ମାତ୍ର ୧୬ ମିନିଟ୍‍ରେ ମହାକାଶରେ ପହଞ୍ଚିବେ ୩ ଭାରତୀୟ : ଇସ୍ରୋ

0

ନୂଆଦିଲ୍ଲୀ : ଆସନ୍ତା ୨୦୨୨ ସୁଦ୍ଧା ଭାରତ ପକ୍ଷରୁ ପ୍ରଥମଥର ଲାଗି ମହାକାଶକୁ ମାନବବାହୀ ମହାକାଶଯାନ ‘ଗଗନୟାନ’ ପଠାଯିବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କେ. ଶିବନ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ୨୦୨୨ ସୁଦ୍ଧା ମହାକାଶକୁ ମାନବବାହୀ ଯାନ ପ୍ରେରଣ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଏହି ଉକ୍ତିକୁ ସମ୍ମାନ ପ୍ରଦାନ ପୂର୍ବକ ଧାର୍ୟ୍ୟ ସମୟ ମଧ୍ୟରେ ମହାକାଶକୁ ମାନବବାହୀ ଯାନ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ କୁହାଯାଇଛି। ଏହି ଅଭିଯାନ କ୍ରମେ ତିନି ଜଣ ମହାକାଶବିଜ୍ଞାନୀଙ୍କୁ ନେଇ ଏକ ମହାକାଶଯାନ ୭ ଦିନ ପାଇଁ ଅନ୍ତରୀକ୍ଷକୁ ଯିବ। ସମ୍ପୃକ୍ତ ବୈଜ୍ଞାନିକମାନେ ସେଠାରେ ମାଇକ୍ରୋଗ୍ରାଭିଟି ସମ୍ବନ୍ଧରେ ଗବେଷଣା କରିବେ। ଗଗନୟାନ ଉତ୍‍କ୍ଷେପଣ ପାଇଁ ଇସ୍ରୋ ଜିଏସ୍‍ଏଲ୍‍ଭି ଏମ୍‍କେ-୩ ଉତ୍‍କ୍ଷେପଣ ଯାନ ବ୍ୟବହାର କରିବାକୁ ଯୋଜନା ରଖିଛି। କୌଣସି ବୈଜ୍ଞାନିକଙ୍କୁ ମହାକାଶ ପଠାଇବା ପୂର୍ବରୁ ୨ଟି ମାନବବିହୀନ ଯାନ ପରୀକ୍ଷାମୂଳକ ଭାବେ ପ୍ରେରଣ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଉତ୍‍କ୍ଷେପଣର ମାତ୍ର ୧୬ ମିନିଟ୍‍ ମଧ୍ୟରେ ଏହି ଯାନ ମହାକାଶରେ ପହଞ୍ଚିଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ. ଶିବନ କହିଛନ୍ତି। ଶ୍ରୀହରିକୋଟାରୁ ଜିଏସ୍‍ଏଲ୍‍ଭି ଏମ୍‍କେ-୩ରେ ଯାନକୁ ମହାକାଶକୁ ଉତ୍‍କ୍ଷେପଣ କରାଯିବ। ଏହା ମାତ୍ର ୧୬ ମିନିଟରେ ପ୍ରାୟ ୩୦୦ରୁ ୪୦୦ କିଲୋମିଟର ପଥ ଅତିକ୍ରମ କରି ପୃଥିବୀଠାରୁ କମ ଦୂରତାରେ ସ୍ଥିତ ମହାକାଶର ନିମ୍ନ କକ୍ଷରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply