କରୋନା ମଧ୍ୟରେ ଭାରତରେ ପ୍ରଥମ କ୍ରୀଡ଼ା ଆଇଏସ୍‌ଏଲ୍‌ ଆରମ୍ଭ, କେରଳ ବ୍ଲାଷ୍ଟର୍ସକୁ ହରାଇଲା ମୋହନବାଗାନ୍‌

ଗୋଆ: କରୋନା ମହାମାରୀ ମଧ୍ୟରେ ଭାରତରେ ପ୍ରଥମ କ୍ରୀଡ଼ା ପ୍ରତିଯୋଗିତା ବ୍ୟୟବହୁଳ ଫୁଟବଲ ଲିଗ୍‌ ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ) ସପ୍ତମ ସଂସ୍କରଣ ଆରମ୍ଭ ହୋଇଛି। ଶୁକ୍ରବାର ଗୋଆର ଜିଏମ୍‌ସି ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମ ବାମ୍ବୋଲିମରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚରେ ଏଟିକେ ମୋହନବାଗାନ ଏଫ୍‌ସି ୧-୦ ଗୋଲରେ କେରଳ ବ୍ଳାଷ୍ଟର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ବିଜୟ ସହ ମୋହନବାଗାନ ୩ ପଏଣ୍ଟ ହାସଲ କରିଛି। ବିନା ଦର୍ଶକ ଓ କୋଭିଡ଼ କଟକଣା ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଖେଳର ୩୫ତମ ମିନିଟ୍‌ରେ ମୋହନବାଗାନ୍‌ ମିଡ଼ଫିଲଡର ଇଡୁୟାଡେ ଗ୍ରାସିଆ ଗୋଲ ଦେବା ନେଇ ସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ। କେରଳ ବ୍ଲାଷ୍ଟର୍ସ ମଧ୍ୟ ଖେଳର ୩୭ତମ ମିନିଟ୍‌ରେ ଗୋଲ ଦେବା ନେଇ ସୁବର୍ଣ୍ଣସୁଯୋଗ ପାଇଥିଲେ ମଧ୍ୟ ବିଫଳ ହୋଇଥିଲେ।

ଉଭୟ ଦଳ ମଧ୍ୟରେ ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ ଖେଳରେ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ। ଖେଳର ୬୫ତମ ମିନିଟ୍‌ରେ କେରଳ ବ୍ଲାଷ୍ଟର୍ସ ପକ୍ଷରୁ ସନ୍ଦୀପ ଝିଙ୍ଗାନ ଏକ ସଟ୍‌ ମାରିଥିଲେ ମଧ୍ୟ ମୋହନବାଗାନ୍ ଗୋଲକିପର ଅରିନ୍ଦମ ଭଟ୍ଟାଚାର୍ୟ୍ୟ ସୁନ୍ଦର ଭାବେ ଅଟକାଇ ଦେଇଥିଲେ। ‌ କେରଳ ବ୍ଲାଷ୍ଟର୍ସର ଦୁର୍ବଳ ରକ୍ଷଣାପନ୍ଥୀ ଫାଇଦା ଉଠାଇ ଖେଳର ୬୭ତମ ମିନିଟ୍‌ରେ ମୋହନବାଗାନ ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା। ମାନଭିର୍‌ ସିଂହଙ୍କ ଏକ ସୁନ୍ଦର ପାସ୍‌କୁ ଫିଜିର ଫରୱାର୍ଡ କ୍ରିଷ୍ଣା ରଏ ଚତୁରତାର ସହିତ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ଏଥି ସହିତ କ୍ରିଷ୍ଣା ଆଇଏସ୍‌ଲଏଲ ଚଳିତ ସଂସ୍କରଣର ପ୍ରଥମ ଗୋଲ ନିଜ ନାମରେ ନାମିତ କରିଛନ୍ତି। ଗୋଲ ବରାବର କରିବା ନେଇ କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଖେଳର ଅନ୍ତିମ ସମୟ ପର୍ୟ୍ୟନ୍ତ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଶେଷରେ ଏଟିକେ ମୋହନବାଗାନ୍‌ ଏଫ୍‌ସି ମ୍ୟାଚକୁ ଜିତିବାରେ ସକ୍ଷମ ହୋଇଥିଲା। ଶନିବାର ଦ୍ବିତୀୟ ମ୍ୟାଚ ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ଓ ମୁମ୍ବଇ ସିଟି ଏଫ୍‌ସି ମଧ୍ୟରେ ମ୍ୟାଚ ଖେଳାଯିବ।

Comments are closed.