ଚୀନ ସେନା ସହ ୧୭ରୁ ୨୦ଘଣ୍ଟା ଲଢ଼ିଥିଲା ଆଇଟିବିପି

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନା ସହିତ ଯେଉଁ ସଂଘର୍ଷ ହୋଇଥିଲା ସେଥିରେ ଇଣ୍ଡୋ ତିବ୍‍ବତ ବର୍ଡର ପୁଲିସ (ଆଇଟିବିପି)ର ଯବାନମାନେ ସାରା ରାତି ସଂଘର୍ଷ କରିଥିଲେ। ଜୁନ୍‍ ୧୫ ତାରିଖ ରାତିରେ ଚୀନ ସେନା ସହିତ ସୀମାରେ ଯେଉଁ ସଂଘର୍ଷ ହୋଇଥିଲା ସେଥିରେ ଆଇଟିବିପି ଯବାନମାନେ ୧୭ରୁ ୨୦ ଘଣ୍ଟା ଲଢେଇ କରିଥିଲେ ବୋଲି ଶୁକ୍ରବାର ଏହି ସୀମା ସୁରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି। ଆଇଟିବିପି କହିଛି ଯେ ଏହାର ଯବାନମାନେ ଚୀନ ସୈନିକଙ୍କୁ ଦୃଢ ଜବାବ ଦେବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ।

ଆଇଟିବିପି ଯବାନମାନେ ସେମାନଙ୍କର ସର୍ବୋଚ୍ଚ ଦକ୍ଷତା ପ୍ରଦର୍ଶନ ପୂର୍ବକ ଏକଜୁଟ ହୋଇ ଲଢିଥିଲେ। ଏପରିକି ନିଜର ଆହତ ଯବାନମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ଓ ସମ୍ବେଦନଶୀଳ ଅଞ୍ଚଳକୁ ସୁରକ୍ଷା ଦେଇଥିଲେ। ଗଲୱାନ ସଂଘର୍ଷ ସମ୍ପର୍କରେ ଆଇଟିବିପି ପକ୍ଷରୁ ପ୍ରଥମ ପ୍ରତିକ୍ରିୟାରେ ଏପରି କୁହାଯାଇଛି। ଜୁନ୍‍ ୧୫ ତାରିଖରେ ହୋଇଥିବା ଏହି ସଂଘର୍ଷରେ ଆଇଟିବିପିର ୨୧ ଯବାନ ସହିଦ ହୋଇଥିଲେ। ଚୀନର ଅନେକ ସୈନିକ ପ୍ରାଣ ହରାଇଥିବା ନେଇ ବେଜିଂ ସ୍ୱୀକାର କରିଥିଲେ ମଧ୍ୟ ଏହାର ପ୍ରକୃତ ସଂଖ୍ୟା ଘୋଷଣା କରି ନାହିଁ। ଏହି ସଂଘର୍ଷରେ ସହିଦ ଆଇଟିବିପି ଯବାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ମରଣୋତ୍ତର ଭାବେ ପୁଲିସ ସାହସିକତା ପଦକ ପ୍ରଦାନ କରାଯିବାକୁ ସୁପାରିସ କରାଯାଇଥିବାବେଳେ ୨୯୪ ଯବାନଙ୍କୁ ମହାନିର୍ଦେଶକ (ଡିଜି) ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ଆଇଟିବିପିର ୯୦,୦୦୦ ଯବାନ ଚୀନ ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ୩୪୮୮ କିମିକୁ ସୁରକ୍ଷା ଦେଇଥାନ୍ତି।

Comments are closed.