ଡାକ୍ତରଖାନା ରୂପ ବଦଳିଲା, ହେଲେ ବଦଳିପାରୁନି ସମସ୍ୟା

ବଡ଼ସାହି : ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟସେବା ପାଇଁ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ସଠିକ ପରିଚାଳନା ଅଭାବ ଯୋଗୁଁ ସମସ୍ୟା ବଦଳି ପାରୁନି। ନିକଟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ବିଭିନ୍ନ ଯୋଜନା ଅନୁଦାନରେ ମିଳୁଥିବା ସ୍ୱାସ୍ଥ୍ୟସେବା ଓ ଭିତ୍ତି ଭୂମିର ସମୀକ୍ଷା ପାଇଁ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ବଡ଼ସାହି ବ୍ଲକ ପରିଦର୍ଶନ କରି ଫେରିଛନ୍ତି। ତେବେ ସେମାନେ ଆସିବା ପୂର୍ବରୁ ଡ଼ାକ୍ତରଖାନାର ରୂପ ବଦଳିଲା ହେଲେ ସମସ୍ୟା ପୂର୍ବ ଭଳି ରହିଛି।

୧୯୬୧ ମସିହାରେ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ଜିଲା ମୁଖ୍ୟାଳୟଠାରୁ ଏହା ୩୫କି.ମି. ଦୂର ହୋଇଥିବା ବେଳେ ୩୦ଟି ପଞ୍ଚାୟତର ୨୧୨ଟି ଗ୍ରାମର ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ଏହା ଉପରେ ନିର୍ଭରଶୀଳ। ବୁଢ଼ାବଳଙ୍ଗ ଓ ଗଙ୍ଗାହାରନଦୀ ସଂଲଗ୍ନରେ ଥିବା ଗ୍ରାମଗୁଡ଼ିକ ବନ୍ୟାପ୍ରବଣ ହୋଇଥିବା ବେଳେ ଶିମିଳିପାଳ ପଦାଦେଶରେ ଥିବା ଗ୍ରାମଗୁଡ଼ିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ଚିହ୍ନିତ। ଏହି କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତରଙ୍କୁ ମିଶାଇ ୫ଜଣ ବିଶେଷଜ୍ଞ ଡାକ୍ତର ପଦବୀ ଥିବା ବେଳେ ସ୍ତ୍ରୀ ଓ ପ୍ରସୂତୀ, ଶିଶୁ ରୋଗ, ଭେଷଜ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଛି। ବର୍ତ୍ତମାନ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ଜଣ ନବାଗତ ଏମ୍‍ବିବିଏସ୍‍ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟ ସେବା ଚାଲିଛି। ଅଭିଜ୍ଞ ଡାକ୍ତର ନ ଥିବାରୁ ଏଠାରେ ଗୁରୁତର ଚିକତ୍ସା ସେବା ଅଚଳ ହୋଇଛି। ମହିଳା ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀମାନେ ଘରୋଇ ନର୍ସିଂ ହୋମ କିମ୍ବା କ୍ଳିନିକ ଉପରେ ଭରସା କରୁଛନ୍ତି। ଫଳରେ ଡ଼ାକ୍ତରଖାନାରେ ଦିନକୁ ଦିନ ଗର୍ଭବତୀ ମହିଳାଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ପ୍ରକାରର ରୋଗୀମାନେ ଡ଼ାକ୍ତରଖାନାକୁ ନଆସି ବାରିପଦା, ବାଲେଶ୍ୱର କିମ୍ବା କଟକ ଡ଼ାକ୍ତରଖାନା ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେଉଛନ୍ତି। କେତେକ ଛୋଟ ଛୋଟ ରୋଗକୁ ଛାଡିଦେଲେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଡାକ୍ତର ନଥିବାରୁ ସରକାରଙ୍କ ଜନମଙ୍ଗଳକାରୀ ଯୋଜନାଗୁଡିକୁ ସୁଫଳ ମିଳିପାରୁ ନାହିଁ। ସାମାନ୍ୟ ଜ୍ୱର, କାଶ, ଥଣ୍ଡା ଧରିଥିବା ରୋଗୀମାନେ ଡାକ୍ତରଖାନାକୁ ଆସୁଥିବା ବେଳେ ଗୁରୁତର ଥିବା ରୋଗୀମାନେ ୩୦କି.ମି. ଦୂର ବାରିପଦା କିମ୍ବା ୪୦କି.ମି. ଦୂର ବାଲେଶ୍ୱର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଏହି ସିଏଚସି ଅଧୀନରେ ଦେଉଳିଆ, ଶାକୁଆ, କମଳାଶୋଳ, ସାନକେରକ ଓ ମାଣତ୍ରୀଠାରେ ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। କମଳାଶୋଳ ଓ ସାନକେରକ କେନ୍ଦ୍ରରେ ଦୀର୍ଘଦିନ ଧରି ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଆୟୂଷ ଡାକ୍ତରଙ୍କୁ ନେଇ ଚାଲିଛି ସ୍ୱାସ୍ଥ୍ୟ ସେବା। ଶାକୁଆ ଡ଼ାକ୍ତରଖାନାର ଡ଼ାକ୍ତର ସଞ୍ଜୀବ ବଇତାଇ ବଡ଼ସାହି ସିଏଚସିର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବାରୁ ସେଠାରେ ଡ଼ାକ୍ତର ପଦବୀ ଖାଲି ପଡ଼ିଛି। ସେହିପରି ମାଣତ୍ରୀ ଡ଼ାକ୍ତରଖାନାରେ ଗୋଟିଏ ଡ଼ାକ୍ତର ପଦବୀ ଖାଲିପଡ଼ିଛି।

