କେନ୍ଦ୍ର ଫେରାଇଲା; ମୁମ୍ବଇକୁ ରକ୍ଷା କଲେ ଚହଲ

ମୁମ୍ବଇ: କରୋନା ମହାମାରୀର ମୁକାବିଲାରେ ସଫଳତା ନେଇ ମୁମ୍ବଇ ମହାନଗର ନିଗମ (ବିଏମ୍‌ସି) ଆୟୁକ୍ତ ଇକବଲ୍‌ ସିଂହ ଚହଲଙ୍କୁ ନେଇ ଖୁବ୍‌ ଚର୍ଚ୍ଚା। କରୋନାର ଉତ୍ତମ ମୁକାବିଲା କ୍ଷେତ୍ରରେ ‘ମୁମ୍ବଇ ମଡେଲ’କୁ ପ୍ରଥମେ ସର୍ବୋଚ୍ଚ ନ୍ୟାୟାଳୟ ଓ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍‌ ପ୍ରଶଂସା କରିଥିଲେ। ଏହାକୁ ଅନ୍ୟ ସହରଗୁଡ଼ିକ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଥିଲା। ମୁମ୍ବଇର ସଫଳତା ପଛରେ ଥିଲା ବିଏମ୍‌ସି ଆୟୁକ୍ତ (କମିସନର) ଚହଲଙ୍କ ସର୍ବାଧିକ ଅବଦାନ। ଚହଲ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ; କିନ୍ତୁ କେନ୍ଦ୍ର ସରକାର ତାଙ୍କୁ ୨୦୧୬ରେ ଅପମାନଜନକ ଭାବେ କେନ୍ଦ୍ର ପ୍ରଶାସନରୁ ହଟାଇବା ସହ ନିଜ ପାହ୍ୟା ମହାରାଷ୍ଟ୍ରକୁ ପଠାଇ ଦେଇଥିଲେ।

ମାତ୍ର ୨୨ବର୍ଷରେ ଆଇଏଏସ୍‌ ପାଇଥିବା ୧୯୮୯ ବ୍ୟାଚ୍‌ର ଏହି ଅଧିକାରୀ କଂଗ୍ରେସ ନେତା ତଥା ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କର ଘନିଷ୍ଠ। ମହାରାଷ୍ଟ୍ର ଫେରିବା ପରେ ତାଙ୍କୁ ଜଳ ସମ୍ପଦ, ନଗର ଉନ୍ନୟନ ବିଭାଗରେ ନିଯୁକ୍ତି ମିଳିଥିଲା। ପରେ ସେ ବିଏମ୍‌ସି ଆୟୁକ୍ତ ଭାବେ ଯୋଗ ଦେଇଥିଲେ। ଉତ୍ତମ କାର୍ଯ୍ୟ ଶୈଳୀ ପାଇଁ ସେ ଏକାଧିକ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ବିଏମ୍‌ସିରେ ତାଙ୍କ କାର୍ଯ୍ୟକାଳ ମାତ୍ର ଗୋଟିଏ ବର୍ଷ ହୋଇଛି। କରୋନାରେ ଉବୁଟୁବୁ ମୁମ୍ବଇକୁ ରକ୍ଷା କରିବାରେ ତାଙ୍କର ଭୂମିକାକୁ ନେଇ ସବୁଆଡ଼େ ଚର୍ଚ୍ଚା।

Comments are closed.