ମୌସୁମୀ ପ୍ରସଙ୍ଗ : କୋଭିଡ୍‌ ପରିଚାଳନା ଅବ୍ୟବସ୍ଥାରୁ ବିଦ୍ୟୁତ୍‌ ଦରବୃଦ୍ଧି ଯାଏ

ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ଓ ତଜ୍ଜନିତ ମୃତ୍ୟୁ ସଙ୍କଟ ମଧ୍ୟରେ ଆଜିଠାରୁ (ମଙ୍ଗଳବାର) ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଅନେକ ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ। କେବଳ ଜନସାଧାରଣଙ୍କୁ ନୁହେଁ, ଜନପ୍ରତିନିଧିମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିଧାନସଭା ପରିସରରେ ଏଥିପାଇଁ ଯେଉଁ ନମୁନା ପରୀକ୍ଷା କରାଯାଇଥିଲା, ସେଥିରୁ ଉପବାଚସ୍ପତି, ୩ ଜଣ ମନ୍ତ୍ରୀ ଓ ୧୧ ଜଣ ବିଧାୟକଙ୍କ ସମେତ ବିଧାନସଭା ସହ ସଂପୃକ୍ତ ଶତାଧିକ ବ୍ୟକ୍ତି ସଂକ୍ରମିତ ଥିବା ଜଣାପଡ଼ିଛି। ଏଥିରୁ ସ୍ଥିତି କଳନା କରାଯାଇପାରେ।
ସେ ଯାହାହେଉ, ଏହି ସଙ୍କଟ ସମୟରେ ବସୁଥିବା ବିଧାନସଭା ଅଧିବେଶନରେ ଶାସକ ଓ ବିରୋଧୀ ଉଭୟଙ୍କ ନିକଟରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି, ଯାହାକୁ ନେଇ ତର୍କବିତର୍କ ଓ ବିଚାରବିମର୍ଶ ହେବା ଆବଶ୍ୟକ। ତେବେ ଏଥର ସଂସଦ ଅଧିବେଶନ ପରି ଓଡ଼ିଶା ବିଧାନସଭାରେ ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳକୁ ବାଦ୍‌ ଦିଆଯାଇଛି, ଯେଉଁଥିରେ ସିଧାସଳଖ ବିଧାୟକମାନେ ସଂପୃକ୍ତ ବିଭାଗର ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥାଆନ୍ତି ଓ ସେ ଉତ୍ତର ଦେବାକୁ ବାଧ୍ୟ ହୁଅନ୍ତି। ପୂରକ ପ୍ରଶ୍ନ ମଧ୍ୟ ପଚାରିବାର ସୁଯୋଗ ଥାଏ; ତେଣୁ ସରକାର ଉତ୍ତରଦାୟୀ ହେବାକୁ ବାଧ୍ୟ ହୁଅନ୍ତି; କିନ୍ତୁ ଏଥର ପ୍ରଶ୍ନକାଳକୁ ବାଦ୍‌ ଦିଆଯାଇଥିବାରୁ ବିଧାୟକମାନେ ଏଥିରୁ ବଞ୍ଚିତ ହେବେ। କେତେକ ରାଜ୍ୟର ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ପୂର୍ବବତ୍‌ ଅନୁଷ୍ଠିତ ହୋଇସାରିଛି। ସତର୍କତାର ସହ ଏହା ସଂପନ୍ନ କରାଯାଇପାରିଥିଲେ ଅଧିକ ସଂଗତ ହୋଇଥାନ୍ତା। ତେବେ ବିରୋଧୀଙ୍କ ପାଖରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଓ ପ୍ରସଙ୍ଗ ରହିଛି, ଯାହାର ଉତ୍ତର ସରକାରଙ୍କୁ ଅବଶ୍ୟ ଦେବାକୁ ହେବ।
ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ଦିନକୁଦିନ ବଢ଼ିଚାଲିଥିବାବେଳେ ଏହାର ହ୍ରାସ ପାଇଁ ସରକାର ଯେତିକି ପଦକ୍ଷେପ ନେଇଛନ୍ତି, ତାହା ଯେ ସ୍ଥିତି ସୁଧାରିବା ପାଇଁ ଯଥେଷ୍ଟ ନୁହେଁ, ଏହା ପ୍ରମାଣିତ ହୋଇଚାଲିଛି। ଏଥିପାଇଁ ବିରୋଧୀ ସ୍ବର ଉଠାଇଛନ୍ତି ସତ; କିନ୍ତୁ ତାହା ସ୍ଥିତିକୁ ସୁଧାରିବାରେ ସମର୍ଥ ହୋଇନାହିଁ। ବିଧାନସଭା ବସିବାର ଠିକ୍‌ ଅବ୍ୟବହିତ ପୂର୍ବରୁ ଶାସକ ଦଳର ଜଣେ ସଦସ୍ୟ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ବିରୋଧୀଙ୍କ କୋଭିଡ୍‌ ପରିଚାଳନା ଅବ୍ୟବସ୍ଥାକୁ ସ୍ବୀକାର କରିବା ସହ ଅଭିଯୋଗ ମିଛ ନୁହେଁ ବୋଲି କହି ବିରୋଧୀଙ୍କ ହାତରେ ଏକ ବଡ଼ ଅସ୍ତ୍ର ଧରାଇଦେଇଛନ୍ତି। ବିଧାନସଭାରେ ବିରୋଧୀ ଦଳ ଏହାକୁ ନେଇ ସରକାରଙ୍କୁ ଆକ୍ରମଣ କରିବା ସହଜ ହେବ। ତେବେ ସେ ଯାହା କହିଛନ୍ତି, ତାହା ହିଁ ସତ୍ୟ। ସରକାର କୋଭିଡ୍‌ ରୋଗୀଙ୍କ ପାଇଁ ଯଥେଷ୍ଟ ଶଯ୍ୟା ରହିଛି ବୋଲି କହୁଥିଲେ ହେଁ ବାସ୍ତବ କ୍ଷେତ୍ରରେ ସ୍ଥିତି ଭିନ୍ନ। ଆଇସିୟୁ ଶଯ୍ୟାର ମଧ୍ୟ ଘୋର ଅଭାବ। ସବୁଠୁ ଗୁରୁତ୍ବପୂର୍ଣ୍ଣ, କରୋନା ଆଳରେ ଡାକ୍ତରଖାନା ବା ଡାକ୍ତରମାନେ ଅନ୍ୟ ରୋଗୀକୁ ମଧ୍ୟ ଚିକିତ୍ସା କରିବାକୁ ଚାହୁଁନାହାନ୍ତି। ଏଭଳି ବି ଉଦାହରଣ ରହିଛି ଯେ ଚିକିତ୍ସା ଅଭାବରୁ ଅନ୍ୟ ରୋଗ ଭୋଗୁଥିବା ରୋଗୀଙ୍କର ମୃତ୍ୟୁ ଘଟିଛି। ମୁଖ୍ୟକଥା ହେଲା ସରକାର ନୀତିନିୟମ ପ୍ରଣୟନ ସ୍ତରରେ ଯେତିକି ଆଗୁଆ ହୋଇଛନ୍ତି, କାର୍ଯ୍ୟକାରିତା କ୍ଷେତ୍ରରେ ସେତିକି ପଛରେ ପଡ଼ିଛନ୍ତି। ତୁଳନାତ୍ମକ ଭାବେ ଦେଖିଲେ ରାଜ୍ୟରେ କରୋନା ମୃତ୍ୟୁହାର କମ୍‌ ରହିଛି, କିନ୍ତୁ ତାହା ସରକାରଙ୍କ ଦାୟିତ୍ବବୋଧକୁ କମ୍ କରିଦେଉନାହିଁ। ସରକାର କିଭଳି ଅଧିକ ଦାୟିତ୍ବସଂପନ୍ନ ହେବେ ଏବଂ ବିରୋଧୀ ତାଙ୍କୁ କି ପରାମର୍ଶ ଦେଉଛନ୍ତି, ତାହା ଦେଖିବା କଥା।
