କାରରେ ଏକୁଟିଆ ଯାତ୍ରା କଲେ ବି ମାସ୍କ ପିନ୍ଧିବା ଜରୁରୀ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କାରରେ ଏକୁଟିଆ ଯାତ୍ରା କରୁଥିଲେ ବି ମାସ୍କ ପିନ୍ଧିବା ଜରୁରୀ। ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ବୁଧବାର ଏହି ଗୁରୁତ୍ଵପୂର୍ଣ୍ଣ ଆଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଯଦି କୌଣସି ବ୍ୟକ୍ତି ନିଜେ ଏକୁଟିଆ କାର ଚାଳନା କରି ଯାଉଛନ୍ତି, ତେବେ ତାଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମାସ୍କ କରୋନା ଭୂତାଣୁଠାରୁ ବର୍ତ୍ତିବା ଲାଗି ଏକ ସୁରକ୍ଷା କବଚ ଭଳି କାମ କରିଥାଏ।

କାର୍‌ ଚାଳକ ଏକୁଟିଆ କାର୍‌ରେ ଥାଇ ମାସ୍କ ନ ପିନ୍ଧିଲେ ଜରିମାନା ଦେବାକୁ ପଡ଼ିବ ବୋଲି  ଦିଲ୍ଲୀ ସରକାର ନିର୍ଦେଶନାମା ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତି ହାଇକୋର୍ଟରେ ପିଟିଶନ ଦାୟର କରିଥିଲେ। ଜଷ୍ଟିସ ପ୍ରତିଭା ଏମ. ସିଂହଙ୍କ ଜଣିକିଆ ଖଣ୍ଡପୀଠ ଏହି ପିଟିଶନର ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି।

ହାଇକୋର୍ଟ କହିଛନ୍ତି, ବୈଜ୍ଞାନିକ ଏବଂ ବିଦେଶୀ ସରକାରମାନେ ବି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ଏହି ମହାମାରୀର ବହୁତ ସମସ୍ୟା ରହିଛି, କେହି ଟିକା ନେଇଥିଲେ ବି ମାସ୍କ ପିନ୍ଧିବା ଜରୁରୀ। କାର୍‌କୁ ବି ସର୍ବସାଧାରଣ ସ୍ଥାନ ଭାବେ ବିବେଚନା କରାଯିବ, ସେଥିଲାଗି କାରରେ ଜଣେ ଥିଲେ ବି ମାସ୍କ ପିନ୍ଧିବା ଆବଶ୍ୟକ।

Comments are closed.