ଇରାକରେ ସରକାର ବିରୋଧୀ ଆନ୍ଦୋଳନ : ସଂସ୍କାରମୂଳକ ପଦକ୍ଷେପ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ବାଗ୍‍ଦାଦ : ଇରାକରେ ସରକାର ବିରୋଧୀ ଆନ୍ଦୋଳନ ଓ ବିକ୍ଷୋଭ ଯୋଗୁଁ ପ୍ରାୟ ୧୦୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ପରିସ୍ଥିତକୁ ନିୟନ୍ତ୍ରଣ କରିବା ପାଇଁ  ଇରାକ୍‍ ପ୍ରଧାନମନ୍ତ୍ରୀ ଆଦେଲ ଆବଦେଲ ମେହେଦୀ ଏକ ବିଶେଷ କ୍ୟାବିନେଟ୍‍ ଅଧିବେଶନ ଡକାଇ ଅନେକଗୁଡିଏ ସଂସ୍କାରମୂଳକ ପଦକ୍ଷେପ ସଂପର୍କରେ ଘୋଷଣା କରିଛନ୍ତି। ବ୍ୟାପକ ସରକାରୀ ସଂସ୍କାର ଦାବିରେ ଇରାକର ନାଗରିକମାନେ ବାଗ୍‍ଦାଦ ତଥା ଦେଶର ଦକ୍ଷିଣ ଭାଗରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଗତ ମଙ୍ଗଳବାରଠାରୁ ଆନ୍ଦୋଳନ ଓ ବିକ୍ଷୋଭ ଜାରି ରଖିଛନ୍ତି।

ଆବଦଲ ମେହେଦୀ ଗୋଟିଏ ବର୍ଷ ପୂର୍ବେ କ୍ଷମତାକୁ ଆସିବା ପରେ ଏହିସବୁ ସଂସ୍କାର ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଜମି ଆବଣ୍ଟନ,ସେନା ପଞ୍ଜୀକରଣ ଓ ଅସହାୟ ପରିବାରଗୁଡିକ ପାଇଁ ଷ୍ଟାଇପେଣ୍ଡ ରାଶି ବୃଦ୍ଧି କରିବା ଭଳି ଅନେକଗୁଡିଏ ସଂସ୍କାର ବିଷୟରେ ତାଙ୍କ କ୍ୟାବିନେଟ ଘୋଷଣା କରିଛନ୍ତି। ଏହାଛଡା ଆନ୍ଦୋଳନ ଓ ବିକ୍ଷୋଭ କାଳରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କୁ ଶହୀଦର ମାନ୍ୟତା ପ୍ରଦାନ କରି ସେମାନଙ୍କ ପରିବାରକୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତ ଏକ ସପ୍ତାହ ମଧ୍ୟରେ ଶତାଧିକ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସରକାରଙ୍କ ଦମନ ନୀତିକୁ ବେଖାତିର କରି ସେମାନେ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ଏକାଧିକ ଟେଲିଭିଜନ୍‌ କେନ୍ଦ୍ର ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ରବିବାର ଆକ୍ରମଣ କରିଛନ୍ତି। ମୁଖାପିନ୍ଧା ଆକ୍ରଣକାରୀ ବିଶେଷ ଭାବେ ଦିଜ୍‌ଲା, ଏନ୍‌ଆରଟି, ଆରବୀୟା ହାଦାତ୍‌, ଫାଲୌଜା, ଅଲଘାଦ, ଅଲ୍‌ରବି, ଅଲ୍‌-ସର୍ଗିଆ, ସ୍କାଇ ନ୍ୟୁଜ୍‌ ଆରବୀୟା ଭଳି ଟେଲିଭିଜନ୍‌ କେନ୍ଦ୍ରରେ ବ୍ୟାପକ ଯନ୍ତ୍ରପାତି ଓ ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି। ସେମାନଙ୍କ ଆକ୍ରମଣରେ ବହୁ କର୍ମଚାରୀ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Comments are closed.