କରୋନା ସଙ୍କଟ ବ୍ୟତୀତ ବିଦ୍ୟୁତ୍‌ ଦରବୃଦ୍ଧି, ବଗଲା ଧର୍ମଶାଳା ଜମି ଦୁର୍ନୀତି, ସାର ଦୁର୍ନୀତି, ନୂତନ ବିଶ୍ବବିଦ୍ୟାଳୟ ଆଇନ, କାମ୍ପା ଓ ଡିଏମ୍‌ଏଫ୍‌ ପାଣ୍ଠିର ଅନିୟମିତତା, ବନ୍ୟା ସହାୟତା ହେର୍‌ଫେର୍‌ ଆଦି ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ ଇତ୍ୟାଦି କେନ୍ଦ୍ରପ୍ରବର୍ତ୍ତିତ ଯୋଜନା ନେଇ ବିରୋଧୀ ବିଜେପି ସରକାରଙ୍କଠାରୁ ଉତ୍ତର ଚାହିଁବ ବୋଲି ନିଷ୍ପତ୍ତି ନେଇଛି। କେନ୍ଦ୍ରଦ୍ବାରା ସଦ୍ୟ ପ୍ରବର୍ତ୍ତିତ କୃଷି ସମ୍ବନ୍ଧୀୟ ତିନିଟି ଆଇନ ବିବାଦୀୟ ହୋଇଥିବାବେଳେ ଶାସକ ଦଳ ବିଜେଡିର ଆଭିମୁଖ୍ୟକୁ ବିଜେପି ପ୍ରଶ୍ନ କରିଆସିଛି। ଶିରୋମଣି ଅକାଳୀ ଦଳ ଏଥିଯୋଗୁଁ ଏନ୍‌ଡିଏରୁ ଓହରିଯାଇଥିବାବେଳେ ଏହାକୁ ବିଜେଡି ସାଂସଦ ପିନାକୀ ମିଶ୍ର ପ୍ରଶଂସା କରିଛନ୍ତି; ତେଣୁ ବିଜେଡି ଏ ଆଇନ ସପକ୍ଷରେ ନଥିବା କୁହାଯାଇପାରେ। ତେବେ ବିଜେଡି ଓ ବିଜେପି ଉଭୟ ସଲାସୁତୁରାରେ ଚାଲିଛନ୍ତି ବୋଲି କଂଗ୍ରେସ ବାରମ୍ବାର ଅଭିଯୋଗ କରିଆସୁଛି। କେତେକ ଘଟଣାକୁ ଦେଖିଲେ ଏହା ଯେ ସଂପୂର୍ଣ୍ଣ ଭିତ୍ତିହୀନ, ତାହା ମଧ୍ୟ କୁହାଯାଇନପାରେ। ଏପରି ଗୋଟିଏ ବିଷୟ ହେଲା ଜିଏସ୍‌ଟି କ୍ଷତିଭରଣା। ରାଜ୍ୟର ଆର୍ଥିକ ସ୍ଥିତି ଠିକ୍‌ ନଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ବିଜେଡି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଯେଭଳି ଚେତାଇବା କଥା ତାହା କରୁନଥିବା ଅନୁମେୟ। ଅପରପକ୍ଷେ, ବିରୋଧୀ କଂଗ୍ରେସ ପାଖରେ ବହୁ ପ୍ରସଙ୍ଗ ଥିଲେ ହେଁ ତା’ର ଚିରାଚରିତ ଢଙ୍ଗ ଶାସକ ପକ୍ଷକୁ ବେଶି ଘାଇଲା କରିବା ଭଳି ମନେହେଉ ନାହିଁ। କୌଣସି ସରକାରଙ୍କ ଏକଦେଶଦର୍ଶିତା ଓ ମନମୁଖି କାର୍ଯ୍ୟରେ ଲଗାମ ଲଗାଇବାକୁ ହେଲେ ବିରୋଧୀ ଦଳର ଭୂମିକା ଯେ ଖୁବ୍‌ ଗୁରୁତ୍ବପୂର୍ଣ୍ଣ, ତାହା ଅନସ୍ବୀକାର୍ଯ୍ୟ। ଏଥର ବିରୋଧୀ ସେଥିରେ କେତେ ସକ୍ଷମ ହେବେ, ତାହା ଦେଖିବା କଥା।

Comments are closed.