ଇଟାଲୀ ୟୁରୋ କପ୍ ଚମ୍ପିଆନ୍

ଲଣ୍ଡନ୍‌ : ଇଟାଲୀ ଚଳିତବର୍ଷର ୟୁରୋ କପ୍‌ ଫୁଟ୍‌ବଲ ଚମ୍ପିଆନ୍ ହୋଇଛି। ରବିବାର ରାତିରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡକୁ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ୩-୨ (୧-୧) ଗୋଲ୍‌ରେ ଇଟାଲୀ ପରାସ୍ତ କରିଛି। ୯୦ ମିନିଟର ନିର୍ଦ୍ଧାରିତ ସମୟରେ ସ୍କୋର୍ ୧-୧ ରହିଥିବା ବେଳେ ଅତିରିକ୍ତ ସମୟରେ ଗୋଲ୍‌ ହୋଇନଥିଲା। ଫଳରେ ପେନାଲ୍‌ଟି ସୁଟ୍‌ଆଉଟ ହୋଇଥିଲା। ଏଥିରେ ଇଟାଲୀର ଆଣ୍ଡ୍ରିଆ ବେଲୋଟି ଓ ଜର୍ଜିନ୍ୟୋ ପେନାଲ୍‌ଟି ମିସ୍ କରିଥିବା ଇଂଲଣ୍ଡର ୩ ଖେଳାଳି ମାର୍କସ ରାସ୍‌ଫୋର୍ଡ, ଜାଡନ୍ ସାଞ୍ଚୋ ଓ ବୁକାୟୋ ସାକା ପେନାଲ୍‌ଟି ମିସ୍ କରିଥିଲେ। ଇଟାଲୀର ଗୋଲ୍‌ରକ୍ଷକ ଜିଆନ୍‌ଲୁଇଗି ଡୋନାରୁମା ୨ଟି ପେନାଲ୍‌ଟିକୁ ରୋକିଥିବା ବେଳେ ରାସ୍‌ଫୋର୍ଡଙ୍କ ସଟ୍‌ ଗୋଲ୍‌ପୋଷ୍ଟରେ ବାଜିଥିଲା। ୨ୟ ମିନିଟରେ ଇଂଲଣ୍ଡର ଲ୍ୟୁକ୍‌ ସ’ ଗୋଲ୍‌ ଦେଇଥିବା ବେଳେ ୬୭ ମିନିଟରେ ଇଟାଲୀର ଲିଓନାର୍ଡୋ ବୋନୁଚି ଗୋଲ୍‌ ସୁଝାଇ ଦେଇଥିଲେ। ଇଟାଲୀ ୨ୟ ଥର ୟୁରୋ କପ୍ ଚମ୍ପିଆନ୍ ହୋଇଥିବା ବେଳେ ପ୍ରଥମଥର ଫାଇନାଲ ଖେଳିଥିବା ଇଂଲଣ୍ଡ ନିରାଶ ହୋଇଛି।
ମ୍ୟାଚ୍‌ରେ ଉଭୟ ଦଳ ଭଲଭାବେ ପାଦ ଥାପିବା ପୂର୍ବରୁ ଗୋଲ୍‌ ହୋଇ ଯାଇଥିଲା। ଇଂଲଣ୍ଡ ଏହି ଗୋଲ୍‌ଦେଇ ଘରୋଇ ଦର୍ଶକଙ୍କୁ ଉତ୍ସବମୁଖର କରିଥିଲା। ୧ ମିନିଟ ୫୭ ସେକେଣ୍ଡରେ ଗୋଲ୍‌ହେବା ସହ ରୋମାଞ୍ଚକର ଭାବେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ମଧ୍ୟରେଖା ପାଖରୁ ଇଂଲଣ୍ଡ ଅଧିନାୟକ ହାରି କେନ୍ ପାସ୍ ଦେଇଥିଲେ କିରାନ୍ ଟ୍ରପିଅର୍‌ଙ୍କୁ। ଗୋଲ୍‌ପୋଷ୍ଟର ବାମପଟେ ଏକା ଛିଡ଼ା ହୋଇଥିବା ଲ୍ୟୁକ୍‌ ସ’ଙ୍କୁ ଟ୍ରିପିଅର୍ ପାସ୍ ଦେଇଥିଲେ; ଯେଉଥିରୁ ସ’ ଗୋଲ୍‌ ଦେଇଥିଲେ। ୟୁରୋ କପ୍ ଫାଇନାଲରେ ଏହା ଦ୍ରୁତତମ ଗୋଲ୍‌ ଥିଲା। ପ୍ରଥମାର୍ଦ୍ଧର ଶେଷଆଡ଼କୁ ଇଟାଲୀର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୪୫ ମିନିଟରେ ଇଟାଲୀର ମାର୍କୋ ଭେରାଟିଙ୍କ ସଟ୍‌କୁ ଇଂଲଣ୍ଡ ଗୋଲ୍‌ରକ୍ଷକ ପିକ୍‌ଫୋର୍ଡ ରୋକି ଦେଇଥିଲେ। ପ୍ରଥମାର୍ଦ୍ଧରେ ଇଂଲଣ୍ଡ ୧-୦ ଗୋଲ୍‌ରେ ଆଗୁଆ ଥିଲା। ୬୨ ମିନିଟରେ ଫେଡେରିକୋ କିଏସାଙ୍କ ସଟ୍‌କୁ ଇଂଲଣ୍ଡ ଗୋଲ୍‌ରକ୍ଷକ ପିକ୍‌ଫୋର୍ଡ ଡାଇଭ୍‌ମାରି ରୋକି ଦେଇଥିଲେ। ୬୭ ମିନିଟରେ ଇଟାଲୀ ଗୋଲ୍ ସୁଝାଇ ଦେଇଥିଲା। ବେରାର୍ଡି ମାରିଥିବା କର୍ଣ୍ଣରରୁ ଇଟାଲୀର ଭେରାଟି ସଟ୍‌ ମାରିଥିଲେ ହେଁ ଇଂଲଣ୍ଡ ଗୋଲ୍‌ରକ୍ଷକ ଏହାକୁ ରୋକିଥିଲେ। ତେବେ ରିବାଉଣ୍ଡ୍‌ରୁ ବୋନୁଚି ଏହାକୁ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ​‌ ଦେଇଥିଲେ।

Comments are closed.