ବଡ଼ସାହି ସିଏଚସିରେ ୨୦୧୫-୧୬ରେ ୩୧ହଜାର ୧୦୮ ଜଣ ଓ ୨୦୧୬-୧୭ବର୍ଷରେ ୨୮ହଜାର ୨୩୭ଜଣ ରୋଗୀ ବର୍ହିବିଭାଗରେ ଚିକିତ୍ସିତ ହୋଇଛନ୍ତି।୨୦୧୮-୧୯ବର୍ଷରେ ୪୮ହଜାର ୬୨୯ଜଣ ରୋଗୀ ବର୍ହିବିଭାଗ ଓ ୪ହଜାର ୫୭୦ଜଣ ରୋଗୀ ଅନ୍ତର୍ବିଭାଗରେ ଚିକିତ୍ସିତ ହୋଇଥିବା ବେଳେ ୨୦୧୯-୨୦ବର୍ଷରେ ଚଳିତ ମାସ ସୁଦ୍ଧା ୩୩ହଜାର ୨୧୩ ଜଣ ରୋଗୀ ବର୍ହିବିଭାଗକୁ ଆସିଥିବା ବେଳେ ୧ହଜାର ୮୪୯ଅର୍ନ୍ତବିଭାଗରେ ଚିକିତ୍ସା ସୁବିଧା ପାଇଛନ୍ତି। ରିପୋର୍ଟକୁ ଦେଖିଲେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଡାକ୍ତର ଅଭାବ ସମସ୍ୟା ପାଇଁ ବହୁ ରୋଗୀ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ୨୦୧୮-୧୯ମସିହାରେ ଡ଼ାକ୍ତରଖାନାରେ ପ୍ରସୂତିଙ୍କ ସଂଖ୍ୟା ୬୦୫ଥିବା ବେଳେ ଅଭିଜ୍ଞ ଡାକ୍ତର ନଥିବାରୁ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ମାତ୍ର ୧୧୬ ଜଣ ପ୍ରସୂତି ଆସିଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ଏଠାରେ ଅତ୍ୟନ୍ତ ଜରୁରୀ ହୋଇପଡିଥିବା ବେଳେ ବିଭାଗ ପକ୍ଷରୁ ତାହା ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ୫ଟି ଜରିଆରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଲକ୍ଷ୍ୟ ରଖିଥିବା ବେଳେ ଅଭିଜ୍ଞ ତଥା ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିବା ସେଥିରେ ଅନ୍ତରାୟ ଆଣୁଛି।

Comments are closed.