ଡିଲରଙ୍କ ମନମାନିରେ ଚାଲିଛି କଂଟ୍ରୋଲ ସାମଗ୍ରୀ ବଣ୍ଟନ

ଯୋଗାଣମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ବହୁ ଯୋଗ୍ୟ ହିତାଧିକାରୀ ରେସନକାର୍ଡରୁ ବଞ୍ଚିତ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀରେ ବହୁ ପରିବାର ରେସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । ରେସନ କାର୍ଡ ପାଇବାକୁ ଥିବା ସମସ୍ତ ମାନଦଣ୍ଡ ଓ ନିୟମ ଅନୁଯାୟୀ ସେମାନେ ଯୋଗ୍ୟ ହେଉଥିଲେ ମଧ୍ୟ ସେମାନଙ୍କୁ ଜାଣିଶୁଣି ବଞ୍ଚିତ କରିବା ପଛରେ କି ରହସ୍ୟ ରହିଛି ତାହା ଜଣାପଡୁନାହିଁ । ଅପରପକ୍ଷରେ ୨ତାଲା ଛାତ, ଦେଢଲକ୍ଷରୁ ଅଧିକ ସଉକିନ ବାଇକ ଏପରିକି ୪ ଚକିଆ ଗାଡିଥିବା ପରିବାର ସଦସ୍ୟ ରେସନ କାର୍ଡ ହାତେଇ ଥିବାର ଅଭିଯୋଗ ହେଉଛି। ଯାହାର ସତ୍ୟତା ଅନୁସନ୍ଧାନ କଲେ ଏହା ସ୍ପଷ୍ଟ ବାରି ହୋଇପଡିବ। କିନ୍ତୁ ଡିଲରଙ୍କ ମନମାନି ଓ ସ୍ୱେଚ୍ଛାଚାରିତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜନୈତିକ ଛତ୍ରଛାୟା ତଳେ ରହି ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ଏପରିକି ବିଭାଗୀୟ ଅଧିକାରୀମାନେ ସେମାନଙ୍କୁ ଘଣ୍ଟ ଘୋଡାଉଛନ୍ତି । ଏପରି କରିବା ପଛରେ ଡିଲର ଏବଂ ଅଧିକାରୀଙ୍କ ଭିତରେ ଅସାଧୁ ମଧୁଚନ୍ଦ୍ରିକା ଥିବାର ଅଭିଯୋଗ ହେଉଛି । ଅନେକ ସ୍ଥଳେ ୧ଟଙ୍କିଆ ଚାଉଳ ପୁନବିକ୍ରୟ ମଧ୍ୟ ହେଉଛି । ଆବଶ୍ୟକ ନଥିବା ହିତାଧିକାରୀଙ୍କୁ ୧ଟଙ୍କିଆ ଚାଉଳ ପ୍ରଦାନ କରାଯାଉଥିବାରୁ ଏହାକୁ ୧୫ ଟଙ୍କାରେ ବିଭିନ୍ନ ବେପାରୀଙ୍କୁ ବିକ୍ରୟ କରୁଥିବାର ଅଭିଯୋଗ ହେଉଛି । ବ୍ୟବସାୟୀମାନେ ହିତାଧିକାରୀଙ୍କ ଠାରୁ କିଣିଥିବା ଚାଉଳକୁ ଚାରିଚକିଆ ଗାଡିରେ ଡିଲରମାନଙ୍କୁ ବିକ୍ରୟ କରୁଛନ୍ତି । ଏଭଳି ଚିତ୍ର କଖଡି, ଘଣ୍ଟିଖାଲ, ଅନନ୍ତପୁର, ରାଧା କିଶୋରପୁର, ଖୁଣ୍ଟୁଣୀ, ଗୁରୁଡିଝାଟିଆ, ଓରନ୍ଦା ଆଦି ନବେଢା ଓ ନଦୀକୂଳ ପଞ୍ଚାୟତ ସମୂହରେ ଦେଖାଦେଇଛି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଗୋଟିଏ ଗୋଟିଏ ପରିବାରରେ ଏକାଧିକ ଭାଇ ଭାଗଭାଗ ହୋଇ ରହୁଥିବା ବେଳେ ସେମାନଙ୍କର ବଖରାଏ ଦିବଖରା ଘର ରହିଛି । ଏପରିକି ମାସିକ ରୋଜଗାର ୮ହଜାରରୁ ୯ ହଜାର ଟଙ୍କା ଭିତରେ। କିନ୍ତୁ ସେମାନେ ରେସନକାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି । କେତେକ ସ୍ଥଳରେ ଡିଲରମାନେ ନିଜ ମନଇଚ୍ଛାରେ ଘରେ ସାଇତି ରଖିଥିବା ରେସନକାର୍ଡରୁ ହିତାଧିକାରୀଙ୍କ ନାମ ଉଲ୍ଲେଖ କରି ମନମୁତାବକ ବର୍ଷକୁ ୨/୩ମାସ ଚାଉଳ ଦେଉଛନ୍ତି। ଉକ୍ତ ରେସନକାର୍ଡର ତଥ୍ୟକୁ ସରକାରଙ୍କ ୱେବସାଇଟରେ ଅନୁଧ୍ୟାନ କଲେ ବାସ୍ତବରେ ହିତାଧିକାରୀଙ୍କ ନାମ ବାହାରୁନାହିଁ। ଯାହାଫଳରେ କି ଅନେକ କୃଷକ କାଳିଆ ଯୋଜନାର କିସ୍ତି ମଧ୍ୟ ପାଇପାରୁ ନାହାନ୍ତି। ଏପରିକି ଏବେ ସରକାରଙ୍କ ପ୍ରଚଳିତ ସ୍ମାର୍ଟ ସ୍ୱାସ୍ଥ୍ୟବୀମା କାର୍ଡ ପାଇବାରୁ ବଞ୍ଚିତ ହେବେ। ଏଠାରେ ପ୍ରଶ୍ନ ଉଠୁଛି ଡିଲର କେଉଁଠାରୁ ଉକ୍ତ ହଳଦିଆ ରେସନ କାର୍ଡକୁ ପାଇଲେ ଯାହାକୁ ହିତାଧିକାରୀଙ୍କୁ ଦିଆଯାଇଛି କିନ୍ତୁ ତାହା ଖାଦ୍ୟ ସୁରକ୍ଷା ୱେବସାଇଟରେ ଦର୍ଶାଉ ନାହିଁ। ଆହୁରି ମଧ୍ୟ ଡିଲରଙ୍କ ମନୋମାନିର ଆଉଏକ ଗୁରୁତର ଦୃଟି ଦେଖାଦେଇଛି କି ୭ମାସ ହେଲା ଖାଦ୍ୟ ସୁରକ୍ଷା କାର୍ଡରେ ଅତି ଚଞ୍ଚକତା କରି ୨ବର୍ଷ ଆଗରୁ ଦିଆଯାଇଥିବା ଦର୍ଶାଯାଇଛି। ପ୍ରକୃତରେ ଉକ୍ତ କାର୍ଡଗୁଡିକ ହିତାଧିକାରୀ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ୱେବସାଇଟରେ ଆସୁନଥିବାର ଦେଖାଦେଇଛି। ସ୍ଥାନୀୟ ବିଧାୟକ ତଥା ଯୋଗାଣମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ରେସନକାର୍ଡ ପ୍ରଦାନକୁ ନେଇ ଯେଉଁ ତୃଟି ରହିଛି ତାହାକୁ ଅନୁଧ୍ୟାନ କରିବା ସହ ରେସନକାର୍ଡ ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.