୬ ଜୁଲାଇରୁ ଇନ୍ଦ୍ରାବତୀ ଜଳ ପ୍ରକଳ୍ପରୁ ଆରମ୍ଭ ହେବ ଜଳ ସେଚନ

କଲମପୁର: ଆସନ୍ତା ସୋମବାର ଠାରୁ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‍ ପ୍ରକଳ୍ପ ତରଫରୁ ଆରମ୍ଭ ହେବ ଜଳ ସେଚନ। ଏହି ଜଳ ସେଚନ ଦ୍ୱାରା କଳାହାଣ୍ଡି ଜିଲାର ଧର୍ମଗଡ ଉପଖଣ୍ଡର ଜୟପାଟଣା, କଲମପୁର, ଜୁନାଗଡ, ଧର୍ମଗଡ ବ୍ଲକର ୮୦ରୁ ୯୦ ପ୍ରତିଶତ ଚାଷ ଜମି ଜଳ ସେଚନ ସୁବିଧା ପାଇବାର ବ୍ୟବସ୍ଥା ଥିବା ବେଳେ କୋକସରା, ଗୋଲାମୁଣ୍ଡା ସମେତ ଶଗଡା ସମ୍ପ୍ରସାରଣ କେନାଲ ଦ୍ୱାରା ଭବାନିପାଟଣା ବ୍ଲକର କିଛି ଚାଷ ଜମି ମଧ୍ୟ ଜଳ ସେଚନ ସୁବିଧା ପାଇବେ।

ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ବାମ ମୁଖ୍ୟ କେନାଲ ଓ ଏହାର ସମ୍ପ୍ରସାରଣ କେନାଲ ମାଧ୍ୟମରେ ଜୟପାଟଣା, କଲମପୁର, କୋକସରା, ଜୁନାଗଡ, ଧର୍ମଗଡ ଓ ଗୋଲାମୁଣ୍ଡାର ୫୯.୦୬୯ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇ ଦିଆଯିବ। ସେହିଭଳି ଦକ୍ଷିଣ ମୁଖ୍ୟ କେନାଲ ମାଧ୍ୟମରେ ଜୟପାଟଣା, କଲମପୁର, ଜୁନାଗଡ ସମେତ ଶଗଡା ସମ୍ପ୍ରସାରଣ କେନାଲ ମାଧ୍ୟମରେ ୨୮,୩୪୮ ହେକ୍ଟର ଚାଷ ଜମିରେ ଜଳ ସେଚନ କରାଯିବ। ଅନ୍ୟପଟେ ଇନ୍ଦ୍ରାବତୀ ଉଠା ଜଳ ସେଚନ ମାଧ୍ୟମରେ ଜୟପାଟଣା ବ୍ଲକର ୫୪୦୦ ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇ ଦିଆଯିବ। ସୁଚନାଯୋଗ୍ୟ ଯେ, ଇନ୍ଦ୍ରାବତୀ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୨୦ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଶଗଡା ସମ୍ପ୍ରସାରଣ କେନାଲ ମାଧ୍ୟମରେ ପ୍ରାୟ ୩ ହଜାର ହେକ୍ଟର ଚାଷ ଜମିକୁ ଜଳ ସେଚନ ଯୋଗାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୧୦ ହଜାର କୋଟି ଟଙ୍କା ବ୍ୟୟ ବରାଦରେ ଆରମ୍ଭ ହେଇଥିବା ଉଠା ଜଳ ସେଚନରୁ ୫,୪୦୦ ହେକ୍ଟର ଚାଷ ଜମିରେ ଜଳ ସେଚନ କରାଯିବ। ଉଠା ଜଳ ସେଚନ ଓ ଦକ୍ଷିଣ ମୁଖ୍ୟ କେନାଲର ସମ୍ପ୍ରସାରଣ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଆହୁରି ପ୍ରାୟ ୮୦ ହଜାର ହେକ୍ଟର ଚାଷ ଜମିର ଚାଷୀ ଜଳ ସେଚନର ସୁବିଧା ପାଇବେ।

ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ଆରମ୍ଭ ପୂର୍ବରୁ କଳାହାଣ୍ଡି ଜିଲାର ଏହି ସବୁ ଅଞ୍ଚଳ ଥିଲା ମରୁଡି ପ୍ରଭାବିତ ଅଞ୍ଚଳ। ବର୍ଷକୁ ଥରେ ମାତ୍ର ଚାଷ କରି ଚାଷୀ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଅନେକ ସମୟରେ ବଢି ଓ ମରୁଡି ପାଇଁ ସାଧାରଣ ଜନତା ପ୍ରଭାବିତ ହେଉଥିଲେ। କିନ୍ତୁ ଇନ୍ଦ୍ରାବତୀ ଜଳ ସେଚନ ଆରମ୍ଭ ହେବା ପରେ ଏବେ ଧାନ ଉତ୍ପାଦନରେ ବରଗଡ ଜିଲା ପରେ କଳାହାଣ୍ଡିର ସ୍ଥାନ ଦ୍ୱିତୀୟ ରେ ରହିଛି। ଅତୀତରେ ଅନାହାରର ଇଲାକା, ଛୁଆ ବିକ୍ରିର ଜିଲା ଓ ଭୋକର ଭୁଗୋଳ ଆଦି ଦୁର୍ନାମରେ ନାମିତ ଥିବା କଳାହାଣ୍ଡି ଏବେ ସବୁଜ ଚାଷ ଭରା କଳାହାଣ୍ଡିରେ ପରିଣତ ହେଇଛି। ଇନ୍ଦ୍ରାବତୀ କଳାହାଣ୍ଡି ଚାଷୀଙ୍କର ଜୀବନ ରେଖା ପାଲଟିଯାଇଛି। କିନ୍ତୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର କିଛି ଅଂଶ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏହାର ମରାମତି ପାଇଁ ରାଜ୍ୟ ସରକାର ୩ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ୪ଥର ଟେଣ୍ଡର ପ୍ରକ୍ରିୟା ବାତିଲ ହେଇସାରିଛି। ଯାହାରି ଫଳରେ ଏହାର ମରାମତି କରାଯାଇ ପାରୁନାହିଁ। ଆଗମୀ ଦିନରେ ଏହାର ମରାମତି କରାନଗଲେ ବହୁ ଚାଷୀ ଜଳ ସେଚନ ପାଇବାରୁ ବଞ୍ଚିତ ହେବାର ଆଶଙ୍କା କରାଯାଉଛି। ତେଣୁ ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବା ପାଇଁ ଚାଷୀ ସଂଗଠନ ତରଫରୁ ଦାବି ହେଉଛି।

 

 

Comments are closed.