କୃଷ୍ଣପ୍ରସାଦରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ବିଶ୍ବ ନିଯୁକ୍ତି ବଜାରରେ ଓଡ଼ିଶାର ଦକ୍ଷ ଯୁବକଯୁବତୀମାନଙ୍କର ଚାହିଦା ବଢ଼ିବ: ମୁଖ୍ୟମନ୍ତ୍ରୀ

୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ,  ଦେଶର ୧୦୦ଟି ଶ୍ରେଷ୍ଠ ଆଇଟିଆଇ ମଧ୍ୟରେ ଓଡ଼ିଶାର ୧୦ଟି

ଭୁବନେଶ୍ବର : ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍‌ସ ମେକାନିକ୍ ଓ ଡ୍ରେସ ମେକିଂ(ପୋଷାକ ତିଆରି) ପରି ୪ଟି ଟ୍ରେଡ୍‌ରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଓ ଭବିଷ୍ୟତର ଶିଳ୍ପଗୁଡିକର ନିଯୁକ୍ତି ଚାହିଦାକୁ ଦେଖି ଏହି ତାଲିମ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଆଉ ଅଧିକ ଟ୍ରେଡରେ ତାଲିମ ଦେବାର ବ୍ୟବସ୍ଥା କରାଯିବ। ଏଥିରେ ଆଧୁନିକ ପରୀକ୍ଷାଗାର, କର୍ମଶାଳା, ଛାତ୍ରାବାସ ଆଦି ସମସ୍ତ ସୁବିଧା କରାଯାଇଛି।
ଏହି ଅବସରରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ବିକାଶ ହେବା ସହିତ ଦକ୍ଷ ଯୁବକଯୁବତୀଙ୍କର ଆବଶ୍ୟକତା ରହିଛି। ଓଡ଼ିଶାରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପିଲାମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ସ୍କିଲ୍ଡ ଇନ ଓଡ଼ିଶା କାର୍ଯ୍ୟକ୍ରମକୁ ମିଶନ ମୋଡ୍‌ରେ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ବିଶ୍ବ ନିଯୁକ୍ତି ବଜାରରେ ଓଡ଼ିଶାର ପିଲାମାନଙ୍କର ଚାହିଦା ସବୁଠାରୁ ଅଧିକ ହେବ। ଦେଶର ୧୨ ହଜାର ଆଇଟିଆଇ ମଧ୍ୟରୁ ଶ୍ରେଷ୍ଠ ଶହେଟି ମଧ୍ୟରେ ଓଡ଼ିଶାର ୧୦ଟି ଆଇଟିଆଇ ସ୍ଥାନ ପାଇଛି। ଏହା ଗୌରବର କଥା ବୋଲି ମତବ୍ୟକ୍ତ କରି ଏଥିପାଇଁ ଖୁସିବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଓଡ଼ିଶାର ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ଦକ୍ଷତା ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ରାଜ୍ୟ ପାଇଁ ସୁନାମ ଆଣୁଛନ୍ତି। ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ପିଲାମାନେ ଏଭଳି ସଫଳତାର ଧାରା ବଜାୟ ରଖିବେ ବୋଲି ଆଶାପ୍ରକାଶ କରିଥିଲ।
କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଲେ ଯେ କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ଓ ସମୁଦ୍ର ମଧ୍ୟରେ ୧୪ଟି ପଞ୍ଚାୟତର ଏକ ଦୁର୍ଗମ ଅଞ୍ଚଳ। ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ବିକାଶ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଆଜି ଆଇଟିଆଇ ସ୍ଥାପନ ଦ୍ବାରା ଏହି ଅଞ୍ଚଳରେ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ନୂଆ ଦିଗନ୍ତ ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ପିଲାମାନେ ଶିକ୍ଷା ଓ ତାଲିମ ପ୍ରତି ଆକୃଷ୍ଟ ହେବେ ବୋଲି ସେ ମତ ଦେଇଥିଲେ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରି କହିଥିଲେ ଯେ ରାଜ୍ୟରେ ଗ୍ରୀନ କ୍ୟାମ୍ପସ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ତେଣୁ ଆଇଟିଆଇ କ୍ୟାମ୍ପସରେ ଅଧିକ ଗଛ ଲଗାଇ ଏହାକୁ ସବୁଜ ସୁନ୍ଦର କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ପୁରୀ ଜିଲାପାଳ ସମର୍ଥ ବର୍ମା ସ୍ବାଗତ ଭାଷଣ ଦେଇଥିଲେ। ବୈଷୟିକ ଶିକ୍ଷା ନିର୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.