ପଞ୍ଜଶିରରେ ତାଲିବାନି ଆକ୍ରମଣକୁ ଇରାନର ଦୃଢ ନିନ୍ଦା

ତେହରାନ: ପଞ୍ଜଶିରରେ ନର୍ଦର୍ଣ୍ଣ ରେଜିଷ୍ଟାନ୍ସ ଫ୍ରଣ୍ଟ ବିରୁଦ୍ଧରେ ତାଲିବାନ ଆତଙ୍କିଙ୍କ ଆକ୍ରମଣକୁ ଇରାନ ଦୃଢ ନିନ୍ଦା କରିଛି। ସିଆ ଅଧ୍ୟୁଷିତ ଇରାନ ଏପର୍ଯ୍ୟନ୍ତ ସୁନ୍ନି ମୁସଲମାନ ଥିବା ତାଲିବାନ ଆତଙ୍କି ଗୋଷ୍ଠୀଙ୍କୁ ଆଫଗାନ ଦଖଲ ଦିନଠାରୁ ସମାଲୋଚନା କରିବାରୁ ନିଜକୁ ଦୂରେଇ ରଖିଥିଲା। ତେବେ ପଞ୍ଜଶିରରେ ଥିବା ଏନଆରଏଫ ଯୋଦ୍ଧାଙ୍କ ସ୍ଥଳ ଉପରେ ତାଲିବାନର ଜୋରଦାର ସାମରିକ ଅଭିଯାନକୁ ଇରାନ ସୋମବାର କଡା ଭାଷାରେ ନିନ୍ଦା କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ସଇଦ ଖାତିବଜାଦେହ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପଞ୍ଜଶିରରୁ ଯେଉଁ ଖବର ମିଳୁଛି ତାହା ବାସ୍ତବିକ ଅତ୍ୟନ୍ତ ଚିନ୍ତାଜନକ। ଏଭଳି ଆକ୍ରମଣ ଦୃଢ ନିନ୍ଦନୀୟ। ସୋମବାର ତାଲିବାନ ଆତଙ୍କିମାନେ ହିନ୍ଦୁକୁଶ ପର୍ବତାମାଳାରେ ଥିବା ପଞ୍ଜଶିର ଅଞ୍ଚଳକୁ ଦଖଲ କରିନେଇଛନ୍ତି ବୋଲି ଦାବି କରିବା ସହିତ ତିନିସପ୍ତାହ ପରେ ସେମାନେ ସମୁଦାୟ ଆଫଗାନିସ୍ତାନ ନିଜ ଅକ୍ତିଆରକୁ ନେଇଥିବା ଦାବି କରିଥିଲେ। କିନ୍ତୁ ଏନଆରଏଫ ଲଢୁଆମାନେ କହିଛନ୍ତି, ସେମାନେ ଏବେ ମଧ୍ୟ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକରେ ରହିଛନ୍ତି ଏବଂ ତାଲିବାନ ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି। ଖାଦିବଜାଦେହ କହିଛନ୍ତି, ପଞ୍ଜଶିର ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବା ନେଇ ପୂର୍ବରୁ ସେ ଗୁରୁତ୍ୱ ଦେଇଆସିଛନ୍ତି। ଆନ୍ତର୍ଜାତିକ ଆଇନ ଏବଂ ସେମାନଙ୍କର ପ୍ରତିଶ୍ରୁତି ମୁତାବକ ତାଲିବାନ ମଧ୍ୟ ଏହି ବିଷୟକୁ ସମଭାବରେ ସମ୍ମାନ ଦେବାର ଆବଶ୍ୟକତା ରହିଛି। ସମସ୍ତ ଆଫଗାନ ନାଗରିକଙ୍କ ପାଇଁ ଏକ ପ୍ରତିନିଧିମୂଳକ ସରକାର ସ୍ଥାପନ କରିବା ସହିତ ଆଫଗାନ ନାଗରିକଙ୍କ ଦୁର୍ଦ୍ଦଶାରେ ପରିସମାପ୍ତି ଘଟାଇବାକୁ ଇରାନ ପ୍ରୟାସ କରିବ ବୋଲି ସେ କହିଛନ୍ତି। ଆଫଗାନିସ୍ତାନରେ ପାକିସ୍ତାନର ସାମରିକ ଉପସ୍ଥିତି ଏବଂ ପଞ୍ଜଶିରରେ ତାଲିବାନ ସହିତ ମିଶି ପାକିସ୍ତାନୀ ସୈନ୍ୟ ଲଢେଇ କରୁଥିବା ସମ୍ପର୍କରେ ସେ କହିଥିଲେ, ତାଙ୍କ ଦେଶ ଆଫଗାନିସ୍ତାନରେ ପାକିସ୍ତାନ ସହିତ ସମସ୍ତ ବିଦେଶୀ ହସ୍ତକ୍ଷେପକୁ ନିନ୍ଦା କରୁଛି। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନ ସହିତ ଇରାନର ପ୍ରାୟ ୯୦୦ କିଲୋମିଟର ସୀମାରେଖା ରହିଛି ଏବଂ ତାଲିବାନ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ କ୍ଷମତାରେ ଥିବା ସମୟରେ ଇରାନ ତାହାକୁ ସ୍ୱୀକୃତି ଦେଇନଥିଲା।

Comments are closed.