ଟ୍ବିଟରକୁ ନୂଆ ଆଇଟି ମନ୍ତ୍ରୀ ଅଶ୍ବିନୀଙ୍କ ଚେତାବନୀ : ସମସ୍ତେ ଦେଶର ଆଇନ ମାନିବାକୁ ବାଧ୍ୟ

ନୂଆଦିଲ୍ଲୀ :  ​‌ନୂଆ ସୂଚନା ପ୍ରଯୁକ୍ତି (ଆଇଟି) ତଥା ରେଳ ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁରୁବାର ବିଭାଗର ଦାୟିତ୍ବ ଗ୍ରହଣ କରିଛନ୍ତି। ଦାୟିତ୍ବ ଗ୍ରହଣ ପରେ ନୂଆ ମନ୍ତ୍ରୀଙ୍କୁ ସାମାଜିକ ଗଣମାଧ୍ୟମ ଟ୍ବିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉପରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଭାରତରେ ଯେଉଁମାନେ ବାସ କରୁଛନ୍ତି ଓ ଭାରତରେ ଯେଉଁ କମ୍ପାନୀଗୁଡିକ କାମ କରୁଛନ୍ତି ସେମାନେ ଦେଶର ଆଇନ ମାନି ଚଳିବାକୁ ବାଧ୍ୟ। ଏଥିରେ କୌଣସି ସାଲିସ କରାଯାଇପାରିବ ନାହିଁ। ଦେଶର ଆଇନ ହେଉଛି ସର୍ବମାନ୍ୟ। ମେ ୨୬ ତାରିଖରୁ କେନ୍ଦ୍ର ସରକାର ଦେଶରେ ନୂଆ ସୂଚନା ପ୍ରଯୁକ୍ତି ଆଇନ ପ୍ରଚଳନ କରିଥିବାବେଳେ ଆମେରିକୀୟ କମ୍ପାନୀ ଟ୍ବିଟର ଏହାକୁ ମାନିବାକୁ ନାରାଜ। ନୂଆ ଆଇନ ଅନୁଯାୟୀ ଅଭିଯୋଗ ଶୁଣାଣି ନିମନ୍ତେ ଟ୍ବିଟର ଭାରତରେ ୩ଜଣ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ କରିବାକୁ ଥିବାବେଳେ ଏହାକୁ କାର୍ଯ୍ୟକାରୀ କରି ନାହିଁ। ୫୦ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବା ସାମାଜିକ ଗଣମାଧ୍ୟମ ପାଇଁ ଏହା ବାଧ୍ୟତାମୂଳକ। ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତିରେ ବିଫଳତାକୁ​‌ ନେଇ ଟ୍ବିଟର ଆଜି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଜବାବ ରଖିଛି। ଟ୍ବିଟର କହିଛି ଯେ ଏହା କେବଳ ଅଭିଯୋଗ ଶୁଣାଣି ନିମନ୍ତେ ଜଣେ ମାତ୍ର ମଧ୍ୟବର୍ତ୍ତୀକାଳୀନ ଅଧିକାରୀ ନିଯୁକ୍ତି କରିଛି। ଅନ୍ୟ ଦୁଇ ଅଧିକାରୀଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ। ଏଥିପାଇଁ କମ୍ପାନୀ ୮ ସପ୍ତାହ ସମୟ ମାଗିଛି। ତେବେ ଅଦାଲତ ଟ୍ବିଟରକୁ ଦୁଇ ସପ୍ତାହ ମଧ୍ୟରେ ନୂଆ ଆଇନ କାର୍ଯ୍ୟକାରୀ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ମନ୍ତ୍ରୀ ବୈଷ୍ଣବ ରେଳମନ୍ତ୍ରଣାଳୟ କର୍ମଚାରୀଙ୍କୁ ଦୁଇଟି ପର୍ଯ୍ୟାୟରେ ସକାଳ ୭ରୁ ରାତି ୧୨ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି।

Comments are closed.