ଆଇଏସଏସଏଫ୍‌ ସୁଟିଂ ବିଶ୍ବକପ୍‌ : ମିକ୍ସଡ୍‌ ସ୍କିଟ୍‌ ବିଭାଗରେ ଗନେମତ୍‌-ଅଙ୍ଗଦଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଆଇଏସଏସଏଫ ସୁଟିଂ ବିଶ୍ବକପ୍‌ରେ ଭାରତୀୟ ଖେଳାଳିମାନେ ନିଜ ପ୍ରଭାବୀ ପ୍ରଦର୍ଶନ ବଜାୟ ରଖିଛନ୍ତି। ମଙ୍ଗଳବାର ମିକ୍ସଡ୍‌ ସ୍କିଟ୍ ଦଳଗତ ବିଭାଗରେ ଭାରତୀୟ ସୁଟର ଗନେମତ୍‌ ସେଖନ୍‌ ଓ ଅଙ୍ଗଦ ବୀର ସିଂହ ବାଜୱା ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ଗନେମତ୍‌ ଓ ଅଙ୍ଗଦ ୧୪୧ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ହାସଲ କରିଥିଲେ। ଫାଇନାଲ ରାଉଣ୍ଡରେ ଗନେମତ୍‌ ଓ ଅଙ୍ଗଦ କାଜଖସ୍ତାନର ପାନାରିନା ଓ ୟେଚସେନ୍‌କୋଙ୍କୁ ୩୩-୨୯ ପଏଣ୍ଟରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ ଦଳ ରିପୋର୍ଟ ଲେଖା ହେଲା ବେଳକୁ ୭ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ୍‌ ପଦକ ଜିତି ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ମିକ୍ସଡ ସ୍କିଟ୍ ବିଭାଗରେ ଭାରତର ପରିନାଜ୍‌ ଧାଲିୱାଲ୍‌ ଓ ମୈରାଜ ଅହମ୍ମଦ ଖାନ୍ ଅଳ୍ପକେ ବ୍ରୋଞ୍ଜ୍‌ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। ବ୍ରୋଞ୍ଜ୍‌ ପଦକ ପାଇଁ ହୋଇଥିବା ମ୍ୟାଚ୍‌ରେ ଧାଲିୱାଲ୍ ଓ ମୈରାଜ୍‌ଙ୍କୁ କାତାରର ରିମ୍‌ ଏ. ସର୍ଶାନି ଓ ରସିଦ୍‌ ହାମାଦ୍‌ ୩୨-୩୧ ପଏଣ୍ଟରେ ପରାସ୍ତ କରିଥିଲେ। ସୂଚନାଥାଉକି ସୋମବାର ମହିଳା ସ୍କିଟ୍ ବିଭାଗରେ ଗନେମତ୍‌, ପାରିନାଜ୍‌ ଓ କାର୍ତ୍ତିକା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

Comments are closed.