ଗୁପ୍ତଚରଗିରି ଅଭିଯୋଗ ପ୍ରସଙ୍ଗ : ଇସ୍ରୋ ବୈଜ୍ଞାନିକଙ୍କ ଆବେଦନର ରାୟ ସଂରକ୍ଷିତ

0

ନୂଆଦିଲ୍ଲୀ : ଗୁପ୍ତଚରଗିରି ମାମଲାରେ ତାଙ୍କୁ ଅଭିଯୁକ୍ତ କରାଯିବା ଘଟଣାକୁ ବିରୋଧ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣନ୍‍ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିଜ ରାୟ ସଂରକ୍ଷିତ ରଖିଛନ୍ତି। ପାକିସ୍ତାନର ଗୁଇନ୍ଦାସଂସ୍ଥା ଇଣ୍ଟର-ସର୍ଭିସ୍‍ ଇଣ୍ଟେଲିଜେନ୍ସ (ଆଇଏସ୍‍ଆଇ) ସମେତ ରୁଷ ଭଳି ବହୁ ରାଷ୍ଟ୍ର ପାଇଁ ଗୁଇନ୍ଦାଗିରି କରୁଥିବା ଜଣେ ମହିଳାଙ୍କୁ ନାମ୍ବି ଇସ୍ରୋର କ୍ରାୟୋଜେନିକ ଗବେଷଣା ସମ୍ବନ୍ଧୀୟ ଗୁପ୍ତ ତଥ୍ୟ ବିକ୍ରି କରିଥିବା ୧୯୯୪ରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ନାମ୍ବିଙ୍କ ସମେତ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଅଭିଯୁକ୍ତ ତଥା ବେଙ୍ଗାଲୁରୁ ବ୍ୟବସାୟୀ ଚନ୍ଦ୍ରଶେଖର ଏବଂ ଏସ୍‍. କେ. ଶରମଙ୍କ ସହିତ ନାମ୍ବିଙ୍କୁ ୧୯୯୪ରେ ଗିରଫ କରାଯାଇଥିଲା। ସିବିଆଇ ମାମଲାର ତଦନ୍ତ କରି ୧୯୯୬ରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ଙ୍କ ନିକଟରେ ଚୂଡାନ୍ତ ରିପୋର୍ଟ ପ୍ରଦାନ କରିଥିଲା। ନାମ୍ବି ଏବଂ ଅନ୍ୟ ଅଭିଯୁକ୍ତମାନେ ଗୁପ୍ତଚରଗିରିରେ ସମ୍ପୃକ୍ତ ଥିବା ନେଇ ଉପଯୁକ୍ତ ପ୍ରମାଣ ନ ଥିବା ସିବିଆଇ ଏହି ରିପୋର୍ଟରେ ଦର୍ଶାଇଥିଲା। ଏଣୁ କେରଳ ହାଇକୋର୍ଟ ସମସ୍ତ ୬ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ଏହି ମାମଲାରେ ନାମ୍ବିଙ୍କୁ ଅଭିଯୁକ୍ତ କରିବା ନେଇ ପୂର୍ବତନ ଡିଜିପି ଏବଂ ୨ ଜଣ ଅବସରପ୍ରାପ୍ତ ଏସ୍‍ପି କେ. କେ. ଯୋଶୁଆ ଓ ଏସ୍‍. ବିଜୟନ୍‍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ ତତ୍‍ସମୟରେ ରାୟ ଦେଇଥିଲେ। ମାତ୍ର ଗୁପ୍ତଚରଗିରି ଭଳି ସଙ୍ଗିନ ମାମଲାରେ ତାଙ୍କୁ ଅଭିଯୁକ୍ତ କରିଥିବା ପୁଲିସ ଅଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ତଥା ତାଙ୍କ ଭାବମୂର୍ତ୍ତି ଓ ପ୍ରତିଷ୍ଠା କ୍ଷୁଣ୍ଣଜନିତ କ୍ଷତିପୂରଣ ପ୍ରଦାନ ଦାବି କରି ନାମ୍ବି ୨୦୧୫ରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Leave A Reply