ବିରଳ ମହାଜାଗତିକ ଦୃଶ୍ୟ: ସରଳରେଖାରେ ପୃଥିବୀ-ଚନ୍ଦ୍ର-ଶନି

ଚାରି ଗ୍ରହ ଚନ୍ଦ୍ରର ଅତି ନିକଟତର, ଏଥର ଶୁକ୍ଳ ପକ୍ଷ ୧୬ ଦିନ

ନୂଆଦିଲ୍ଲୀ:  ଆସନ୍ତା ସପ୍ତାହରେ ମହାକାଶରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ଇତି ମଧ୍ୟରେ ମଙ୍ଗଳ ବାର ପୃଥିବୀ କକ୍ଷରେ ମଙ୍ଗଳ ଗ୍ରହ ପରିକ୍ରମା କରି ଚନ୍ଦ୍ରର ଅତି ନିକଟ ଶୂନ ଡିଗ୍ରୀ (ଅତି ନିକଟ)ରେ ପହଞ୍ଚି ଥିଲା। ଏଥିଯୋଗୁଁ ଭୂପୃଷ୍ଠର ତାପମାତ୍ରା ବୃଦ୍ଧି ପାଇ ପାରେ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ସେହିପରି ଚଳିତ ମାସ ୨୮ ତାରିଖ ସୁଦ୍ଧା ଆଉ ୩ଟି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି। ୨୩ ତାରିଖରେ ବୃହସ୍ପତି, ୨୪ରେ ଶନି ଓ ୨୮ ତାରିଖରେ ଶୁକ୍ର ଗ୍ରହ ଚନ୍ଦ୍ରର ଅତି ନିକଟକୁ ଆସି ଶୂନ ଡିଗ୍ରୀରେ ପହଞ୍ଚି ଯିବେ। ପ୍ରତି ଗ୍ରହ ୬ ରୁ ୭ଘଣ୍ଟା ଲେଖାଏଁ ଏପରି ଅବସ୍ଥାନରେ ରହିବେ। ଏହି ୩ଟି ଗ୍ରହକୁ ଟେଲିସ୍କୋପ ମାଧ୍ୟମରେ ଦେଖାଯାଇ ପାରିବ ।
ଚଳିତ ମାସ ୨୦ ତାରିଖ ରାତି ୧୨ଟା ୪୪ରେ ଚନ୍ଦ୍ର ନିକଟରେ ମଙ୍ଗଳ ଶୂନ ଡିଗ୍ରୀରେ ପହଞ୍ଚି ଥିଲା। ପୃଥିବୀ ପୃଷ୍ଠର ଦକ୍ଷିଣ ଦିଗରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ୨୩ ତାରିଖ ଦ୍ବିପ୍ରହର ୨ଟା ୪୫ରେ ବୃହସ୍ପତିକୁ ଚନ୍ଦ୍ର ନିକଟରେ ପଶ୍ଚିମ ଦିଗରେ ଓ ୨୪ ତାରିଖ ଦ୍ବିପ୍ରହର ୨ଟା ୮ରେ ଶନି ଚନ୍ଦ୍ରର ଅତି ନିକଟକୁ ଆସିଯିବ। ଏହି ଦିନ ପୃଥିବୀ, ଚନ୍ଦ୍ର ଓ ଶନି ଗୋଟିଏ ସରଳ ରେଖାରେ ରହିବେ। ଏହାକୁ ଭୂପୃଷ୍ଠର ପଶ୍ଚିମ ଦିଗରେ ଟେଲିସ୍କୋପ ମାଧ୍ୟମରେ ଦେଖାଯାଇ ପାରିବ। ସେହିପରି ୨୮ ତାରିଖ ସଂଧ୍ୟା ୭ଟା ୨୮ରେ ଶୁକ୍ର ଚନ୍ଦ୍ରର ଅତି ନିକଟକୁ ଆସିଯିବ। ଉତ୍ତର ଦିଗରେ ଏହାକୁ ଦେଖାଯାଇ ପାରିବ। ମହାକାଶ ବିଜ୍ଞାନୀଙ୍କ ମତରେ ଉପରୋକ୍ତ ଦିନଗୁଡ଼ିକରେ ଦିନର ତାପମାତ୍ରା ବୃଦ୍ଧି ପାଇବା ସହ ରାତିରେ ଅଧିକ ଥଣ୍ଡା ଅନୁଭୂତ ହେବ। ଦେଶର କିଛି ଭାଗରେ ବର୍ଷା ଓ ପ୍ରବଳ କୁହୁଡ଼ି ଦେଖାଯିବ। କାଶୀ ବିଶ୍ବବିଦ୍ୟାଳୟର ଜ୍ୟୋତିଷାଚାର୍ଯ୍ୟ ପଣ୍ଠିତ ଗଣେଶ ମିଶ୍ରଙ୍କ କହିବାନୁଯାୟୀ ଅମାବାସ୍ୟା ପରେ ଆରମ୍ଭ ହେଉଥିବା ମାଘ ମାସ ଶୁକ୍ଳ ପକ୍ଷ ଏଥର ୧୫ ଦିନ ନୁହେଁ, ବରଂ ୧୬ ଦିନ ରହିବ। ତୃତୀୟା ତିଥି ବଢି ଯାଇଥିବାରୁ ଏପରିସ୍ଥିତି ଦେଖାଦେବ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ଳ ପକ୍ଷ ବଢିବା ଶୁଭ। ଦେଶରେ ଧନ, ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି କୁହାଯାଏ।

Comments are closed.