ଯମଜ କନ୍ୟା ସନ୍ତାନ ଜନ୍ମ ଦେଲେ ଇରମ ଶର୍ମିଲା ଚାନୁ

ବେଙ୍ଗାଲୁରୁ: ମାନବାଧିକାର କର୍ମୀ ଇରମ ଶର୍ମିଲା ଚାନୁ ଯମଜ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମଙ୍ଗଳବାର ମାତୃ ଦିବସରେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ​‌ସେ ଏହି ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଏବଂ ଶିଶୁଦ୍ବୟ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ହସ୍ପିଟାଲର ଆଞ୍ଚଳିକ ନିର୍ଦେଶକ ନିତିନ ନାଗ କହିଛନ୍ତି, ଯମଜ ସନ୍ତାନଙ୍କ ମଧ୍ୟରୁ ଜଣେ ସକାଳ ୯ଟା ୨୧ରେ ଜନ୍ମ ନେଇଥିବାବେଳେ ଆଉ ଜଣେ ୯ଟା ୨୨ରେ ଜନ୍ମ ହୋଇଥିଲେ। ଗୋଟିଏ ଶିଶୁର ଓଜନ ୨.୧୬ କି.ଗ୍ରା ଥିବାବେଳେ ଅନ୍ୟଟିର ୨.୧୪ କି.ଗ୍ରା. ରହିଛି। ପରିବାର ପକ୍ଷରୁ ଶିଶୁଦ୍ବୟଙ୍କ ନାମ ନିକ୍ସ ସାକ୍ଷୀ ଏବଂ ଅଟମ୍ନ ତାରା ରଖାଯାଇଛି।

ସୂଚନାଯୋଗ୍ୟ, ୪୬ ବର୍ଷୀୟା ଶର୍ମିଲା ଜଣେ ମାନବାଧିକାର କର୍ମୀ ଭାବେ ବେଶ୍‌ ପରିଚିତ। ସେ ମଣିପୁରରୁ ସଶସ୍ତ୍ର ବଳଙ୍କ ସ୍ବତନ୍ତ୍ର କ୍ଷମତା ଆଇନ ପ୍ରତ୍ୟାହାର କରିବା ଦାବିରେ ୧୬ବର୍ଷ ଧରି ଆମରଣ ଅନଶନ କରି ଚର୍ଚ୍ଚାକୁ ଆସିଥିଲେ। ୨୦୧୬ରେ ତାଙ୍କ ଅନଶନ ଶେଷ ହୋଇଥିଲା। ଏହା ପରେ ୨୦୧୭ରେ ସେ ତାମିଲନାଡୁର କୋଡାଇକନାଲରେ ଦେସମଣ୍ଡ ଆନ୍ଥୋନୀ ବେଲାରନାଇନ କାଉଣ୍ଟିନୋଙ୍କୁ ବିବାହ କରିଥିଲେ। ଶର୍ମିଲା ମଣିପୁରର ଲୌହମାନବୀ ଭାବେ ଜଣାଶୁଣା। ୨୦୧୭ରେ ସେ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ।

Comments are closed.