ଘରୋଇ ଡାକ୍ତରଖାନାରୁ ସେବା ମିଳୁଛି ତ?

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଘରୋଇ ଡାକ୍ତରଖାନାର ଅଭାବ ନାହିଁ। କିନ୍ତୁ କରୋନା ଚିକିତ୍ସା ପାଇଁ ଏସବୁ ଡାକ୍ତରଖାନାର କେତେ ଶଯ୍ୟା ସଂରକ୍ଷିତ ରଖାଯାଇଛି ସେ ବିଷୟରେ ସାଧାରଣ ଲୋକଙ୍କ ପାଖରେ ଖବର ନାହିଁ। ତେଣୁ ପ୍ରତି ଘରୋଇ ଡାକ୍ତରଖାନାଗୁଡ଼ିକ ସେମାନଙ୍କ ଶଯ୍ୟାର ୫୦ ଭାଗ କରୋନା ସଂକ୍ରମିତଙ୍କ ପାଇଁ ସଂରକ୍ଷିତ ରଖିବାକୁ ରାଜ୍ୟ ସରକାର ଯେଉଁ ନିର୍ଦେଶ ଜାରି କରିଛନ୍ତି ତାହା କେବଳ କାଗଜପତ୍ରରେ ସୀମିତ ରହିଛି।

ଭୁବନେଶ୍ବରରେ କରୋନା କାୟା ବିସ୍ତାର କରିବା ସହିତ ଜଟିଳ, ଗୁରୁତର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁତର ସଂକ୍ରମିତଙ୍କ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନା, କରୋନା ସେବା କେନ୍ଦ୍ରଗୁଡ଼ିକରେ କେତେ ଶଯ୍ୟା ମହଜୁଦ ରହିଛି ସେଥିନେଇ ତଥ୍ୟ ପ୍ରଦାନ କରାଯାଉଛି। କେଉଁ ଡାକ୍ତରଖାନା ପାଇଁ କେଉଁ ଅଧିକାରୀଙ୍କୁ ଯୋଗାଯୋଗ କରାଯିବ ତା’ର ମଧ୍ୟ ତାଲିକା ରହିଛି। ଅନୁରୂପ ରାଜଧାନୀର ଗୁରୁତର କରୋନା ଆକ୍ରାନ୍ତଙ୍କ ପାଇଁ ଘରୋଇ ଡାକ୍ତରଖାନାଗୁଡ଼ିକରେ ୫୦ଭାଗ ଶଯ୍ୟା ସଂରକ୍ଷିତ ରଖିବାକୁ କହିବା ପରେ ଶଯ୍ୟା ସଙ୍କଟ ଦୂର ହୋଇଯିବ ବୋଲି ଧାରଣା ଥିଲା। କିନ୍ତୁ ଅଧିକାଂଶ ଘରୋଇ ଡାକ୍ତରଖାନା ଦାୟିତ୍ବରେ ଥିବା ଡାକ୍ତର ବା ଅଧିକାରୀଙ୍କ ଯୋଗାଯୋଗ ନମ୍ବର ଥିଲେ ହେଁ ଡାକ୍ତରଖାନାରେ ଏବେ ଗୁରୁତର ରୋଗୀଙ୍କ ପାଇଁ କେତେ ଶଯ୍ୟା ଖାଲି ରହିଛି ସେ ବିଷୟରେ ସେମାନଙ୍କଠାରୁ ସୂଚନା ମିଳୁନାହିଁ।

ସାଧାରଣ ଲୋକେ ଯୋଗାଯୋଗ କଲେ ସେମାନେ ଶଯ୍ୟା ତଥା ଡାକ୍ତରଖାନା ସଂକ୍ରାନ୍ତ ତଥ୍ୟ ଭୁବନେଶ୍ବର ମହାନଗର ନିଗମକୁ ଜଣାଇ ଦେଇଥିବା କହୁଛନ୍ତି। କିନ୍ତୁ ନା ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ନା ବିଏମ୍ସି ଅଧିକାରୀ କାହାରି ପକ୍ଷରୁ ରାଜଧାନୀରେ ସରକାରଙ୍କ ପ୍ରୋତ୍ସାହନରେ ପ୍ରତିପକ୍ଷ କରାଯାଇଥିବା କରୋନା ସେବା କେନ୍ଦ୍ର କିମ୍ବା ଅନ୍ୟାନ୍ୟ ପ୍ରତିଷ୍ଠିତ ବଡ଼ ଡାକ୍ତରଖାନାରେ କେତେ ସଂଖ୍ୟାରେ ଶଯ୍ୟା ଉପଲବ୍ଧ ରହିଛି ସେ ବିଷୟରେ ସାମାନ୍ୟତମ ସୂଚନା ମିଳିପାରୁନାହିଁ।

ସୂଚନା ଅଭାବରୁ ରାଜଧାନୀ ଭିତରେ ଓ ବାହାରୁ ସଂକ୍ରମିତ ହୋଇ ଆସୁଥିବା ଜଟିଳ ଅବସ୍ଥାରେ ଥିବା ରୋଗୀମାନେ ଘରୋଇ ପ୍ରତିଷ୍ଠିତ ଡାକ୍ତରଖାନାର ସ୍ବତନ୍ତ୍ର ସେବାକେନ୍ଦ୍ର (ଆଇସିୟୁ) କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ଥିବା ଶଯ୍ୟା ପାଇବା ସମ୍ଭବ ହେଉନାହିଁ। ସାଧାରଣ ରୋଗୀଟିଏ ଅତି ଜଟିଳ ଅବସ୍ଥାରେ ସଂକ୍ରମିତ ଥାଇ ଚିକିତ୍ସା ପାଇଁ ସୁଯୋଗ ଖୋଜି ପାଉନଥିବାରୁ ଏଥିନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ତେଜିବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବା ସହିତ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବାରୁ ସୁଯୋଗ ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Comments are closed.