ବଢ଼ୁଛି ଲୁହାପଥର ରପ୍ତାନି ; କମିଛି ଧରପଗଡ଼

ଭୁବନେଶ୍ୱର  : ଖଣିଜ ସମ୍ପଦଭରା ଓଡ଼ିଶାରେ ଦିନକୁ ଦିନ ଖଣି ରାଜସ୍ବ ବୃଦ୍ଧି ପାଇବାରେ ଲାଗିଛି । ୧୦ବର୍ଷରେ ରାଜସ୍ବ ପରିମାଣ ୫ଗୁଣରୁ ଅଧିକ ବଢ଼ିଲାଣି। ଅନ୍ୟପକ୍ଷରେ ରାଜ୍ୟରେ ଯେତିକି ଲୁହାପଥର ଉତ୍ପାଦନ ହେଉଛି ତା’ଠାରୁ ଅଧିକ ରପ୍ତାନି ହେଉଛି। ତଦାରଖ ପ୍ରକ୍ରିୟା କୋହଳ ଯୋଗୁଁ ଖଣିଜ ସମ୍ପଦ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଗତ ୪ବର୍ଷରେ ଲୁହାପଥର ଉତ୍ପାଦନ ହାର ଦେଢ଼ଗୁଣ ବଢ଼ିଥିବାବେଳେ ରପ୍ତାନି ହାର ୨ଗୁଣ ବଢ଼ିଛି। ଏହି ଅବଧି ମଧ୍ୟରେ ଧରପଗଡ଼ ମାମଲା ସଂଖ୍ୟା କମି ଶୂନରେ ପହଞ୍ଚି ଥିବାବେଳେ ଗାଡ଼ି ଧରିବା କିମ୍ବା ଲୋକଙ୍କ ଉପରେ ଆର୍ଥିିକ ଜୋରିମାନା ଦିଗରେ ସେଭଳି କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯାହାଫଳରେ ରାଜ୍ୟରୁ ଖଣିଜ ସମ୍ପଦ ଯେଉଁ ପରିମାଣରେ ଉତ୍ପାଦନ ହେଉଛି ଅନୁରୂପ ଭାବେ ଧରପଗଡ଼ରେ କୋହଳ ଯୋଗୁଁ ମାଫିଆମାନେ ମାଲେମାଲ୍ ହେଉଥିବା ଅଭିଯୋଗ ହୋଇଛି। ୨୦୧୫-୧୬ ବର୍ଷରେ ୮୦.୮୬ ନିୟୁତ ଟନ୍(ଏମଟି) ଉତ୍ପାଦନ ହୋଇଥିଲା। ଉକ୍ତବର୍ଷ ପଡୋଶୀ ରାଜ୍ୟକୁ ୮୧.୬୬ ମିଲିୟନ ଟନ୍ ରପ୍ତାନି ହୋଇଥିଲା। ଏହାପରେ ୨୦୧୬-୧୭ରେ ଏହା ୧୦୨.୬୬୩ଏମଟିକୁ ବୃଦ୍ଧି ପାଇଥିବାବେଳେ ରପ୍ତାନି ହାର ୧୨୦.୧୧୬ଏମଟିରେ ପହଞ୍ଚିଥିଲା। ସେହିପରି ୨୦୧୭-୧୮ରେ ୧୦୪.୯୮୨ ଏମଟି ଉତ୍ପାଦନ ବେଳେ ୧୨୬.୦୩୦ଏମଟି ରପ୍ତାନି ଏବଂ ୨୦୧୮-୧୯ରେ ୧୨୦.୯୭୩ଏମଟି ଉତ୍ପାଦନ ବେଳେ ୧୪୦.୯୪୯ଏମଟି ରପ୍ତାନି ହୋଇଛି। ଉତ୍ପାଦନ ହାର ଯେଉଁ ପରିମାଣରେ ବଢ଼ି ଚାଲିଛି ତା’ଠାରୁ ଢ଼େରଗୁଣରେ ରପ୍ତାନି ବଢ଼ୁଛି। ରପ୍ତାନି ପରିମାଣ କିଭଳି ଉତ୍ପାଦନହାରଠାରୁ ସବୁବେଳେ ବଢ଼ୁଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ସେହିପରି ୨୦୧୫-୧୬ରେ ବକ୍ସାଇଟ ୧୦.୮୪ଏମଟି ଉତ୍ପାଦନ ହେଉଥିବାବେଳେ ୨୦୧୮-୧୯ରେ ଏହା ୧୫.୪୧୬ଏମଟିରେ ପହଞ୍ଚିଛି। କୋଇଲା ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୦୧୫-୧୬ରେ କୋଇଲା ଉତ୍ପାଦନ ୧୩୫.