ନବରଙ୍ଗପୁର ଆଇଟିଡିଏର ଅଚଳାବସ୍ଥା; ଦୁଇବର୍ଷ ହେଲା ମିଳିନି ଅନୁଦାନ

ଚଳିତବର୍ଷର ଅନୁଦାନ ମାତ୍ର ୫୮ହଜାର ଟଙ୍କା

ନବରଙ୍ଗପୁର : ଆଦିବାସୀ ଅଧ୍ୟୁସିତ ନବରଙ୍ଗପୁର ଜିଲାର ବିକାଶ ପାଇଁ ସମନ୍ୱୀତି ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ରହିଛି। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଏହି ସଂସ୍ଥା ଦ୍ୱାରା ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ରାସ୍ତାନିର୍ମାଣ, ସେତୁ ନିର୍ମାଣ, ନଦୀରେ ଆଡିବନ୍ଧ ନିର୍ମାଣ ଓ ବିଭିନ୍ନ କାର୍ଯ୍ୟର ମରାମତି କାମ କରାଯାଇଥାଏ। ଏଡାଛଡା ମଙ୍ଗଳ ବିଭାଗର ବିଦ୍ୟାଳୟ ଓ ହଷ୍ଟେଲ ନିର୍ମାଣ, ମରାମତି ଓ ପିଇବା ପାଣି ବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟ କରାଯାଇଥାଏ। ଆଦିବାସୀ ଚାଷୀଙ୍କର ପାଇଁ ବହୁ ଯୋଜନା ହାତକୁ ନିଆଯାଇଥାଏ। ତେବେ ଗତ ଦୁଇବର୍ଷର୍ ହେଲା ଅନୁଦାନ ଆସୁନଥିବାରୁ ଏହି ବିଭାଗର କୈାଣସି କାର୍ଯ୍ୟ ହୋଇ ପାରୁନି। ଫଳରେ ଜିଲାର ବିକାଶରେ ବାଧାପ୍ରାପ୍ତ ହୋଇଛି।
୨୦୨୦-୨୧ ଆର୍ଥିକ ବର୍ଷରେ ଧାରା ୨୭୫(୧)ରେ କୋରାପୁଟ ଆଇଟିଡିଏକୁ ୧ କୋଟି ୨୨ ଲକ୍ଷ ଟଙ୍କା, ଜୟପୁର ଆଇଟିଡିଏକୁ ୮୪ଲକ୍ଷ ୨୦ ହଜାର ଟଙ୍କା, ରାୟଗଡା ଆଇଟିଡିଏକୁ ୮୧ ଲକ୍ଷ ୮୦ ହଜାର ଟଙ୍କା, ଗୁଣପୁର ଆଇଟିଡିଏକୁ ୨କୋଟି ୧୩ ଲକ୍ଷ ଟଙ୍କା ଓ ମାଲକାନଗିରି ଆଇଟିଡିଏକୁ ୨କୋଟି ୩୯ଲକ୍ଷ ୫୦ହଜାର ଟଙ୍କାମିଳିଛି। ଅପରପକ୍ଷରେ ଏହି ସମସ୍ତ ଆଇଟିଡିଏରୁ ସବୁଠାରୁ ବଡ ନବରଙ୍ଗପୁର ଆଇଟିଡିଏକୁ ମାତ୍ର ୫୮ ହଜାରଟଙ୍କା ଅନୁଦାନ ମିଳିଛି। ଯାହାକି ଜିଲାପାଇଁ ଘୋର ଅପମାନ ଓ ଚରମ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଜିଲାର କେବଳ ଗୋଟିଏ ମାତ୍ର ଏହି ଆଇଟିଡିଏ ଅଧିନରେ ସମସ୍ତ ୧୦ଟି ବ୍ଲକ ରହିଛି। ତଥାପି ରାଜ୍ୟସରକାର ଏହି ଆଇଟିଡିଏ ପ୍ରତି ବୈମାତୃକ ମନୋଭାବ କରି ଅନୁଦାନ ଦେଉନଥିବାରୁ ଜିଲାର ତୃଣମୂଳସ୍ତରର ଲୋକ ପ୍ରତିନିଧିମାନେ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହମାରୀ କରୋନା କାରଣରୁ ଲୋକମାନେ କାମ ଧନ୍ଦା ପାଉନଥିବାବେଳେ ଗତ ଦୁଇବର୍ଷ ହେଲା ଅନୁଦାନ ନମିଳିବା ଯୋଗୁଁ ଏହି ସଂସ୍ଥା ଦ୍ୱାରା କୈାଣସି ଉନ୍ନୟନମୂଳକ କାମ ହୋଇ ପାରୁନି। ଫଳରେ କାର୍ଯ୍ୟାଳୟର ଅଧିକାର ଓ କର୍ମଚାରୀଙ୍କର ମଧ୍ୟରେ ନୈରାଶ୍ୟ ଖେଳିଯାଇଛି। ଏହି ସଂସ୍ଥାରେ ୧୦ଟ ିବ୍ଲକ ପାଇଁ ମାତ୍ର ୩ଜଣ କନିଷ୍ଠଯନ୍ତ୍ରୀ ଅଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ଭାରପ୍ରାପ୍ତ ଦାୟୀତ୍ୱ ରେ ଅଛନ୍ତି। ଜଣେ କନିଷ୍ଠଯନ୍ତ୍ରୀ ନିଲମ୍ବିତ ହୋଇ ବଦଳି ହୋଇଥିବାବେଳେ ଅନ୍ୟଜଣଙ୍କର ବଦଳି ହୋଇଛି। ଜଣେ କନିଷ୍ଠଯନ୍ତ୍ରୀ ଭାରପ୍ରାପ୍ତ ସହକାରୀନିର୍ବାହୀ ଯନ୍ତ୍ରୀ ଦାୟୀତ୍ୱରେ ରହିଛନ୍ତି। ପ୍ରକଳ୍ପ ପ୍ରଶାସକଙ୍କର ମଧ୍ୟ ବଦଳି ହୋଇଛି। ଏଭଳି ପରିସ୍ଥିତିରେ ସରକାରୀ ଅନୁଦାନ ବନ୍ଦ ହୋଇଥିବାରୁ ଏହି ସଂସ୍ଥାରେ ଅବସ୍ଥା ଅତି ଜଟିଳ ପରିସ୍ଥିିତି ଦେଇ ଗତି କରୁଛି। ଜିଲାର ସାଂସଦ ଓ ବିଧାୟକ ମାନେ ମଧ୍ୟ ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହିଜିଲାର ସାଂସଦ ପୂର୍ବରୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର କ୍ୟାବିନେଟ ମନ୍ତ୍ରୀଥିଲେ। ତଥାପି ଏହି ଆଇଟିଡିଏରେ ଅନୁଦାନ ନମିଳିବା ଓ ଜିଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିଲେ ମଧ୍ୟ ସେ ନୀରବ ରହିବା ଓ ସାଂସଦ ଓ ବିଧାୟକ ଲୋକପ୍ରତିନିଧିମାନେ କୈାଣସି ପ୍ରତିକ୍ର୍ରିୟା ରାଜ୍ୟ ସରକାରଙ୍କୁ ଜଣାଉନଥିବା ବିଡମ୍ବନାର ବିଷୟ ହୋଇଛି। ଏସଂପର୍କରେ ଜିଲାର ବରିଷ୍ଠ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ପଚାରିବାରୁ ସବୁଠାରୁ ବଡ ଏହି ଆଇଟିଡିଏରେ ଆବଶ୍ୟକତା ଅନୁସାରେ ଅନୁଦାନ ମିଳିବା ଉଚିତ। ଦୁଇବର୍ଷ ହେଲା ଟଙ୍କା ନଥିବାରୁ ଏହି ସଂସ୍ଥାର କାମ ବନ୍ଦ ହୋଇଯାଇଛି। ଫଳରେ ଏହା ଜିଲାର ବିକାଶରେ ବାଧାପ୍ରାପ୍ତ ହେଉଛି। ଏସଂପର୍କରେ ସେ ବିଭାଗୀୟ ସଚିବ ଓ ନିର୍ଦ୍ଦେଶକଙ୍କର ସହ ଆଲୋଚନା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଭାରପ୍ରାପ୍ତ ପ୍ରକଳ୍ପ ପ୍ରଶାସକ ପବିତ୍ର ମୋହନ ପ୍ରଧାନଙ୍କୁ ପଚାରିବାରୁ ସରକାରଙ୍କର ଠାରୁ ଆବଶ୍ୟକ ଅନୁଦାନ ମିଳିନଥିବାରୁ ଉନ୍ନୟନ କାର୍ଯ୍ୟ ହୋଇପାରୁନଥିବା ସ୍ୱୀକାର କରିଥିଲେ। ତେବେ ଆଗାମୀଦିନରେ ନିଶ୍ଚିତ ଭାବେ ରାଜ୍ୟ ସରକାର ଅନୁଦାନ ଦେବେ ବୋଲି ସେ ଆଶାପ୍ରକାଶ କରିଥିଲେ।

Comments are closed.