ଆସି ନିରାଶ ହୋଇ ଫେରିଯାଉଛନ୍ତି। ଏନେଇ ଖପ୍ରାଖୋଲ ବ୍ୟାଙ୍କ ମ୍ୟାନେଜର ପ୍ରଦୀପ କାକ୍ଙ୍କୁ ପଚାରିବାରୁ ଟଙ୍କା ନଥିବାରୁ ଏଟିଏମ୍ ଖୋଲା ଯାଉନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଏଟିଏମ୍କୁ ତୁରନ୍ତ ଖୋଲିବା ସହିତ ୨୪ ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ସ୍ଥାନୀୟ ବଣିକ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ତଥା ସ୍ଥାନୀୟ ମା’ ଡୁମେର ତଲେନ ବଣିକ ସଂଘର ସଭାପତି ନିତ୍ୟାନନ୍ଦ ଦଣ୍ଡସେନା, ଉପସଭାପତି ଅରୁଣ ଗଡତ୍ୟା, ଢଳାକାହ୍ନ ବନଛୋର, ତୁଷାରକାନ୍ତ ଦାଶ, ଦିଲୀପ ଗଡତ୍ୟା, ଅମିତ ବାରିକ, ରଞ୍ଜନ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।

Comments are closed.