୫୮ଏମଟି ରହିଥିବାବେଳେ ଏବେ ଏହା ୧୪୭.୩୫୨ଏମଟିରେ ପହଞ୍ଚିଛି। ରାଜ୍ୟର ପ୍ରମୁଖ ରାଜସ୍ବ କ୍ଷେତ୍ର ଖଣିରୁ ଆୟ ବଢ଼ି ଚାଲିଛି। ୨୦୦୯-୧୦ରେ ୨୦୨୦.୭୨କୋଟି ଟଙ୍କା ଖଣିଜ ରାଜସ୍ବ ସଂଗ୍ରହ ହୋଇଥିବାବେଳେ ୨୦୧୦-୧୧ରେ ୩୩୩୦.୪୭କୋଟି, ୨୦୧୧-୧୨ରେ ୪୫୮୬କୋଟି, ୨୦୧୨-୧୩ରେ ୫୬୭୯କୋଟି ଟଙ୍କାରେ ପହଞ୍ଚିଥିଲା। ମାତ୍ର ୨୦୧୩-୧୪ବର୍ଷ ପରଠାରୁ ୨୦୧୭ ପର୍ଯ୍ୟନ୍ତ ଖଣିଜ ରାଜସ୍ବ କମି ଚାଲିଥିଲା। ୨୦୧୭-୧୮ରେ ଏହା ୬୧୩୦କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ୨୦୧୮-୧୯ରେ ଏହା ୧୦ହଜାର ୪୭୯କୋଟି ଟଙ୍କାରେ ପହଞ୍ଚିଛି।
ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୫ବର୍ଷ ହେଲା ଧରପଗଡ଼ରେ ଶିଥିଳତା ଦେଖାଦେଇଛି। ଯାହାଫଳରେ ୨୦୧୪ରେ ୧୦୪୪.୪୧ଏମଟି ଖଣିଜ ସମ୍ପଦ ଲୁଟ ହୋଇଥିବାବେଳେ ୨୦୧୫-୧୬ରେ ୩୧୦୪ଏମଟି, ୨୦୧୬-୧୭ରେ ୧୦୯.୩୬ଏମଟି, ୨୦୧୭-୧୮ରେ ୪୫.୮୩ଏମଟି ଏବଂ ଗତବର୍ଷ କମି ଏହା ୧୮୩ଏମଟିରେ ସୀମିତ ରହିଛି। ଏହି ଅନୁପାତରେ ଗାଡ଼ି ଧରିବା ମଧ୍ୟ କମିଛି। ୨୦୧୪ରେ ୧୭ଟି ଗାଡ଼ି ଧରାଯାଇ ୫୨ଟି ମାମଲା ରୁଜୁ କରାଯାଇଥିବାବେଳେ ୨୦୧୫ରେ ୬ଟି ଗାଡ଼ି ଧରାଯାଇ ୧୫ଟି ମାମଲା, ୨୦୧୬ରେ ୯ଟି ଗାଡି ଏବଂ ୧୧ଟି ମାମଲା, ୨୦୧୭ରେ ୩ଟି ଗାଡ଼ି ଧରା ହୋଇଥିଲେ ହେଁ କୌଣସି ମାମଲା ରୁଜୁ କରାଯାଇ ନାହିଁ। ୨୦୧୮-୧୯ରେ ୧୧ଟି ଗାଡ଼ି ଧରାଯାଇଥିବାବେଳେ ମାତ୍ର ୪ଟି ମାମଲା ରୁଜୁ କରାଯାଇଛି। ଧରପଗଡ଼ ଜୋରଦାର ନହେବା ଯୋଗୁଁ ଜୋରିମାନା ଅର୍ଥ ମଧ୍ୟ ବର୍ଷକୁ ବର୍ଷ କମି ଚାଲିଛି।
୨୦୧୪ରେ ୫୧.୧୯ଲକ୍ଷ ଟଙ୍କା ଖଣିଜ ସମ୍ପଦ ଲୁଟେରାଙ୍କଠାରୁ ଆଦାୟ କରାଯାଇଥିବାବେଳେ ୨୦୧୫ରେ ଏହା ହ୍ରାସ ପାଇ ୨୧.୪୩ଲକ୍ଷରେ ପହଞ୍ଚିଥିଲା। ୨୦୧୬ରେ ୪୮.୩ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଥିବାବେଳେ ୨୦୧୭-୧୮ରେ ଗୋଟିଏ ହେଲେ ବି ଟଙ୍କା ଜୋରିମାନା ଆଦାୟ ହୋଇ ପାରି ନଥିବା ନିକଟରେ ବିଭାଗର ସମୀକ୍ଷା ବୈଠକରୁ ଜଣାଯାଇଛି।

Comments are closed.