ଇଶା ଅମ୍ବାନିଙ୍କୁ ‘ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ ଏସିଆନ ଆର୍ଟ’ ବୋର୍ଡରେ ନିଯୁକ୍ତି

ମୁମ୍ବଇ: ଆମେରିକାର ଓ୍ୱାସିଂଟନ ଡିସି ସ୍ଥିତ ସ୍ମିଥ୍ସୋନିୟନ୍ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ ଆର୍ଟର ବୋର୍ଡରେ ଇଶା ଅମ୍ବାନିଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେ ହେଉଛନ୍ତି ବୋର୍ଡର ସବୁଠୁ କମ୍ ବୟସର ସଦସ୍ୟା । ଚାରି ବର୍ଷ ଅବଧି ପାଇଁ ତାଙ୍କୁ ବୋର୍ଡରେ ନିଯୁକ୍ତି ମିଳିଛି । ଇଶାଙ୍କ ବ୍ୟତୀତ ଏହି ବୋର୍ଡରେ କ୍ୟାରୋଲିନ୍ ବ୍ରେହମ୍ ଓ ଫିଟର କିମେଲମ୍ୟାନ୍ ଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ୧୭ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡରେ ଆମେରିକାର ଉପରାଷ୍ଟ୍ରପତି, ଆମେରିକାର ପ୍ରଧାନ ବିଚାରପତି, ଆମେରିକା ସିନେଟର ତିନି ଜଣ ସଦସ୍ୟ ଓ ଆମେରିକା ହାଉସ୍ ଅଫ ରିପ୍ରେଜେଟେଂଟିଭର ତିନି ଜଣ ସଦସ୍ୟ ସାମିଲ ରହିଛନ୍ତି ।  ଇଶା ୟେଲ୍ ବିଶ୍ୱବିଦ୍ୟାଳୟ ଓ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ଡିଗ୍ରି ହାସଲ କରିଛନ୍ତି ଏବଂ ସେ ନ୍ୟୁୟର୍କର ମେକିନ୍ସେ ଆଣ୍ଡ୍ କଂପାନିରେ ବିଜନେସ୍ ଆନାଲିଷ୍ଟ ଭାବେ କାର୍ଯ୍ୟ କରିଥିଲେ ।

ସଂଗ୍ରହାଳୟର ନିର୍ଦ୍ଦେଶକ ଚେସ୍ ଏଫ୍ ରବିନ୍ସନ କହିଛନ୍ତି ଯେ ସଂଗ୍ରହାଳୟରେ ନିଜର ସହଯୋଗୀ ଭାବେ ବୋର୍ଡର ଏହି ନୂଆ ସଦସ୍ୟମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏହି ପ୍ରତିଭାଶାଳୀ ଓ ନୂଆ ସଦସ୍ୟମାନଙ୍କ ଲକ୍ଷ୍ୟ ଓ ଉତ୍ସାହ ଆମର ସଂଗ୍ରହ ଓ ବିଶେଷଜ୍ଞତାକୁ ଆହୁରି ଅଧିକ ସମ୍ମୋହକ କରିପାରିବ । ଆମର ସଂଗ୍ରହକୁ ସଂପ୍ରସାରଣ କରିବା ଏବଂ ଏସୀୟ କଳା ଓ ସଂସ୍କୃତିକୁ ଭଲ ଭାବେ ବୁଝିବା ଲାଗି ଆମର ପ୍ରାୟସକୁ ଏହା ତ୍ୱରାନ୍ବିତ କରିବ। ୧୯୨୩ରେ ସ୍ଥାପନ କରାଯାଇଥିବା ସ୍ମିଥ୍ସୋନିୟନ ନ୍ୟାସନାଲ୍ ମ୍ୟୁଜିୟମ୍ ଅଫ୍ ଏସିଆନ ଆର୍ଟ ନିଜର ଆସାଧାରଣ ସଂଗ୍ରହ, ପ୍ରଦର୍ଶନୀ, ଅନୁସନ୍ଧାନ, କଳା ସଂରକ୍ଷଣ ଓ ସଂରକ୍ଷଣ ବିଜ୍ଞାନରେ ନିଜ ସଦସ୍ୟଙ୍କ ପୁରୁଣା ପରମ୍ପରା ଓ ଉତ୍କୃଷ୍ଟତା ଯୋଗୁଁ ଆନ୍ତର୍ଜାତିକ ପ୍ରତିଷ୍ଠା ହାସଲ କରିଛି । ୨୦୨୩ରେ ସଂଗ୍ରହାଳୟ ନିଜ ଶତବାର୍ଷିକୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏଭଳି ସମୟରେ ନୂଆ ବୋର୍ଡକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ପଡ଼ିବ ।

Comments are closed.